Odisha news

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ତରକାରୀରେ ଖସିପଡ଼ି ପ୍ରାଣ ହରାଇଲା ତିନି ବର୍ଷର ଛାତ୍ରୀ

0

ମିର୍ଜାପୁର : ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ତରକାରୀରେ ଜଣେ ତିନି ବର୍ଷର ଛାତ୍ରୀ ପଡ଼ିବା ଫଳରେ ତା’ର ମୃତ୍ୟୁ ହେବା ଘଟଣା ସାରା ଦେଶରେ ଆଲୋଡ଼ନ ଖେଳାଇ ଦେଇଛି। ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ଲାଲଗଞ୍ଜ ଥାନା ଅନ୍ତର୍ଗତ ରାମପୁର ଉତରୀ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଥିବା ପ୍ରାଥମିକ ଓ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ଗତକାଲି ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ତରକାରୀରେ ଜଣେ ତିନି ବର୍ଷର ଛାତ୍ରୀ ଅଞ୍ଜଳି ପଡ଼ିଯାଇଥିଲା। ତରକାରୀ ଅତି ଗରମ ଥିବା ହେତୁ ସେଥିରେ ପଡ଼ିବା ଯୋଗୁଁ ତିନି ବର୍ଷର ଅଞ୍ଜଳି ପ୍ରାଣ ହରାଇଥିବା କୁହାଯାଉଛି।

image source-indiatoday
ସୋମବାର ଅପରାହ୍ନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପରେ ଯେତେବେଳେ ପିଲାମାନଙ୍କୁ ଖାଇବାକୁ ଦିଆଯିବା ପାଇଁ ପ୍ରସ୍ତୁତି ଚାଲିଥିଲା , ସେତେବେଳେ ଏହି ଘଟଣା ଘଟିଥିଲା ।ଏକଥା ଜାଣିବା ମାତ୍ରେ ଜିଲ୍ଲାପାଳ ସୁଶୀଲ କୁମାର ପଟେଲ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି। । ସେହିଭଳି ରୋଷେୟାଙ୍କ ବିରୋଧରେ ବି ମାମଲା ରୁଜୁ କରାଯାଇଛି । କୁହାଯାଉଛି ଯେ, ଯେଉଁ ସମୟରେ ଘଟଣା ଘଟିଥିଲା, ସେହି ସମୟରେ ରୋଷେୟା ମୋବାଇଲରେ ଗପୁଥିଲେ ଏବଂ ସେ ଝିଅଟି ସେଠାକୁ କିପରି ଆସିଲା ତାହା ଜାଣି ପାରି ନଥିଲେ ।

ତିନି ବର୍ଷର ଅଞ୍ଜଳି ତରକାରୀ ହାଣ୍ଡିକୁ ଖସିଯିବା ପରେ ବିଦ୍ୟାଳୟରେ ପଢ଼ୁଥିବା ତା’ର ଭାଇ ଗଣେଶ ଜୋରରେ ଚିତ୍କାର କରିଥିଲା । ଏହାପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶକ୍ଷୟିତ୍ରୀ ସେଠାକୁ ଧାଇଁ ଆସିଥିଲେ । ଝିଅଟିକୁ ତତକ୍ଷଣାତ୍ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।  କିନ୍ତୁ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜଳିକୁ ମୃତ ଘୋଷଣା କରିଥିଲେ । ଝିଅଟିର ମୃତ୍ୟୁ ପାଇଁ ପିତା ଭାଗିରଥ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏହି ମାମଲାରେ ବ୍ଲକ ଶିକ୍ଷା ଅଧିକାରୀ ରାମମିଲନ ଯାଦବ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply