ପାରାଦୀପ: ସ୍ୱାମୀର ଦ୍ୱିତୀୟ ବିବାହକୁ ବିରୋଧ କରି ଶାଶୁ ଘର ସମ୍ମୁଖରେ ପ୍ରଥମ ସ୍ତ୍ରୀ ଧାରଣା ଦେଇଛନ୍ତି। ପାରାଦୀପର ଲକ୍ ଥାନା ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତ ବାଲଦିଆ ଗ୍ରାମରେ ଏହି ଧାରଣା ଦେଇଛନ୍ତି ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳା। ଫଳରେ ଶାଶୁ ଘର ଲୋକଙ୍କ ଦ୍ୱାରା ସଂପୃକ୍ତ ମହିଳା ଜଣକ ମାଡ଼ ଖାଇଥିବା ଜଣାଯାଇଛି। ଏହା ପରେ ଶାଶୁ ଘର ଲୋକେ ଘରର କବାଟ ବନ୍ଦ କରି ଫେରାର୍ ହୋଇ ଯାଇଛନ୍ତି।
ଅଭିଯୋଗ ଅନୁସାରେ ବଗଦିଆ ଗ୍ରାମର ମାନିନୀ ବିଶ୍ୱାଳ ନିଜ ଗାଁର ଚନ୍ଦନ ରାଉତଙ୍କୁ ୨୦୧୬ ଜୁଲାଇ ୧୨ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର ପ୍ରଥମ ୬ ମାସ ପର୍ଯ୍ୟନ୍ତ ସେମାନଙ୍କ ବୈବାହିକ ସମ୍ପର୍କ ହସଖୁସିରେ ଚାଲିଥିଲା। କିନ୍ତୁ ପରେ ମାନିନୀ ଓ ଚନ୍ଦନଙ୍କ ସଂପର୍କରେ ଭଲ ରହିଲା ନାହିଁ। ପ୍ରାୟ ଏକ ବର୍ଷ ପରେ ପିଲା ନହେବା ଅଭିଯୋଗରେ ଶାଶୁ ଘର ଲୋକ ମାନିନୀଙ୍କୁ ବିଦା କରିଦେଇଥିଲେ।
ପାରିବାରିକ କଳହ ୩ ଥର ଭଦ୍ର ବ୍ୟକ୍ତିଙ୍କ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ପାରାଦୀପ ଲକ୍ ଥାନା ଓ ସ୍ଥାନୀୟ ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ଏପଟେ ଚନ୍ଦନ ଦିତୀୟ ବିବାହ କରିଛି। ଚନ୍ଦନ ଗୋଟେ ଝିଅର ବାପା ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀ ମାନିନୀ। ଆଜି ମାନିନୀ ନିଜ ଶାଶୁ ଘରକୁ ଆସି ଚନ୍ଦନର ଦିତୀୟ ସ୍ତ୍ରୀ ଓ ପିଲାକୁ ଦେଖିବା ପରେ ପ୍ରତିବାଦର ଶିକାର ହୋଇଥିଲେ।