Odisha news

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ, କାରରୁ ଜବତ ହେଲା ୩ଲକ୍ଷ୯୧ହଜାରଟଙ୍କା

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା  ଅଧିକାରୀ ଡାଃ ଅଭୟ କୁମାର ତ୍ରିପାଠୀ କାରରେ ୩ଲକ୍ଷ୯୧ହଜାରଟଙ୍କା ନେଇ ଭୁବନେଶ୍ୱର ଛୁ ମାରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଡାଃ ତ୍ରିପାଠୀଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିବାବେଳେ ଏହି ଲାଞ୍ଚୁଆ ସିଡିଭିଓଙ୍କୁ ଧରିବାପାଇଁ ଭିଜିଲାନ୍ସ ଆଖି ପକାଇଥିଲା । ଶୁକ୍ରୁବାର ସିଡିଭିଓ ଡାଃ ତ୍ରିପାଠୀ ନିଜ ସରକାରୀ ଏକ ସୁଇଫ୍ଟ କାରରେ ଭୁବନେଶ୍ୱର ସ୍ଥିତ ଘରକୁ ଯାଉଥିବାବେଳେ ଏକ ବିଶେଷ ସୁତ୍ରରୁ ଭିଜିଲାନ୍ସ ଟିମ୍ ଖବର ପାଇ ବେତନଟୀ ସ୍ଥିତ ହାଟ୍ପଡା ଠାରେ ସିଡିଭିଓଙ୍କ କାରକୁ ଅଟକାଇଥିଲେ ।

ଏହି ସମୟରେ କାରରେ ଭିଜିଲାନ୍ସ ଟିମ୍ ଚଢଉ କରି ୫ଗୋଟି ପ୍ୟାକେଟ୍ରୁ ୩ଲକ୍ଷ୯୧ହଜାରଟଙ୍କା ଜବତ କରିଥିଲେ । ଏଥିସହ ସିଡିଭିଓଙ୍କ ଭୁବନେଶ୍ୱର ସ୍ଥିତ ଜୟଦେବବାଟିକା ଘର, ବାରିପଦା ସ୍ଥିତ ମଧୁବନ ଠାରେ ଥିବା ଭଡାଘର ଓ ସିଡିଭିଓଙ୍କ କାର୍ଯ୍ୟାଳୟରେ ଏକ ସଙ୍ଗେ ଚଢଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା । ଏଥିସହ ସିଡିଭିଓଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ଜମାରାଶି ଓ ଅନ୍ୟାନ୍ୟ ସମ୍ପର୍ତ୍ତିର ମୂଲ୍ୟାଙ୍କନ ଚାଲିଥିବାରୁ ଶନିବାର ମୋଟ୍ ସମ୍ପର୍ତ୍ତିର ପରିମାଣ ଜଣାପଡିବ ବୋଲି ଭିଜିଲାନ୍ସ ସୁତ୍ରରୁ ପ୍ରକାଶ ।

ଏନେଇ ଭିଜିଲାନ୍ସରେ ୧୬/୨୦ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସିଡିଭିଓଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ଅତିରିକ୍ତ ଭିଜିଲାନ୍ସ ଏସପି ନିହାର ଚନ୍ଦ୍ର ମହାନ୍ତି, ବାଲେଶ୍ୱର ଭିଜିଲାନ୍ସ ଡିଏସପି ସନ୍ତୋଷ କୁମାର ସାମନ୍ତରାୟ ଓ ଇନ୍ସିପେକ୍ଟର ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ସହ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀମାନେ ଚଢଉରେ ସାମିଲ ହୋଇଥିଲେ ।

Nalco

Leave A Reply