Odisha news

ପାଞ୍ଚଫଡା ଆମ୍ବ ଆଉ ବୋଉ

0

ଦେବେନ୍ଦ୍ର କର : ଆମ୍ବ ବୋଉର ଭାରି ପ୍ରିୟ। ଖଣ୍ଡିଏ ଆମ୍ବରେ ବୋଉର ପୁରା ଭାତ ଥାଳି ଉଠିଯାଏ। ବୋଉ ଯେଉଁ ସବୁ ଆମ୍ବ ମାନଙ୍କ ନା କୁହେ ଆମେ ସେସବୁ ଆଜି ପର୍ଯ୍ୟନ୍ତ ନା ଦେଖି ପାରିଲୁ ନା ଚିହିଁ ପାରିଲୁ। ଆମ ଛୋଟ ବେଳେ ବାପା ଯେବେ ଘରକୁ ଆମ୍ବ ଆଣନ୍ତି ବୋଉ ଗୋଟେ ଆମ୍ବକୁ ପାଞ୍ଚ ଫଡା କରି କାଟିଦିଏ। ସମସ୍ତଙ୍କୁ ସମାନ ଭାବରେ ଖଣ୍ଡେ ଖଣ୍ଡେ ଦିଏ।

ପାତର ଅନ୍ତର ବୋଉ ଜାତକରେ ଲେଖା ନାହିଁ। ହେଲେ ବୋଉ ଥାଳିରେ ମୁଁ ସବୁବେଳ ଖଣ୍ଡେ ଟାକୁଆ ହିଁ ଦେଖେ। ଦିନେ ତା ଥାଳି ରୁ ଟାକୁଆ ଟା ନେଇ ଚାଖିଲି। ବୋପାଲୋ ଯୋଉ ଖଟା ମୋ ପାଟି ଭିତରଟା କଣ ଗୋଟେ ହେଇଗଲା। ଏମିତିରେ ଯଦି ଆମ୍ବଟା ପାକଳ ହୋଇନଥିବ ମଞ୍ଜ ଭାଗଟା ଖଟା ପଡେ। ମତେ ଆଶ୍ଚର୍ଯ୍ୟ ଲାଗେ ବୋଉ ର ଆମ୍ବ ପ୍ରିୟ ହେଲେ ସେ ସବୁବେଳେ ଟାକୁଆ ହିଁ ଖାଏ। ସମସ୍ତଙ୍କ ମନ ଜିଣିବା ଭିତରେ ନିଜ କଥା ମନରୁ ସମ୍ପୂର୍ଣ୍ଣ ପାଶୋରି ଦିଏ। ଏଇଟା ବି ସତ ପାଞ୍ଚ ଫଡା କାଟିବା ପରେ ଟାକୁଆରେ ଆଉ କଣ ବା ଥାଏ। ଦିନେ ମୁଁ କହିଲି ବୋଉ ତୁ ଖଣ୍ଡେ ଭଲ ଆମ୍ବ ନେଉନୁ।

ବୋଉ କହିଲା କଣ ସବୁ ତକ ଏକାଦିନେ ସାରିଦେବା। ଓଷା ବ୍ରତ ଲାଗି ବଜାରରେ ଆମ୍ବ ଦର ଜମାରୁ କମୁ ନାହିଁ। ଅନେକ ଲୋକ ଅଛନ୍ତି ଆମ୍ବ ଋତୁ ସରିଯାଏ ହେଲେ ଖଣ୍ଡେ ବି ଚାଖି ପାରନ୍ତିନି। ଏ ମହଙ୍ଗା ଯୁଗରେ ଯେତେ ଜଗିରଖି ଚଳିବ ସେତେ ଲାଭ। ମୁଁ ବୋଉର ମନ କଥା ବେସ ଭଲ ଭାବରେ ବୁଝି ପାରେ। କାରଣ ବାପାଙ୍କ ସ୍ୱଳ୍ପ ଆୟ ଉପରେ ହିଁ ଆମ ପୁରା ପରିବାର ନିର୍ଭର କରେ। ସ୍ୱଳ୍ପ ଆୟରେ ବାପାବୋଉ ଆମର ଆଶା ଆବଶ୍ୟକତା ଗୁଡିକ ଯଥାତଥା ଭାବରେ ପୂରଣ କରିଦିଅନ୍ତି। ବୋଉ ଯେବେ ବି ବାପାଙ୍କୁ ଆମ୍ବ ଆଣିବା କଥା କହିଛି ବାପା ଚାରି ପାଞ୍ଚ ଦିନ ପରେ ଯାଇଁ ଆଣନ୍ତି। ବୋଉ କିଛି ବି କୁହେନି କାରଣ ବୋଉ ଜାଣିଥାଏ ଡେରି ହେଉ ପଛେ ବାପ ସୁବିଧା ଦେଖି ନିଶ୍ଚୟ ଆଣିବେ।

ପ୍ରତିବର୍ଷ ଖରାଦିନେ ଆମେ ମାମୁ ଘରକୁ ଯାଉ। ବାପା ତାଙ୍କ ଦୋକାନ ଧନ୍ଦା ଲାଗି ଯାଇ ପାରନ୍ତିନି। ମାମୁ ଘରେ ଆମେ ଭାଇଭଉଣୀ ଖୁବ ମଜା କରୁ। ଗାଁରେ ଜଣେ ଦିବାକର ବାବୁ ଥିଲେ। ତାଙ୍କ ବାଡ଼ିରେ ଗୋଟେ ଝଙ୍କାଳିଆ ଆମ୍ବ ଗଛ ଥିଲା। ସେ ଗଛର ଆମ୍ବ ଚିନି ପରିକା ମିଠା। ଦିବାକର ବାବୁ ବୋଉ କୁ ଝିଅ ଝିଅ ଡାକନ୍ତି। ଆମେ ଗଲା ବେଳକୁ ଆମ ଭାଗ୍ୟରେ ମାତ୍ର ଗୋଟିଏ ଦୁଇଟି ଆମ୍ବ ପଡେ। କାରଣ ସେ ଗଛରେ ଆଗୁଆ ଆମ୍ବ କଷି ଧରେ ତାପରେ ଅଦିନିଆ କାଳ ବୈଶାଖୀ ରେ ଗଛରୁ ସବୁ ତକ ଝରି ପଡିଥାଏ।

ବୋଉ ଗଛ ଚାରିପଟେ ଦରାଣ୍ଡି ପକେଇ। ବୋଉ ମନ ଦୁଃଖର ଫେରିଲା ବେଳେ ଦିବା ଅଜା ଦିଟା ଆମ୍ବ ବୋଉ ହାତକୁ ବଢ଼େଇ ଦେଇ କହିବେ ଝିଅଲୋ ନେ ଆମ୍ବ ମୁଁ ଜାଣିଥିଲି ପା ତୁ ଆସିବୁ ବୋଲି। ଘରେ ଏଇ ଦିଟା ଥିଲା ଆଉ ଥିଲେ ଦେଇଥାନ୍ତି। ଏଠି ବି ବୋଉ ଆମର ଆମ୍ବକୁ ପାଞ୍ଚ ଫଡା କରି କାଟିଦିଏ। ସମସ୍ତଙ୍କୁ ବାଣ୍ଟିବୁଣ୍ଟି ନିଜେ ଟାକୁଆ ଖଣ୍ଡେ ଧରେ। ଅଜା ବିରକ୍ତ ହେଇ କୁହନ୍ତି ତୁ ନିଜେ ନଖାଇ ଆମକୁ କାହିଁକି ବାଣ୍ଟୁଚୁ। ଦିବାକର କେଡେ ସରଧାରେ ତତେ ଦେଇଛନ୍ତି। ତୁ ପିଲାବେଳୁ ଆମ୍ବ ପ୍ରିୟ ମୁଁ କଣ ଜାଣିନି। ବୋଉ କଥା ବାଁ ରେ କୁହେ ନାଇଁ ମ ବାପ ଆଗରୁ ଥିଲା ଏବେ ଆଉ ନାହିଁ। ଆଇ କିନ୍ତୁ ଆମ୍ବ କାଟିଲେ ବୋଉ କୁ ତିନି ଚାରି ଖଣ୍ଡ ଦିଏ। ବୋଉ ଆମର ଖୁସି ମନରେ ଖାଇ ଦିଏ।

ସମୟ ସୁଅରେ  ଏବେ ସବୁକିଛି ବଦଳି ଯାଇଛି। ଘର ସଂସାର ବଢ଼ିଲା ନୂଆ ସଦସ୍ୟ ଆସିଲେ। ଆମେ ସଭିଏଁ ନିଜ ନିଜ ଧନ୍ଦାରେ ବ୍ୟସ୍ତ। ଆଗ ପରି ଆମ୍ବ ବେପାରୀ ଙ୍କ ଡାକ ଆଉ ରାସ୍ତାରେ ଶୁଭୁନି।ବୈଶାଖ ଯାଇଁ କେତେବେଳେ ଶ୍ରାବଣ ଆସୁଛି ଖେୟାଲ ରହୁନି। ବୋଉ ର ପସନ୍ଦ ନାପସନ୍ଦ କଥା କିଏ ଆଉ ପଚାରୁଛି।

ପାଞ୍ଚ ଫଡା ଆମ୍ବ କୁ ଖୁସି ରେ ଖୁସିରେ ବାଣ୍ଟି ଦେଇ ଟାକୁଆ ଧରୁଥିବା ଲୋକ ଆଜି ଆଉ ଆମ୍ବ କଥା ତୁଣ୍ଡରେ ଧରୁନି। ଟାକୁଆରେ କଣ ବୋଉ ର ମନବୋଧ ହେଇଗଲା ନା ବୟସ ବଢିଲେ ଆଗ୍ରହ ରୁଚି ତୁଟି ଯାଏ। ବୋଉ ନା ଏବେ ଆମ ମାନଙ୍କୁ ତା ପ୍ରିୟ ଫଳ କଥା କହୁଛି ନା ବାପାଙ୍କ ହାତରେ କେବେ ମଗଉଛି। ବୋଉ ଟା ଆମର ତ୍ୟାଗୀ ଲୋକ। ପିଲାମାନଙ୍କର କାଳେ ଖର୍ଚ୍ଚ ହେଇଯିବ କୋଉଠି ଆମକୁ ନିଅଣ୍ଟ ପଡିଯିବ ସେଇ ଲାଗି ସେ ସବୁବେଳେ ସତର୍କ। ପୁରା ପରିବାରକୁ ପେଟ ପୁରା ଖୁଆଇ ନିଜେ ଆଖିଆଅପିଆ ରହିବା ଲୋକ । ଆମ ସୁଖରେ ସେ ସୁଖୀ ଆମ ଦୁଃଖରେ ବି ସେ ଦୁଃଖୀ। ପ୍ରତି କ୍ଷଣରେ ନିଜ ଆଶା ଆକାଂକ୍ଷା କୁ  ଛାତି ତଳେ ଚାପି ଆମର ଶୁଭ ମନାଷୁ ଥାଏ।
ସେଦିନ ଶନିବାର ଅଫିସ ରୁ ଫେରୁ ଥାଏ। ରାସ୍ତ କଡରେ ଚାରି ପାଞ୍ଚଟି ଆମ୍ବ ବେପାରୀ ପସରା ମେଲି ଦେଇଥିଲେ। ଆମ୍ବ ଉପରେ ନଜର ପଡୁ ପଡୁ ମନେ ପଡିଗଲା ଆରେ ସବୁ ବର୍ଷ ପରି ଏ ବର୍ଷ ବି ଆମ୍ବ ୠତୁ ଆସି ଗଲାଣି ନା କଣ। ଚଟାପଟ ଧାଇଁଗଲି ଆମ୍ବ ଵାଲା ପାଖକୁ। ମୁଁ କେବଳ ଗୋଟିଏ ଆମ୍ବ ଚିହ୍ନେ ବାଇଗଣ ପଲେଇ। ମତେ ଦେଖୁ ଦେଖୁ ସମସ୍ତେ ଡାକ ପକେଇଲେ। ତାଙ୍କ ଭିତରୁ ଜଣେ ବୟସ୍କ ବେପାରୀ ଦୁଇ ପ୍ରକାର ଭେରାଇଟି ରଖିଥିଲା ମୁଁ ତାରି ପାଖକୁ ଯାଇ ହାବୁଡ଼ିଲି। ଦୁଇ ପ୍ରକାର ଆମ୍ବ କିଲେ କିଲେ ଧରି ଘରକୁ ଫେରିଲି।।

ବୋଉ ଦେଖୁ ଦେଖୁ କହିଲା ଆରେ ଏଗୁଡା କେତେ ପଇସା ଦେଇ ଆଣିଲୁ। ତୋ ପାଖରେ ପଇସା ଥିବ ନ ଥିବ। ମୁଁ କହିଲି ବୋଉ ନେ ରଖିଥା ତୋ ପାଇଁ ସବୁତକ। ସରିଲେ ମତେ କହିବୁ। ଖିଆପିଆ ପର୍ବ ଆରମ୍ଭ ହେଲା। ବୋଉ ଖାଇଲା ଟିକେ ଡେରିରେ। ସେଦିନ ପରି ଆଜି ବି ତା ଥାଳିରେ ଟାକୁଆଟେ ଦେଖିଲି। ବୋଉ ଆଜି ବି  ପାଞ୍ଚ ଫଡାରେ ପାଞ୍ଚ ମନ ଜିଣିବାକୁ ପ୍ରୟାସ କରୁଥିଲା। ମନଟା ସମ୍ଭାଳିଲାନି ଉଠିପଡ଼ି ଗୋଟିଏ ଆମ୍ବ ଧୋଇ ଆଣିଲି। ନିଜ ହାତରେ କାଟି ବୋଉ ଥାଳିରେ ରେ ଦିଟା ବଡ ବଡ ଖଣ୍ଡ ଦେଲି। ବୋଉ ନାକ ଟେକିଲା କଥା ବାଁରେଇଲା। ମୁଁ କହିଲି ବୋଉଲୋ ଆମ୍ବ ଵାଲା କହିଛି ଆଜି ନେଉଛ ଆଜି ସାରିଦେବ କାଲିକି ଇଏ ରହିବନି। ଏ କଥାରେ ବୋଉ ଭାରି ହସିଲା ଆଉ କହିଲା ତୁ ମତେ ଆଉ ଶିଖାନା। ବୋଉ ମୁହଁରେ ହସ ଦେଖି ମୁଁ ବି ଖୁବ ହସିଲି।

Leave A Reply