ଭଦ୍ରକ :କୃଷିକ୍ଷେତ୍ରରେ ପଙ୍ଗପାଳ ବିପଦକୁ ନେଇ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, କୃଷି ବିଜ୍ଞାନକେନ୍ଦ୍ର(ରାଣୀତାଲ), ଜିଲ୍ଳା କୃଷି ଶିଳ୍ପ ନିଗମ, ଜଙ୍ଗଲ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ଏହା ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଅରୁଣ ମହାପାତ୍ର, ଡିଆରଡିଏ ପିଡି ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ଯୋଗଦେଇଥିଲେ । ପଙ୍ଗପାଳ ଆଗମନରେ ଜିଲ୍ଲାର ଫସଲହାନୀ ଆଶଙ୍କାର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିଜାରି ରଖିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ବିଶେଷ କରି ପଙ୍ଗପାଳ ଗତିବିଧି ଉପରେ କଡା ନଜର ରଖିବାକୁ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି ।
ଏହାବ୍ୟତୀତ କୃଷି ବିଭାଗ ସହ ଜିଲ୍ଲାର ଚାଷୀମାନେ ନିୟମିତ ଯୋଗାଯୋଗ ରକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜୁନ୍ ମାସର ବର୍ଷା ପଙ୍ଗପାଳଙ୍କ ପାଇଁ ଅନୁକୂଳ । ଏବେ ଚାଷ ଜମିରେ ଫସଲ ନାହିଁ । ପନିପରିବାକୁ ଅଧିକ ମାତ୍ରାରେ କ୍ଷତି କରିପାରନ୍ତି । ଏହାବ୍ୟତୀତ ଆଗକୁ ଧାନ ତଳିକୁ ନଷ୍ଟ କରିପାରନ୍ତି । ଏଭଳି ସ୍ଥିତିର ମୁକାବିଲା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବା ଉପରେ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଳାସ୍ତରୀୟ ମନିଟରିଂ କମିଟି ଗଠନ କରାଯାଇଛି । ସେହିପରି କୃଷି, ଉଦ୍ୟାନ, ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ନେଇ ଏକ ବ୍ଲକସ୍ତରୀୟ ସର୍ଭିଲେନ୍ସ ଟିମ୍ ଗଠନ କରାଯାଇଛି । ଏମାନେ ପଙ୍ଗପାଳର ପ୍ରତି ତୀକ୍ଷଣ ନଜର ରଖିବେ । ପହଞ୍ଚିବା ମାତ୍ରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ । ଏଥିପାଇଁ ଜିଲ୍ଲା କୃଷି କାର୍ଯ୍ୟାଳୟରେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।
ପଙ୍ଗପାଳକୁ ନିପାତ କରିବା ପାଇଁ ବୈଜ୍ଞାନିକ ମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା କୀଟନାଶକ ଔଷଧ ଡିଲରମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ପାଇଁ ଜିଲ୍ଲା କୃଷି ଶିଳ୍ପ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା କୃଷି ବିଭାଗର ସୂଚନାନୁଯାୟୀ, ୨ହଜାର ଲିଟର ଏହି କୀଟନାଶକ ଔଷଧ ଡିଲରମାନଙ୍କ ଠାରେ ମହଜୁଦ ଥିବା ବୈଠକରେ ସୂଚନା ଦିଆଯାଇଛି । ଜିଲ୍ଳା କୃଷି ବିଭାଗ ହ୍ୱାଟସ ଅପ୍ ଜରିଆରେ ୩୦ହଜାର ଚାଷୀଙ୍କୁ ପଙ୍ଗପାଳ ଦଳର ମୁକାବିଲା ଓ ପ୍ରତିକାର ବ୍ୟବସ୍ଥା ନେଇ ସଚେତନ କରାଯାଉଥିବା କଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କିରଣ ପରିଡା ସୂଚନା ଦେଇଛନ୍ତି । ସେହିପରି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧ଲକ୍ଷ ଚାଷୀଙ୍କୁ ହ୍ୱାଟସ୍ ଅପ ଜରିଆରେ ସୂଚନା ଦିଆଯାଇଥିବା କଥା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ.ଅରବିନ୍ଦ ନାୟକ ସୂଚନା ଦେଇଛନ୍ତି । ଅନୁରୂପଭାବେ ଜିଲ୍ଲାରେ ଥିବା ୯ଟି ଫାର୍ମରେ ପଙ୍ଗପାଳ ଆଗମନ ନେଇ ସଜାଗ ରହିବାକୁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଉର୍ମିଳା ମହାପାତ୍ର, ଆସିଷ୍ଟାଣ୍ଡ ଡାଇରେକଫର ମୃତ୍ତିକା ସଂରକ୍ଷଣ ମହିତୋଷ ଦାସ, ଓଡିଶା କୃଷି ଶିଳ୍ପ ନିଗର ପରିଚାଳକ କୁମାର ଦାସ ଓ ଜିଲ୍ଳା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥ୍ିଲେ