ବ୍ୟାସନଗର : ଆଜି ଯାଜପୁର ରୋଡ଼ ରେଳଷ୍ଟେସନରେ ୧୬୪ ଜଣ ପ୍ରବାସୀ ଓଡ଼ିଆ ପହଁଚିଛନ୍ତି । ଗୁଜୁରାଟର ସୁରତରୁ ସ୍ୱତନ୍ତ୍ର ଟ୍ରେନଆସି ରାତି ୮ଟାରେ ଷ୍ଟେସନରେ ପହଁଚିଥିଲା । ଟ୍ରେନରୁ ସୁରତ ଫେରନ୍ତା ୧୬୪ଜଣଙ୍କ ମଧ୍ୟରେ କଟକ ଜିଲାରୁ ୭୪ ଜଣ ରହିଥିବା ବେଳେ ଜଗତସିଂପୁରର ୩୬ଜଣ, କେନ୍ଦୁଝର ଜିଲାରୁ ୯ଜଣ ଏବଂ ଯାଜପୁର ଜିଲାରୁ ୪୫ ଜଣ ରହିଥିଲେ ।
ପ୍ରବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଯାଜପୁର ଜିଲାର ୧୦ଗୋଟି ବ୍ଲକ ଓ ୨ଗୋଟି ପୈାରାଞ୍ଚଳକୁ ପ୍ରବାସୀ ଫେରିବାକୁ ଅପେକ୍ଷା କରାଯାଇଥିଲା । କିନ୍ତୁ ଏହି ଷ୍ଟେସନରେ ଅନ୍ୟ ଜିଲାର ପ୍ରବାସୀ ଓହ୍ଲାଇବା କାରଣରୁ ଉକ୍ତ ଜିଲାର ପ୍ରଶାସନ ପକ୍ଷରୁ ସେମାନଙ୍କ ନାମ ପଞ୍ଜିକରଣ, ଚିହ୍ନଟ ପାଇଁ ଷ୍ଟାମ୍ପିଂ କରିବାର ବ୍ୟବସ୍ଥା କରାଯାଇଥିଲା ।
ଟ୍ରେନ ଆସିବା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଥିଲା । ବ୍ୟାସନଗର ସହରରେ ୧୪୪ଧାରା ଜାରୀ କରାଯାଇଥିଲା । ଷ୍ଟେସନ ରାସ୍ତାକୁ ସଂପୂର୍ଣ୍ଣ ଭାବେ ସିଲ୍ କରିଦିଆଯାଇଥିଲା । ବ୍ୟାପକ ପୁଲିସ ଫୋର୍ସର କଡ଼ନରେ ପ୍ରବାସୀ ଓହ୍ଲାଇବା ପରେ ସେମାନେ ଲାଇନ୍ରେ ବାହାରକୁ ଆସିଥିଲେ । ବାହାରେ ହୋଇଥିବା ଅସ୍ଥାୟୀ କ୍ୟାମ୍ପରେ ପ୍ରବାସୀ ନାମ ପଞ୍ଜିକରଣ କରିବା ପରେ ଥର୍ମାଲ ଟେଷ୍ଠିଂ କରାଯାଇଥିଲା । ପ୍ରବାସୀଙ୍କୁ ଖାଇବାକୁ ଦେବା ସହ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଗାଡ଼ିରେ ନିଜ ଅଞ୍ଚଳକୁ ପଠାଇ ଦିିଆଯାଇଥିଲା । ପ୍ରବାସୀ ନିଜ ଅଞ୍ଚଳରେ ପହଁଚିବା ପରେ କ୍ୱାରେଣ୍ଟାଇନ୍ରେ ରହିବେ ।
ପ୍ରବାସୀଙ୍କୁ ସ୍ୱାଗତ କରିବା ଏବଂ ସେମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ପଞ୍ଜିକରଣ ଠାରୁ ଅନ୍ୟାନ୍ୟ ବିଧି ତୁଲାଇବା କାର୍ଯ୍ୟ ଜିଲାପାଳ ରଂଜନ କୁମାର ଦାସ, ଏସପି ଚରଣ ସିଂ ମିନା, କୋରେଇ ବିଧାୟକ ଅଶୋକ କୁମାର ବଳ, କଳିଙ୍ଗନଗର ଅତିରିକ୍ତ ଏସପି ରାଜକିଶୋର ଦୋରା, ଯାଜପୁର ଅତିରିକ୍ତ ଏସପି ଭବାନୀ କାନ୍ତ ପଟ୍ଟନାୟକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଡ଼ିଆଇପିଆରଓ ସନ୍ତୋଷ କୁମାର ସେଠୀ, ଏସଡ଼ିପିଓ ଚିନ୍ମୟ କୁମାର ନାୟକ, ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ଆରପିଏଫ ଅଧିକାରୀ ରମାକାନ୍ତ ବାରିକ୍, ଜିଆରପି ଅଧିକାରୀ ସରୋଜକାନ୍ତ ଦାସ, ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ସମେତ ଜିଲାର ପ୍ରଶାସନୀକ ଅଧିକାରୀ ଉପସ୍ଥିତ ରହିଥିଲେ ।