Odisha news

ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀ ନିହତ,ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଜବତ

0
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଦୁଇ ମାଓବାଦୀ ନିହତ ହେବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗାଜଲ ମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାରାମ ଗ୍ରାମ ନିକଟସ୍ଥ ଜଙ୍ଗଲରେ  ମାଓବାଦୀମାନେ ଏକ ବଡ ଧରଣର କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହା ପରେ ଏସ.ଓ.ଜି, ଡି.ଭି.ଏଫ ଓ ବି.ଏସ.ଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ମିଳିତ କୁମ୍ବିଂ ଅପରେସନ । ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ ହେଲେ ଯବାନଙ୍କ ପାଲଟା ଆକ୍ରମଣରେ ଟଳି ପଡିଥିଲେ ଦୁଇ ମାଓବାଦୀ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲର ସହାୟତା ନେଇ ଛତ୍ରଭଙ୍ଗ  ଦେଇଥିଲେ । ପରେ ଯବାନମାନେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ କରିବା ସମୟରେ ୨ ଜଣ ମାଓବାଦୀଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଦୁଇଟି ବନ୍ଧୁକ ସହ ବ୍ୟାପକ ମାଓ ସାମଗ୍ରୀ ଜବତ ହୋଇଛି । ଯାହା ମଧ୍ୟରେ ରହିଛି SLR ଓ INSAS ପରି ଅତ୍ୟାଧୁନିକ ବନ୍ଧୁକ ଯାହାକୁ ବଡ ନକ୍ସଲ କ୍ୟାଡରମାନେ ବ୍ୟବହାର କରନ୍ତି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ମାଓବାଦୀ ରହିଛନ୍ତି । ପୁରୁଷ ମାଓବାଦୀ ଜଣକ ସ୍ବାଭିମାନ ଅଞ୍ଚଳର ଏ.ସି.ଏମ ମାଲା ମାଢି ବୋଲି ଜଣା ପଡିଥିବା ଥିବା ବେଳେ ମହିଳା ମାଓବାଦୀଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ନାହି ।  ସ୍ବାଭିମାନ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ମାଓମୁକ୍ତ କରିବା ଲାଗି ଅଣ୍ଟା ଭିଡିଛି ମାଲକାନଗିରି ପୋଲିସ । ତେବେ ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର କ୍ୟାଡର ମାନେ ଲିଡରସିପ୍ କରୁଥିବା ବେଳେ ହିଂସା କାଣ୍ଡ ଘଟାଉଛନ୍ତି ଛତିଶଗଡ କ୍ୟାଡର ମାଓବାଦୀମାନେ। ଏମାନଙ୍କ ଲାଗି ରୋଡ ମ୍ୟାପ ପ୍ରସ୍ତୁତ କରୁଛନ୍ତି ମାଲକାନଗିରିର ଜିଲ୍ଲାର ଆଦିବାସୀ ମାଓବାଦୀ । ତେଣୁ ନିଜ ଅଞ୍ଚଳର ଏହି ଆଦିବାସୀ ନକ୍ସଲମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରି ଆସିବା ଲାଗି ପୋଲିସ ଡିଜି ଶ୍ରୀ ଅଭୟଙ୍କ ସହ ମାଲକାନଗିରି ଏସପି ଆହ୍ବାନ କରିଛନ୍ତି ।
Nalco
Leave A Reply