Odisha news

ମାସ୍କ ଏବେ ଆମ ଜୀବନ ସହ ଜଡିତ !

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବଢି ଚାଲିଛି ।ମୃତୁ୍ୟ ସଂଖ୍ୟା ବି ବଢିବାରେ ଲାଗିଛି । ଅଦ୍ୟାବଧି ସାରା ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୯୪୬,୭୩୧ରେ ପହଞ୍ଚି ଥିବା ବେଳେ ମୃତକଙ୍କ ସଂଖ୍ୟା ୫,୬୯,୩୭୫ ରେ ପହଞ୍ଚିଛି । ସେହିପରି ଆମ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୪୯,୫୫୩ ରେ ପହଞ୍ଚି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୨,୬୭୪ ରେ ପହଞ୍ଚିଛି । ଆମ ରାଜ୍ୟରେ ମଧ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା-୧୩,୧୨୧ ଥିବା ବେଳେ ମୃତୁ୍ୟ ସଂଖ୍ୟା-୬୪ ରେ ରହିଛି । ବିଶେଷ କରି ଜୁଲାଇ ମାସ ଆରମ୍ଭରୁ ସଂକ୍ରମଣ ହାର ଓ ମୃତୁ୍ୟ ହାର ଦ୍ରୁତ ଗତିରେ ବଢି ଚାଲିଛି । କରୋନା ଭାଇରସ୍କୁ ନେଇ ସମଗ୍ର ବିଶ୍ୱ ଚିନ୍ତା ମଧ୍ୟରେ ଥିବା ବେଳେ ଋଷ୍ସ୍ଥିତ ସେଚେନୋଭ୍ ବିଶ୍ୱବିଦ୍ୟାଳୟ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛି ବୋଲି ଦାବି କରିଛି । ସେହିପରି ବିଶ୍ୱସ୍ଥରରେ ଆମେରିକା ଓ ବ୍ରିଟେନ ପରି ଦେଶ ମଧ୍ୟ କରୋନା ଟୀକା ପ୍ରସ୍ତୁତ କରିବାକୁ ଗବେଷଣା ଜାରି ରଖିଛନ୍ତି । ଆମ ଦେଶବି ଏହି ଉଦ୍ୟମରୁ ବାଦ୍ ପଡିନି । ତଥାପି ଯେପର୍ଯ୍ୟନ୍ତ କରୋନା ଟୀକା ବା ଔଷଧ ଉପଲବ୍ଧ ହେଇନାହିଁ, ସେ ପର୍ଯ୍ୟନ୍ତ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏକ ଟୁଇଟ୍ କରି ଦର୍ଶାଇଛନ୍ତି ଯେ ମାସ୍କ ଏବେ ଆମ ଜୀବନ ସହ ଜଡିତ । ନିଜ ଠାରୁ କରୋନାକୁ ଦୂରେଇ ରଖିବାକୁ ହେଲେ ମାସ୍କକୁ ଦୈନ୍ଦିଦୀନ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପଡିବ । ସେହିପରି ପୂର୍ବରୁ ମାସ୍କ ପିନ୍ଧିବାକୁ ମନା କରୁଥିବା ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ନିକଟରେ ମାସ୍କ ପିନ୍ଧିଛନ୍ତି । ଏଥିରୁ ଜଣା ପଡୁଛି ପରିବତ୍ତିତ ପରିସ୍ଥିତିରେ ମାସ୍କ ଆମ ସଂସ୍କୃତି ଓ ଜୀବନ ସହିତ ଯୋଡି ହୋଇରହିବ ।

ଏଠାରେ ସୂଚନାଯୋଗ୍ୟ ଯେ, ସଂସ୍କୃତି ଗୋଟିଏ ଜାତିର ପରିଚୟ ।ସଂସ୍କୃତିରୁ ସେ ଦେଶର ଚାଲି ଚଳଣି, ଆଚାର, ବ୍ୟବହାର, ରୀତି, ନୀତି ଓ ପରମ୍ପରା ବାରି ହୋଇପଡେ । ଆମ ସଂସ୍କୃତି ମହାନ ।ଏକଦା ଆମ ସଂସ୍କୃତିର ଧାରା ଥିଲା ‘ବସୁଧୈବ କୁଟୁମ୍ବକମ୍’ – ‘ସର୍ବେ ଭବନ୍ତୁ ସୁଖୀନଃ’ – ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’ ।ଏସବୁ ଆଜି ଆଈ ମା’ କାହାଣୀ ପରି ଲାଗୁଛି । ଆଧୁନିକତାର ଚାକଚକ୍ୟ ମଧ୍ୟରେ ସେ ସବୁ ବିବର୍ଜିତ ହୋଇ ପଡିରହିଛି । ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନକର ଆଉ’ – ପିଲାଙ୍କ ପଢାବହିରେ ଥିବା ଏହି ଉକ୍ତିଟି ଆଜି ଶିଶୁମାନସରୁ ଲିଭିଯିବାକୁ ବସିଲାଣି । କୌଣସି ଶୁଭାଶୁଭ ମନାସିଲେ ପ୍ରଥମେ କାଉକୁ ଆଧାର ଦିଆଯିବାର ପରମ୍ପରା ରହିଛି । କେବଳ ସେତିକି ନୁହେଁ, ଆକାଶରେ ଜହ୍ନକୁ ଦେଖି ଶିଶୁ ପ୍ରାଣ ଆଉ ପୁଲକିତ ହେଉନାହିଁ । ‘ଆ ଜହ୍ନମାମୁଁ ସରଗ ଶଶୀ – ମୋ କାହ୍ନୁ କୋଳରେ ପଡରେ ଖସି’ର ପ୍ରାଣମୟ ଆବେଦନ ହଜିଗଲାଣି ଟି.ଭି.ର କାର୍ଟୁନ୍ ଶୋ’ରେ । ବାଃ ବାଃ ବ୍ଲାକ୍ସିପ୍, ଟୁଇଁକିଲ୍ ଟୁଇଁକିଲ୍ ଲିଟିଲ ଷ୍ଟାର ଭିତରେ ଲୁଚି ଯାଉଛି ତା’ର କଳ୍ପନା । ସତୁରୀ ପ୍ରତିଶତ, ଅଶୀ ପ୍ରତିଶତ,ନବେ ପ୍ରତିଶତ ଅଙ୍କକଷା ଭିତରେ ସଙ୍କୁଚିତ ହୋଇଯାଇଛି ତା’ର ପ୍ରାଣର ବିସ୍ତାର । ‘ଶଙ୍ଖଚିଲ ଭାଇ ନମସ୍କାର’, ‘ଜହ୍ନିଫୁଲ ଠୋ ଠା – କାକୁଡି ଫୁଲ ଠୋ ଠା’ କହି ତାଳିମାରି ନାଚିପାରୁନି ସେ ।

ସଭ୍ୟତାର ପ୍ରସାର ସହିତ ମଣିଷ କ୍ରମଶଃ ଦୂରେଇ ଯାଉଛି ନିଜ ସଂସ୍କୃତି ଠାରୁ । ଉପଭୋକ୍ତାବାଦ ମଣିଷକୁ ଆଉ ମଣିଷ ଅବସ୍ଥାରେ ରହିବାକୁ ଦେଉନାହିଁ । ଧନ ବଳରେ ନଷ୍ଟ ହୋଇଯାଉଛି ମୂଲ୍ୟବୋଧ । ଏହି ମୂଲ୍ୟବୋଧର ଅବକ୍ଷୟ ଅପସଂସ୍କୃତିକୁ ଡାକି ଆଣୁଛି ହାତଠାରି । ଫଳ ସ୍ୱରୂପ ଆମ ସାଂସ୍କୃତିକ ଜୀବନ ହୋଇଉଠିଛି ବିକଳାଙ୍ଗ । ଆଜି ଭାଗବତ ଘର ଢିଅରେ ମୁଣ୍ଡ ଟେକିଛି ଯୁବକ ସଂଘ, ମହିଳା ସମିତି । ଚାଟଶାଳୀ ଜାଗାରେ ଠିଆ ହୋଇଛିି ଅଙ୍ଗନବାଡି, ବାପା ଏବେ ଡାଡି, ବୋଉ ମମି, ଆଉ ମାଉସୀ, ଖୁଡି, ମାଇଁ ଏମାନେ ସମସ୍ତେ ଆଣ୍ଟିରେ ଗଣା । ସେମିତି ଦାଦା, ମଉସା, ମାମୁଁ ଏମାନେ ସମସ୍ତେ ଅଙ୍କଲ । ନମସ୍କାର ଆଉ ପ୍ରଣାମ ବଦଳରେ ଟା,ଟା ବାଏବାଏ । ଏତ ଗଲା ଆମ ନିତିଦିନିଆ କଥା । ବାହାଘର, ବ୍ରତଘର ଓ ପୂଜା ପାର୍ବଣ କଥା ନ କହିଲେ ଭଲ । ବାହାଘରମାନଙ୍କରେ ବରଯାତ୍ରୀ ମେଳରେ ଚାଲିଛି ଉଦଣ୍ଡ ନୃତ୍ୟ । ମାଣବସା ଗୁରୁବାରରେ ଲକ୍ଷ୍ମୀ ପୁରାଣ କ୍ୟାସେଟ୍ରେ କାମ ଚଳିଯାଉଛି । ଏପରିକି ଅଷ୍ଟପ୍ରହରୀମାନଙ୍କରେ ବିଭିନ୍ନ ସିନେମା ଗୀତର ଧୂନ୍କୁ ଅନୁକରଣ କରାଯାଇ ନାମ ସଂକୀର୍ତ୍ତନ ଚାଲିଛି ।ଏବେ ଆମ ସଂସ୍କୃତିକୁ ଗତ କିଛି ବର୍ଷ ହେଲା ଧସେଇ ପସିଛି କାଉଡିଆ ସଂସ୍କୃତି । କାହିଁ କେଉଁ କାଳରୁ ଶିବ ଉପାସନା ଆମ ସ୍କୃତିରେ ପ୍ରଚଳିତ ଥିଲେହେଁ ଏବେ ତାହାକୁ ଆଧାର କରି କାଉଡିଆ ମାନଙ୍କର ଭିଡ କାହିଁରେ କ’ଣ । ଯେଉଁଠି ଦେଖିବ ରାସ୍ତାରେ କାଉଡି ଧରି ଆବାଳ ବୃଦ୍ଧବନିତା ଚାଲିଛନ୍ତି ଶୈବ ପିଠକୁ । ଏଠାରେ ଭକ୍ତି ଅପେକ୍ଷା ମସ୍ତି ବେଶି ।

ନାଚ, ଗୀତ କଥା ଆହୁରି ତଦ୍ରୁପ । ଆମ ଓଡ଼ିଶୀ ନାଚ ଆମକୁ ଭଲ ଲାଗୁନି । ରେକର୍ଡ ଡ୍ୟାନ୍ସର ଯୁଗ ଏବେ । ବିଭିନ୍ନ ମଞ୍ଚ, ସାଂସ୍କୃତିକ ଅନୁଷ୍ଠାନ ଠାରୁ ଆରମ୍ଭ କରି ଗଣନାଟ୍ୟ ପର୍ଯ୍ୟନ୍ତ ସବୁଠିି ଏହାର ଛାପ । ଏପରିକି ଟିଭି ଚ୍ୟାନେଲରେ ଜାତୀୟ ସ୍ତରଠାରୁ ଆରମ୍ଭ କରି ଆମ ଓଡିଆ ଟି.ଭି.ଚ୍ୟାନେଲ ପର୍ଯ୍ୟନ୍ତ ସବୁଠି କାୟା ବିସ୍ତାର କରିଚାଲିଛି ଏହି ଡ୍ୟାନ୍ସ ଧମାକା । ଏ ସବୁ ଦେଖିବାକୁ ଉକ୍ରଣ୍ଠିତ ଆମ ଯୁବ ସମାଜ । ଅଭିଭାବକମାନେ ବି ଏହି ମାନିଆରୁ ମୁକ୍ତ ନୁହଁନ୍ତି । ଗୀତ ତ ଏଠି ପଣ୍ୟ ଦ୍ରବ୍ୟ । ବେପାରୀ ଚିନ୍ତାଚେତନା ନେଇ ଏଠି ପ୍ରସ୍ତୁତ ହେଉଛି ଭଜନ, ଜଣାଣ ଓ ଆଧୁନିକ ଗୀତର କ୍ୟାସେଟ୍ । ଦ୍ୱିଅର୍ଥବୋଧକ ଶବ୍ଦ ସଂଯୋଜନା ଓ ଚାଲୁ ସ୍ୱର ଏଠି ହୋଇଛି ଭଲ ସଙ୍ଗୀତର ମାପକାଠି ।
ପୂଜ୍ୟପୂଜା ଆଉ ନାହିଁ । ଅପୂଜ୍ୟକୁ ପୂଜା କରିବା ‘ବିଧି’ରେ ପରିଣତ ହୋଇଛି । ଅନେକ ପୂଜ୍ୟ ବରପୁତ୍ର ଆଜି ଅବହେଳିତ । କେଉଁଠି ସେମାନେ ଭଗ୍ନ ଓ ଜରାଜୀର୍ଣ ଅବସ୍ଥାରେ ରହିଛନ୍ତିି ତ ଆଉକେଉଁଠି ସେମାନଙ୍କର ପ୍ରତିମୂର୍ତ୍ତି ଭଙ୍ଗାଯାଉଛି । ସେହି ବରପୁତ୍ର ମାନେ ସିନା ଆଜି ନାହାଁନ୍ତି.ହେଲେ ପ୍ରତିମୂର୍ତ୍ତି ଗୁଡିକୁ ସୁରକ୍ଷା ଦେବା ସହ ସେମାନଙ୍କ ସ୍ମୃତିକୁ ସାଉଁଟି ରଖିବାର ସମୟ ଆସିଛି ।

କେବଳ ଜୟନ୍ତୀ ଓ ଶ୍ରାଦ୍ଧପାଳନରେ ସୀମିତ ରହିଛନ୍ତି ଅନେକ ଯୋଗଜନ୍ମା ବରପୁତ୍ର । ବାସ୍ତବରେ ଏଥିପ୍ରତି କାହାରି ନିଘା ନାହିଁ । ସେହିପରି ଉପାଧିକୁ ନେଇ ଅନେକ ବିତର୍କ ମୁଣ୍ଡ ଟେକିବାରେ ଲାଗିଛି । ରାଜ୍ୟ ସ୍ତରରେ ସାହିତ୍ୟ ଏକାଡେମୀ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ପଦ୍ମଶ୍ରୀ,ପଦ୍ମଭୂଷଣ,ଜ୍ଞାନପୀଠ ଏପରିକି ସର୍ବୋଚ୍ଚ ଉପାଧି ଭାରତ ରତ୍ନ ପର୍ଯ୍ୟନ୍ତ ସବୁଠି ଏକା କଥା । ଏପରିକି କେତେକ କ୍ଷେତ୍ରରେ ଏହାକୁ ନେଇ ଘଟଣା କୋର୍ଟ ପରିସରକୁ ଯାଉଛି । ଫଳରେ ଉପାଧିର ଗୁରୁତ୍ୱ ହ୍ରାସ ପାଇବାରେ ଲାଗିଛି । ସେଦିନ ମାଣିକ ଗଉଡୁଣୀ କଳାଧଳା ଘୋଡାରେ ଯାଉଥିବା ଦୁଇଜଣ ଦିବ୍ୟ ପୁରୁଷଙ୍କୁ ଦହି ପୋଷେ ପୋଷେ ଦେଇ ସେମାନଙ୍କ ତୃଷ୍ଣା ମେଣ୍ଟାଇଥିଲା । କାରଣ ସେଥିରେ ଥିଲା ଆମ ସଂସ୍କୃତିରେ ସ୍ନେହ ଓ ଆତିଥ୍ୟର ଉଦାରଭାବ, ‘ଅତିଥି ଦେବୋଭବ’ର ପରମ୍ପରା । ଏକଥା ସିନା ମାଣିକ ଗଉଡୁଣୀ ବୁଝିଥିଲା, କିନ୍ତୁ ନିଜର ପଦପଦବୀ ଓ ସ୍ୱୀକୃତିକୁ ନେଇ ଡିଣ୍ଡିମ ପିଟୁଥିବା ଏବର ବିଜ୍ଞ ମଣିଷମାନେ ଏକଥା ବୁଝୁନାହାଁନ୍ତି । ଏହାହିଁ ବିଡମ୍ବନା!

କିଛିଦିନ ଧରି ଭିନ୍ନ ଏକ ଅନୁକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତାହା ହେଉଛି ରୁମାଲ ବନ୍ଧା ସଂସ୍କୃତି । ଦୁଇ ଚକିଆ ଯାନରେ ଗଲାବେଳେ ଝିଅମାନେ ମୁହଁରେ ଆଖି ତଳକୁ ରୁମାଲ ବାନ୍ଧି ଯିବାର ଦେଖିବାକୁ ମିଳୁଥିଲା । ସେତେବେଳେ ଏହାକୁ ଆମେ ଭିନ୍ନ ଦୃଷ୍ଟିରେ ଦେଖୁଥିଲୁ । ସେହିପର ସଂଖ୍ୟାଲଘୁ ସଂପ୍ରଦାୟରେ ଏବେବି ପରଦା ପ୍ରଥା ପ୍ରଚଳିତ ହୋଇରହିଛି ।ସମ୍ପ୍ରତି ବିଶ୍ୱମହାମାରୀର ରୂପ ନେଇଥିବା କରୋନା ଆମକୁ ଭିନ୍ନ ଏକ ଚିନ୍ତା ଅଣିଦେଇଛି । ଏହି ରୋଗରେ ସାରା ବିଶ୍ୱରେ ତିନି ଲକ୍ଷରୁ ଉଦ୍ଧ୍ୱର୍ ଲୋକ ମୃତୁ୍ୟ ବରଣ କରିସାରିଲେଣି । ତଥାପି ଏହି ରୋଗର ସଂକ୍ରମଣ କମିବାର ନା ଧରୁନି ବରଂ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ଓ ମୃତୁ୍ୟ ସଂଖ୍ୟା ବଢିବାରେ ଲାଗିଛି । ଆମ ଦେଶ ତଥା ରାଜ୍ୟ ମଧ୍ୟ ଏଥିରୁବି ବାଦ ପଡିନି ।ଏହି ରୋଗର ନିରାକରଣ ପାଇଁ କୈ÷ାଣସି ଟୀକା ବାହାରି ନଥିବା ବେଳେ ସାମାଜିକ ଦୁରତା ସଙ୍ଗରୋଦ୍ଧ ସାନିଟାଇଜର ବ୍ୟବହାର ସହ ମାସ୍କ(ତୁଣ୍ଡି) ପରିଧାନକୁ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ମାସ୍କ ବା ତୁଣ୍ଡି ପିନ୍ଧିବା ଏହି ରୋଗ ପାଇଁ ସୁରକ୍ଷା କବଚ ସାଜିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ନିକଟରେ ଏହି ରୋଗରୁ ମୁକ୍ତି ପାଇବାର ସମ୍ଭାବନା ନାହିଁ ।ତେଣୁ ଆଗାମୀ ଦିନ ମାନଙ୍କରେ ଆମକୁ ମୁହଁରେ ତୁଣ୍ଡି ବାନ୍ଧି ଚଳ ପ୍ରଚଳ କରିବାକୁ ହେବ । ନିକଟରେ ଜର୍ମାନୀରେ ମାସ୍କ ବାନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି । ଯାହା ଜଣାପଡୁଛି ଅମକୁ ମଧ୍ୟ ମାସ୍କ ପିନ୍ଧା ସଂସ୍କୃତିକୁ ଆପଣେଇବାକୁ ପଡିବ ।ଏବେ ମାସ୍କ ପିନ୍ଧିବା ନିୟମ କଡାକଡି ପାଳନ ହେବ ବୋଲି ସୂଚନା ଦିଆଯାଇଛି ।

ଏ ବାବଦ ଜୋରିମାନା ରାଶିକୁ ସରକାର ବଢାଇଛନ୍ତି । ପୂର୍ବରୁ ଥରକେ ଦୁଇଶହ ଓ ଦ୍ୱୀତିୟ ଥରକୁ ୫ଶହ ଟଙ୍କା ଜୋରିମାନା ନିଆ ଯାଉଥିବା ବେଳେ ଏବେ ଏହି ଦୁଇଶହ ଟଙ୍କା ଜୋରିମାନା ଉଠାଇଦିଆଯାଇଛି । ପ୍ରଥମ ଓ ଦ୍ୱିତୀୟ ଥରକେ ୫୦୦ଟଙ୍କା ଲେଖାଁ ପରେ ତୃତୀୟ ଥରକୁ ୧୦୦୦ ଲେଖାଏଁ ଜୋରିମାନା ଆଦାୟ କରାଯିବ । ଏ ନେଇ ସ୍ୱତନ୍ତ୍ର କୋଭିଡ୍ -୧୯ ନିୟମାବଳୀର ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସବୁ ସତ୍ତ୍ୱେ କିଛି ଅମାନିଆ ମଣିଷ ଏ କଥା ବୁଝୁ ନାହାନ୍ତି । ଆଉ କେତେକ ମାସ୍କ ପିନ୍ଧିଲେବି ନାକ ତଳକୁ ବା ପାଟି ତଳକୁ ପିନ୍ଧୁଛନ୍ତି । ଏପରି କରିବା ଦ୍ୱାରା ସେମାନେ ନିଜ ପାଇଁ ବିପଦ ଆଣିବା ସହ ଅନ୍ୟ ମାନଙ୍କ ପାଇଁ ମଧ୍ୟ ବିପଦକୁ ଡାକି ଆଣୁଛନ୍ତି । ଏ କଥାକୁ ଆମକୁ ଗୁରୁତ୍ୱ ଦେବାକୁ ହେବ । ସମୟ ସହିତ ତାଳଦେଇ ସଂସ୍କୃତିର ଏହି ପରିବର୍ତ୍ତନ ଅପରିହାର୍ଯ୍ୟ । ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କେତେ ଦିନ ରହିବ ତାହା ସମୟ କହିବ । ସୂଚନାଯୋଗ୍ୟ ଯେ, ମାସ୍କ ପିନ୍ଧିବା ଜାପାନର ସଂସ୍କୃତିର ଏକ ଅଂଶ ବିଶେଷ । ସେଠାରେ ଥଣ୍ଡା, କାଶ ଓ ଛିଙ୍କ ହେଲେ ମାସ୍କ ପରିଧାନ କରାଯାଏ । ଯାହା ଜଣା ପଡୁଛି କରୋନାର ଭୟାବହତା ପାଇଁ ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇପାରେ । ଏହାହିଁ ସମୟର ଆହା୍ୱନ । ! ଆମକୁ ମନେ ରଖିବାକୁ ହେବ ଯେ-ଜୀବନ ଆଗ, ଆଉ ସବୁ ପଛ ।

Leave A Reply