Odisha news

ରଜରେ ଆମ୍ବ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା, ସ୍ୱାମୀ ଗିରଫ

0

ଧାମନଗର :  ଧାମନଗର ଥାନା ଅନ୍ତର୍ଗତ ଜଳମଣ୍ଡୁଆ ଗ୍ରାମର ଜଣେ ମଦ୍ୟପ ସ୍ୱାମୀ ସାମାନ୍ୟ ଆମ୍ବ ପାଇଁ  ନିଜ ସ୍ତ୍ରୀକୁ ପିଟି ପିଟି ଅମାନୁସିକ ଭାବେ ହତ୍ୟା କରିଥିବା ଜଣାଯାଇଛି ।  ପୋଲିସ ସୂତ୍ରରୁ ଜଣାଯାଇଛି ଯେ ଜଳମଣ୍ଡୁଆ ପଞ୍ଚାୟତ ଯେନା ସାହିର ଚନ୍ଦ୍ରମଣୀ ଯେନାଙ୍କ ପୁଅ କାର୍ତ୍ତିକ ଯେନା ରଜ ପାଇଁ ଘରକୁ ଆମ୍ବ କିଣି ଆଣିଥିଲେ । ରଜ ସଂକ୍ରାନ୍ତିଦିନ ରାତିରେ କାର୍ତ୍ତିକ  ଖାଇ ବସି ସ୍ତ୍ରୀକୁ  ଆମ୍ବ ଦେବାକୁ କହିଥିଲେ । ମାତ୍ର  ପିଲାଏ ସବୁ ଆମ୍ବ ଖାଇ ଦେଇଛନ୍ତି ବୋଲି ସ୍ତ୍ରୀ ସଶ୍ମିତା କହିବାରୁ ନିଶାସକ୍ତ କାର୍ତ୍ତିକ ହଠାତ୍ ଉତ୍କ୍ଷିପ୍ତ ହୋଇ ଏକ ବାଉଁଶ ଫାଳିଆରେ ସ୍ତ୍ରୀକୁ ନିସ୍ତୁକ ପିଟିଥିଲେ । ସ୍ୱାମୀ କାର୍ତ୍ତିକଙ୍କ ମାଡରେ ଘଟଣା ସ୍ଥଳରେ ସଶ୍ମିତା (୨୭) ଙ୍କ ମୃତୁ୍ୟ ଘଟିଥିଲା ।

ସ୍ତ୍ରୀକୁ ମରିଯିବାର ଦେଖି କାର୍ତ୍ତିକର ନିଶା ଛାଡିଯାଇଥିଲା । ପରେ କାର୍ତ୍ତିକ ନିଜେ ସ୍ତ୍ରୀଙ୍କୁ ଏକ ଅଟୋରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଖବର ପାଇ  ଧାମନଗର ଥାନା ଆଇଆଇସି ରତିକାନ୍ତ ଗିରି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ବେଳେ ମଙ୍ଗଳବାର ସଶ୍ମିତାର ଶବ ବ୍ୟବଚ୍ଛେଦ କରି  ତା’ ପରିବାରକୁ ହସ୍ତାନ୍ତର କରିଥିଲେ । ସଶ୍ମିତାର ମା’ ଆରତୀ ବେହେରାଙ୍କ ଅଭିଯୋଗ କ୍ରମେ ଧାମନଗର ଥାନା କେସ ନମ୍ବର ୧୩୪/୨୦ ଓ ଦଫା ୪୯୮ (କ), ୩୦୨, ୩୪, ୪ ଯୌତୁକ ନିରୋଧ ଆଇନ ବଳରେ ମାମଲା ରୁଜୁ କରି ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରିଥିବା ଜଣାଯାଇଛି ।

Leave A Reply