ଜଗତସିଂହପୁର : ପାରାଦୀପ ଠାରେ ପ୍ରତିଷ୍ଠିତ ଆର୍ସେଲର ମିତଲ ନିପନ ଷ୍ଟିଲ(ଏଏମଏନଏସ)ର ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି ଜଗତସିଂହପୁର ଜିଲାପାଳ ପାରୁଲ ପଟୱରୀଙ୍କୁ ଭେଟିବା ସହ ତାଙ୍କ ସହିତ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରି ଫେରିଛନ୍ତି ।ପାରାଦୀପ ଠାରେ ଏସଆର ଷ୍ଟିଲକୁ ଏଏମଏନଏସ ଅଧିଗ୍ରହଣ କରିବା ପରେ କମ୍ପାନୀ ତାର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ କରିଛି । ଏହାକୁ ନେଇ ମୁଖ୍ୟତଃ ଏହି ପ୍ରତିନିଧି ମାନେ ପ୍ରଶାସନର ସହଯୋଗ କାମନା କରି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟ ବାବଦରେ ମଧ୍ୟ ଆଲୋଚନା କରିଥିଲେ ।
ଏହି ପତିନିଧି ମଣ୍ଡଳୀରେ ନିପନ ଷ୍ଟିଲ ଇଣ୍ଡିଆ ପ୍ରୋଜେକ୍ଟ ମୁଖ୍ୟ ଇନାଡ଼ା ସାନ ଙ୍କ ସହ ମିଥିଲେଶ ଠାକୁର,ପିକେ ମହାନ୍ତି,ଏମ ରାଘବନ ଓ ଅରୁଣ ରଥ ପ୍ରମୁଖ କମ୍ପାନୀର କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ । ପାରାଦୀପରେ ଦ୍ରୁତ ଗତିରେ ଶିଳ୍ପର ବିକାଶ ହୋଇ ଚାଲିଥିବା ବେଳେ ଏଏମଏନଏସ ର ପ୍ରତିନିଧି ମଣ୍ଡଳୀ ଜିଲାପାଳ ଙ୍କ ସହିତ ଆସି ଦୀର୍ଘ ସମୟ ଆଲୋଚନା କରିବା ଘଟଣା ବେଶ ଗୁରୁତ୍ବ ବହନ କରୁଛି । ତେଣୁ ଆଜି କମ୍ପାନୀର ଜିଲ୍ଲା ପ୍ରଶାସନ ସହିତ ସୌଜନ୍ୟ ମୂଳକ ସାକ୍ଷାତ ରହିଥିଲା । ଜିଲ୍ଲା ପ୍ରଶାସନ ସହଯୋଗରେ କମ୍ପାନୀ ଜଗତସିଂହପୁର ଜିଲ୍ଲାକୁ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବରେ ଗଢି ତୋଳିବା ସହିତ ବହୁ ଜନ ହିତକର ତଥା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ପାରାଦ୍ୱୀପ ସ୍ଥିତ କମ୍ପାନୀର କର୍ମକର୍ତ୍ତା ଅରୁଣ ରଥ କହିଛନ୍ତି ।
