ପ୍ରାୟ ଦୁଇମାସ ଧରି ମଣିପୁରରେ ଲାଗି ରହିଥିବା ହିଂସାକୁ ଦମନ କରି ଶାନ୍ତି ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରୟାସ ଜାରି ରହିଛି। ତେବେ ଏତେ ଦିନ ଭିତରେ ଏହି ହିଂସାତ୍ମକ କାର୍ଯ୍ୟରେ ୧୩୧ଜଣଙ୍କ ଜୀବନ ଯାଇଥିବାବେଳେ ୪୧୯ ଜଣ ଗୁରୁତର ହୋଇଛି। ୫୦୩୬ ପୋଡାଜଳା ଭଳି ଘଟଣା ଘଟିଥିବାବେଳେ ୫୮୮୯ ମାମଲା ରୁଜୁ କରାଯାଇଛି। ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ୧୮ ରାଜନୈତିକ ଦଳକୁ ନେଇ ବସିଥିବା ସର୍ବଦଳୀୟ ବୈଠକରୁ ଏହି ସୂଚନା ମିଳିଛି। ହିଂସା ଆରମ୍ଭ ଦିନଠାରୁ ସେହି ରାଜ୍ୟରେ ପ୍ରାୟ ୩୬ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ୪୦ ଆଇପିଏସ ଅଫିସରଙ୍କୁ ଦଙ୍ଗା ନିୟନ୍ତ୍ରଣ ପାଇଁ ସେଠାକୁ ପଠାଯାଇଛି। ଦଙ୍ଗା ନିୟନ୍ତ୍ରଣ ପାଇଁ କ’ଣ କ’ଣ ଯୋଜନା କରାଯାଇଛି ସେ ସଂକ୍ରାନ୍ତରେ ଆଲୋଚନା ହୋଇଛି।
ତେବେ ଆଲୋଚନା ବେଳେ ଶାନ୍ତି ଫେରାଇ ଆଣିବାକୁ ଏକ ସମୟୋଚିତ ଯୋଜନାବଦ୍ଧ କାର୍ଯ୍ୟ କରିବାକୁ ଦାବି କରାଯିବା ସଂଗେ ସଂଗେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହଙ୍କୁ ସେଠାରୁ ହଟାଇବାକୁ ଦାବି କରାଯାଇଛି। ବର୍ତ୍ତମାନ ଘଟିଥିବା ହିଂସାତ୍ମକ କାର୍ଯ୍ୟରେ ୧୪୪ ଜଣଙ୍କୁ ଗିରଫ କରାଯାଇଛି। ମୃତ୍ୟୁ ବ୍ୟତୀତ ସହସ୍ରାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳରେ ରଖାଯାଇ ରିଲିଫ ସାମଗ୍ରୀ ପ୍ରଦାନ କରାଯାଉଛି। ଗତ ମାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୪ଥର ମଣିପୁର ଗସ୍ତ କରି ସ୍ଥିତି ପରଖିଥିଲେ। ସମାଜବାଦୀ ପାର୍ଟି ପକ୍ଷରୁ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରାଯାଇଛି। ତେବେ ବିଭିନ୍ନ ଦଳ ପକ୍ଷରୁ ମଣିପୁର ଗସ୍ତ କରିବାକୁ ଶନିବାର ହୋଇଥିବା ବୈଠକରେ ଦାବି କରାଯାଇଛି। ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ମଣିପୁରର ଇତିହାସ ରହିଛି। ୧୯୯୩ରେ ଏଠାରେ ଘଟିଥିବା ଦଙ୍ଗାରେ ୭୫୦ଜଣଙ୍କର ମୃତ୍ୟୁ ହୋଇଥିଲା। ୧୯୯୭-୯୮ରେ ବି ଏଭଳି ଦଙ୍ଗା ହୋଇଥିଲା।