ହିମାଂଶୁ ଶେଖର ଆ ଚାର୍ଯ୍ୟ : ଭାରତର ମୁକ୍ତି ସଂଗ୍ରାମ ଅନେକ ଲୁହ ଓ ଲହୁର କଥା କୁହେ । ଏହି ସଂଗ୍ରାମରେ ଅନେକ ସଂଗ୍ରାମୀ ଲାଠିମାଡ ଖାଇଛନ୍ତି, ଜେଲ ଜାଇଛନ୍ତି, ସହିଦ ମଧ୍ୟ ହୋଇଛନ୍ତି । ଏହି ସ୍ୱଧୀନତା ସଂଗ୍ରାମରେ ଓଡିଶାର ଭୂମିକା ମଧ୍ୟ କୈାଣସି ଗୁଣରେ କମ୍ ନଥିଲା । ବିଶେଷ କରି ଏହି ମୁକ୍ତି ସଂଗ୍ରାମ କଥା ଉଠିଲେ ଓଡିଶାର ଏମିତି ଏକ ପରିବାରର କଥା ଉଠେ ଯେଉଁ ପରିବାର ଦେଶକୁ ସ୍ୱାଧୀନ କରିବା ଲାଗି ନିଜର ସର୍ବସ୍ୱ ଜଳାଞ୍ଜଳି ଦେଇଥିଲେ । ସମ୍ଭ୍ରାନ୍ତପଣ ଓ ଜମିଦାରୀ ଥାଟ୍ଟକୁୁ ଆଡେଇଦେଇ ଏହି ପରିବାର ଦେଶର ସ୍ୱରାଜ୍ୟ ପାଇଁ ନିଜକୁ ଯେତିକି ସମର୍ପି ଦେଇଥିଲେ,ଓଡିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ସେତିକି ସମର୍ପିତ ଥିଲେ । ଏହି ପରିବାର ହେଉଛି ଜଗତସିଂହପୁରର “ଚୌଧୁରୀ ପରିବାର” । ଏହି ପରିବାରର ମୁଖିଆ ଥିଲେ ଗୋକୁଳାନନ୍ଦ ଚୌଧୁରୀ,ସେତେବେଳର ପ୍ରତିଷ୍ଠିତ ଆଇନଜୀବୀ ଓ ବିଶିଷ୍ଟ ଜମିଦାର । ମାଳତୀ ଚୌଧୁରୀ ଥିଲେ ଏହି ପରିବାରର ସାନ ବୋହୂ । ଏକାଧାରରେ ସେ ଥିଲେ ମହାନ୍ ଦେଶପ୍ରେମୀ, ଆଦର୍ଶ ସହଧର୍ମିଣୀ, ସୁଦକ୍ଷା ସଂଗଠିକା ଓ ସର୍ବୋପରି ଦରିଦ୍ର,ନିରନ୍ନ ଓ ବୁଭୁକ୍ଷୁ ମଣିଷର ସୁଖଦୁଃଖର ସାଥୀ ।
ଏହି ମହିୟସୀ ମହିଳା ୧୯୦୪ ମସିହା ଜୁଲାଇ ୨୬ ତାରିଖରେ କଲିକତା ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସେତେବେଳର ପାଟନା ହାଇକୋର୍ଟର ସୁନାମଧନ୍ୟ ବାରିଷ୍ଟର କୁମୁଦନାଥ ସେନ୍ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ହେଲେ ଜଗତସିଂହପୁର ଖେରସ ଗ୍ରାମର ଚୌଧୁରୀ ପରିବାରର କୁଳବଧୂ ଓ ମହାନ ଦେଶଭକ୍ତ ଓ ରାଷ୍ଟ୍ରନୀତିଜ୍ଞ ନବକୃଷ୍ଣ ଚୌଧୁରୀଙ୍କ ଧର୍ମପନôୀ । ବାଲ୍ୟକାଳରୁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର, ବାପୁ ମହାତ୍ମା ଓ ସନ୍ଥ ବିନୋବାଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କ ତ୍ୟାଗ ଓ ଆଦର୍ଶରେ ନିଜକୁ ଗଢି ନେଇଥିଲେ । ସେହିପରି ପରେ ବଡ଼ ଯା’ ରମାଦେବୀ, ଦେଢଶୁର ଗୋପବନ୍ଧୁ ଚୌଧୁରୀ, ସ୍ୱାମୀ ନବକୃଷ୍ଣ ଚୌଧୁରୀଙ୍କ ଆଦର୍ଶ ତାଙ୍କୁ ଜଣେ ସଫଳ ନାରୀନେତ୍ରୀ ହେବାରେ ଯଥେଷ୍ଟ ସହାୟକ ହୋଇଥିଲା । ଆଉ ତା’ ପରର ଘଟଣା ଥିଲା ଏକ ସ୍ୱର୍ଣ୍ଣାଭ ଇତିହାସ ।
୧୯୨୭ ମସିହା ଜୁଲାଇ ୨୭ ତାରିଖରେ ବଙ୍ଗୀୟ ବ୍ରାହ୍ମକନ୍ୟା ମାଳତୀ ନବକୃଷ୍ଣ ଚୌଧୁରୀଙ୍କୁ ବିବାହ କଲାପରେ ତାଙ୍କର ଜୀବନର ଗତିପଥ ବଦଳି ଯାଇଥିଲା । ଏହାପରେ ସେ ମାଳତୀ ସେନ୍ରୁ ମାଳତୀ ଚୌଧୁରୀ ହୋଇ ଏକ ମହାନ ବିପ୍ଳବିଣୀ ମହିଳା ରୂପେ ଆତ୍ମପ୍ରକାଶ କରିଥିଲେ । ଦାମ୍ପତ୍ୟ ସୁଖକୁ ପଛରେ ପକାଇ ମାଳତୀ ଚୌଧୁରୀ ଜମିଦାର ଉଆସ ଛାଡି ତରିକୁନ୍ଦ ଠାରେ ଥିବା କୃଷି ଫାର୍ମରେ ଯାଇ ରହିଲେ । କଲିକତାର ସୁନାମଧନ୍ୟ ବାରିଷ୍ଟରଙ୍କ ଝିଅ ମାଳତୀଙ୍କ ପାଇଁ ନା ସେଠାରେ ଥିଲା ଗାଧୁଆଘର ନା ପାଇଖାନା । ଆଦର୍ଶ ପନôୀ ଥିଲେ ସେ । ସେଠାରେ ସ୍ୱାମୀ ନବକୃଷ୍ଣଙ୍କ ସହ ମିଶି ଚଳିବାରେ ମାଳତୀ ଦେବୀଙ୍କର କୌଣସି ଆପତ୍ତି ନଥିଲା । ଏହି କୃଷି ଆଶ୍ରମରେ ମାଳତୀ ଦେବୀ ସ୍ୱାମୀଙ୍କ ସହ ମିଶି କୃଷିକାର୍ଯ୍ୟ ଆରମ୍ଭ କରିଥିଲେ । ଏଥସହିତ ନୈଶ୍ୟ ବିଦ୍ୟାଳୟ ସ୍ଥାପନ, ଅସ୍ପୃଶ୍ୟତା ନିବାରଣ ଓ ଯୁବ ସଂଗଠନ ଆଦି କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରିଥିଲେ ସେ । ସ୍ୱାମୀ ସ୍ତ୍ରୀ ଉଭୟେ କିଛିଦିନ ଏହି ଫାର୍ମରେ ରହିବା ପରେ ତରିକୁନ୍ଦ କୃଷିଫାର୍ମକୁ କର୍ମୀସଂଘକୁ ଦାନ କରିଦେଇଥିଲେ । ମାଳତୀ ଦେବୀ ନିଜର ସମସ୍ତ ସୁନା ଗହଣାକୁ ସଂଘ ହାତରେ ଅର୍ପଣ କରିଦେଇଥିଲେ । ଏଥିରୁ ମିଳିଥିବା ଟଙ୍କାରେ କଂଗ୍ରେସ ସମାଜବାଦୀ କର୍ମୀସଂଘର ମୁଖପତ୍ର ‘ସାରଥୀ’ ପତ୍ରିକା ପ୍ରକାଶିତ ହୋଇଥିଲା । ୧୯୩୪ରେ ଏହି ସଂଘ ସର୍ବ ଭାରତୀୟ କଂଗ୍ରେସ ଦଳରେ ମିଶିଯାଇଥିଲା ।
୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମାଗାନ୍ଧୀ ଲବଣ ସତ୍ୟାଗ୍ରହ ଡାକରା ଦେଲେ । ଓଡ଼ିଶାର ଇଞ୍ଚୁଡି ଓ କୁଜଙ୍ଗରେ ଏହି ଲବଣ ଆଇନ ଭଙ୍ଗକରି ମାଳତୀ ଚୌଧୁରୀ ଜେଲ୍ ଗଲେ । ଏହାପରେ ବିଦେଶୀ ଦ୍ରବ୍ୟ ବର୍ଜନ, ନିଶା ନିବାରଣ ଓ ଗାଁ ଗାଁ ବୁଲି ସତ୍ୟାଗ୍ରହ କାର୍ଯ୍ୟ କରିବା ଯୋଗୁ ସେ ବନ୍ଦୀ ହୋଇ ପୁଣି ଛ’ ମାସ ପାଇଁ ଶିଶୁକନ୍ୟା ଉତ୍ତରା ସହ ଭାଗଲପୁର ସେଣ୍ଟ୍ରାଲ୍ ଜେଲ୍ରେ ରହିଲେ । ୧୯୩୧ ମସିହା ଗାନ୍ଧୀ-ଇରୱିନ୍ ଚୁକ୍ତିରେ ମାଳତୀ ଦେବୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୁନଶ୍ଚ ୧୯୩୨ରେ ଗିରଫ ହୋଇ ଶିଶୁପୁତ୍ର ବିନାୟକ ସହ ହଜାରିବାଗ୍ ଜେଲ୍ରେ ରହିଥିଲେ । ୧୯୪୨ ମସିହା ଭାରତଛାଡ଼ ଆନେ୍ଦାଳନରେ ଯୋଗଦେବାରୁ ବ୍ରିଟିଶ୍ ସରକାର ତାଙ୍କୁ ଅଟକବନ୍ଦୀ କରି ରଖିଥିଲେ ।
ସେତିକିବେଳେ ତାଙ୍କ ବଡଝିଅ ଉତ୍ତରା ମାତ୍ର ୧୫ ବର୍ଷ ବୟସରେ ଭାରତଛାଡ ଆନେ୍ଦାଳନରେ ଯୋଗଦେଇ କାରାବରଣ କରିଥିଲେ ।
୧୯୪୨ରେ ଜେଲ୍ରୁ ମୁକ୍ତି ପାଇବା ପରେ ଦୁସ୍ଥ, ଦରିଦ୍ର, ଆଦିବାସୀ ଓ ଅନାଥ ଶିଶୁଙ୍କ ସେବା କରିବା ପାଇଁ ମାଳତୀ ଚୌଧୁରୀ ଅନୁଗୁଳ ଠାରେ ଆରମ୍ଭ କରିଥିଲେ ବାଜିରାଉତ ଛାତ୍ରାବାସ । ବାଜିରାଉତଙ୍କ ସ୍ମୃତିରେ ଆରମ୍ଭ ଏହି ଛାତ୍ରାବାସରେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସେ । ନବବାବୁ ଓ ମାଳତୀ ଦେବୀ ଏହି ଛାତ୍ରାବାସର ବାପାମା’ ସଦୃଶ ଥିଲେ । ଏହି ଛାତ୍ରାବାସରେ ସେ ଦୁହେଁ ବାପି ଓ ନୁମା ନାମରେ ପରିଚିତ ଥିଲେ । ଦେଶ ସ୍ୱାଧୀନ ହେବାପରେ ମଧ୍ୟ ସେ ଆଦିବାସୀ ସେବା, ନାରୀ ଜାଗରଣ, କର୍ମୀ ତାଲିମ୍ ଆଦି କାର୍ଯ୍ୟକ୍ରମ କରିବା ସଙ୍ଗେ ସଙ୍ଗେ ଅନ୍ୟାୟ ଓ ଅନୀତି ବିରୋଧରେ ଜୀବନପଣ କରି ଲଢୁଥିଲେ । ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବି ମାଳତୀ ଦେବୀ ନିଜର କର୍ମକ୍ଷେତ୍ର ବାଜିରାଉତ ଛାତ୍ରାବାସ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ହୋଇ ରହିଥିଲେ । ଆଦିବାସୀଙ୍କ ମଧ୍ୟରୁ ଅଜ୍ଞାନ ଓ ଦାରିଦ୍ର୍ୟ ଦୂର କରିବା ପାଇଁ ଏବଂ ସେମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ଓ ଶୋଷଣକୁ ବନ୍ଦ କରିବା ପାଇଁ ସେ ଉକôଳ ନବଜୀବନ ମଣ୍ଡଳ ଗଢିଥିଲେ ।
ଜଣେ ବିପ୍ଳବିଣୀ ଭାବେ ଦେଶର ସ୍ୱାଧୀନତା ଆନେ୍ଦାଳନରେ ଅଂଶଗ୍ରହଣ କରିବା ସହିତ ସମାଜରୁ ଦୁର୍ନୀତି, ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବାରେ ମାଳତୀ ଦେବୀଙ୍କ ଦୃଢତା ତାଙ୍କୁ ଓଡ଼ିଶା ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଦେଇଛିା ଖଟିଖିଆ ମଣିଷ, ଦରିଦ୍ର ଚାଷୀ ଓ ମଜଦୁର ହୃଦୟରେ ପ୍ରାଣ ସଂଚାର କରିବା ଥିଲା ତାଙ୍କ ଜୀବନର ବ୍ରତ । ଅର୍ଦ୍ଧଶତାବ୍ଦୀରୁ ଉଦ୍ଧ୍ୱର୍ କାଳଧରି ମାନବ ସେବାରେ ନିଜକୁ ସେ ଉତ୍ସର୍ଗୀକୃତ କରିଛନ୍ତି । ସ୍ନେହ, ଆଦର ଓ ସେବାଯନô ଯୋଗୁଁ ତାଙ୍କୁ ୧୯୮୭ରେ ଜାତୀୟ ପୁରସ୍କାର ମିଳିଥିଲା । ମହିଳା, ଶିଶୁକଲ୍ୟାଣ ଓ ଉନ୍ନୟନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୮୮ରେ ତାଙ୍କୁ ଯମୁନାଲାଲ ବଜାଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଏସବୁ ଅର୍ଥକୁ ସେ ମାଳତୀ ଦେବୀ – ନବକୃଷ୍ଣ ଟ୍ରଷ୍ଟ ଗଠନରେ ବିନିଯୋଗ କରିଥିଲେ । ୧୯୯୫ରେ ଉକ୍ରଳ ସମ୍ମାନ ଓ ୧୯୯୮ରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ସମ୍ମାନ ‘ଦେଶୀକୋତ୍ତମ’ ଉପାଧିରେ ତାଙ୍କୁ ଭୂଷିତ କରାଯାଇଥିଲାା
୧୯୯୮ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ମହୀୟସୀ ମହିଳା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବାଜିରାଉତ ଛାତ୍ରାବାସରେ ।ମରିବି ସେ ଆଜି ଅମର । ଏହି ଜାତି ତାଙ୍କୁ ସବୁଦିନେ ମନେ ରଖିବ । ହେଲେ କ୍ଷୋଭର ବିଷୟ ତାଙ୍କ ପ୍ରଦର୍ଶିତ ମାର୍ଗ ଓ ଉତ୍ସର୍ଗୀକୃତ ଜୀବନର ଆଦର୍ଶ ଇତିହାସର ପାଣ୍ଡୁଲିପି ହୋଇ ରହିଛି । ସେ ପାଣ୍ଡୁଲିପିକୁ ପଢିବାର ଅଛି ଓ ତାର ସାରମର୍ମକୁ ବୁଝିବାର ଅଛି ।