ଗାଳ୍ପିକ କେଶବ ଚନ୍ଦ୍ର ନାୟକ : ଗୌଡ ଗୁଡା ଏକ ଆଦିବାସୀ ଗାଁ ! ମାଲକାନଗିରି ନିକଟରେ ଅବସ୍ଥିତ ! ଅଧିକାଂଶ କୋୟା ଜନ ଜାତିର ଲୋକମାନେ ଏହି ଗାଁରେ ବସବାସ କରନ୍ତି !ପ୍ରତ୍ଯେକ ଜନଜାତି ଗାଁର ସ୍ବତନ୍ତ୍ର ପରିଚୟ ଅଛି !ସେଇ ପରି ଗୌଡଗୁଡା !ଗାଁର ପରିବେଶଟି କିଛି ତାଳ ଗଛ ଧାଡି ଧାଡି;ଖଜୁରୀ ଗଛ ଚାରିଆଡେ ଦେଖିବାକୁ ମିଳେ;ଗାଁ ଦାଣ୍ଡର କଡେ କଡେ ବଡ ବଡ ତେନ୍ତୁଳି ଗଛ,ପୁରୁଣା କାଳିଆ ଦେଶୀ ଆମ୍ବ ଗଛ କେତୋଟି କେଉଁ ଅତୀତ କାଳର ସ୍ବାକ୍ଷର ବହନ କରୁଛି ! ଗାଁ ପାଖା ପାଖି ଧାନ ବିଲ ! ଖାଲ ଜମିରେ ବର୍ଷା ଦିନେ ପାଣି ଜମେ ! ଆଦିବାସୀ ଭାଷାରେ ମୁଣ୍ଡା ଜମି କହନ୍ତି ! ଏଇ ଜମିରେ ଧାନ ହୁଏ ନି କାରଣ ,ଖାଲୁଆ ଜମିରେ ଗାଁର ସବୁ ପାଣି ପଶି ଛୋଟିଆ ପୋଖରୀ ପାଲଟି ଯାଏ;ଧାନ ବୁଣିଲେ କି ରୋଇଲେ କିଛି ହୁଏ ନି !ଧାନ ନ ହେଲା ନାଇଁ !ସେଥି ପାଇଁ ଚିନ୍ତା ନାଇଁ ! ବର୍ଷା ଚାରି ମାସ ମୁଣ୍ଡା ଜମିରେ ପାଣି ଜମେ ! କେରାଣ୍ଡି,ଦଣ୍ଡେଇ,ଗଡିଶା,ଚେଂଗ,କଉ, କଣ୍ଟିଆ ମାଛ ପାଣିରେ ହାଉ ଯାଉ ହୁଅନ୍ତି ! ସେଇ ମୁଣ୍ଡାରୁ ମାଛ ଧରି ନିଜେ ତରକାରୀ କରି ଖାଇବାକୁ ପଡେ ! କିଛି ଦାନ ପୂଣ୍ଯରେ ଯାଏ !ପାଣି ଶୁଖିବା ପୂର୍ବରୁ ମୁଣ୍ଡାରୁ ପାଣି ଖଲି କରି ସବୁ ମାଛ ଧାରା ହୁଏ ! ବେଶି ମାଛ ହେଲେ ପୋଡି ସାଇତା ଯାଏ ! ଆଦିବାସୀ ନୁନୀମାନେ ସ୍ଥାନୀୟ ହାଟ ବଜାରରେ ପୋଡା ଶୁଖୁଆକୁ ଦନା(ପତର ଠୁଙ୍ଗା)ରେ ଭାଗ ପକେଇ ବିକନ୍ତ! ଯୁଗ ଯେତେ ଆଗଉ ପଛେ ଆଦିବାସୀଂକ ଯାଏ ଆସେ କେତେ ? ସେମାମଂକ ନୁନୀମାନେ କି ଧଙ୍ଗିଡୀମାନେ ଫଳ ମୂଳ କି ପନି ପରିବା ଯାହା ବି ହାଡକୁ ବିକି ଆଣନ୍ତି କେବେ ନିକିତିରେ ଓଜନ କରି ଦିଅନ୍ତି ନାହିଁ !ସବୁ ଜିନିଷକୁ ଭାଗ ଭାଗ କରି ବିକନ୍ତି ! ଏମିତି ଆଦିବାସୀ ସମାଜର ନିଆରା ପରମ୍ପରା ରହଛି !
ମାଛ ଜଗିବା ପାଇଁ ମୁଣ୍ଡା ଜମି ହିଡରେ ଲାଡି(କୁଡିଆ) ତିଆରି ହୁଏ !ଜଙ୍ଗଲରୁ ଖୁଣ୍ଟି ଖମ୍ବ ଆଣାଯାଇ ଲାଡି ବନାଯାଏ !ଉପର ଛାଉଁଣି ବରଡା ପତର !ଲାଡିରେ ଭାଡି ହୁଏ ! ଭାଡି ଉପରେ ଶୋଇବାକୁ ପଡେ !ମାଲକାନଗିରି ଜିଲ୍ଲାର ସବୁ ଆଦିବାସୀଂକ ମୁଣ୍ଡା ଜମିରେ ଲାଡି ତିଆରୀ ହୁଏ ! ଏହା ଏକ ଆଦିବାସୀ ଜମିର ସଂକେତ ! ଯେ କୌଣସି ଫସଲ ଅମଳ ବେଳେ ରାତ୍ର ଜଗିବାକୁ ହୁଏ ଲାଡିରେ ! ମାଲକାନଗିରି ଅଞ୍ଚଳରେ ବାରାହ ଓ ଭାଲ୍ଲୁ ସଂଖ୍ଯା ବେଶୀ !ବାରାହ କି ଭାଲ୍ଲୁ ଫସଲ ନଷ୍ଟ କରିଦେବେ ! ଏଣୁ ରାତିରେ ବଣ୍ଯ ଜନ୍ତୁମାନଙ୍କୁ ଘଉଡାଇବାକୁନ ପଡେ ! ଭାଡି ନକଲେ ରାତିରେ ଶୋଇଲେ ବିପଦ,ଜଂଗଲିଆ ଜାଗା ତଳେ ଶୋଇଲେ ବିଷାକ୍ତ ସାପ କାମୁଡିବାର ଭୟ ବେଶୀ ଅଛି ! ଭାଲ୍ଲୁ କି ବାରାହ କାମୁଡିବାର ସମ୍ଭାବନା ଅଧିକ !ମାଲକାନଗିରି ଜିଲ୍ଲାରେ ଭାଲ୍ଲୁ ସଂଖ୍ଯା ବେଶୀ ! ମହୁଲ ଗୋଟା ସମୟରେ ଭାଲ୍ଲୁର ଚଳ ପ୍ରଚଳ ସର୍ବତ୍ର ଦେଖିବାକୁ ମିଳେ !ସକାଳେ ମହୁଲ ବେଟିବାକୁ (ଗୋଟେଇବା) ଆଦିବାସୀ ନୁନୀମାନେ, ଟୁକୁଲୀମାନେ ଗଲାବେଳେ ଭାଲ୍ଲୁ ସାଂଗରେ ମୁହାଁ ମୁହିଁ ହୋଇ ଆକ୍ରମଣର ସମ୍ମୁଖିନ ହୁଅନ୍ତି !ଧାନ ଅମଳ ସମୟରେ ମଧ୍ଯ ବିଲମାଳରେ ଭାଲ୍ଲୁ ,ବରାହ ସହ ଆଦିବାସୀ ଲୋକମାନଂକ ଭେଟା ଭେଟି ହେବାକୁ ପଡେ ! ବହୁ ଜାଗାରେ ଭାଲୁ ସହ ଗୋଟେ ଘମା ଘୋଟ ଲଢେଇ ହେବାର ଶୁଣିବାକୁ ମିଳେ !କେବେ ଭାଲ୍ଲୁ ମଣିଷକୁ କାମୁଡେ ତ ମଣିଷ ଭାଲ୍ଲୁକୁ ପିଟି ଘଉଡାଇ ଦିଏ !ସବୁ ଠାରୁ ମାଈ ଭାଲ୍ଲୁ ସହିତ ଛୋଟ ଛୁଆ ଥିଲେ ବଡ ଆକ୍ରମଣାତ୍ମକ ଘଟଣା ଘଟେ ! ମାଈ ଭାଲ୍ଲୁ ସେ ସହଜରେ ହାବୁଡ ପଡିଲେ ଛାଡେ ନାହିଁ !
ପ୍ରତି ହିଂସା ପରାୟଣ ହୋଇ ମଣିଷକୁ ଆକ୍ରମଣ କରେ! ତଥାପି କୋୟାମାନେ ସାହାସୀ ! ସଂଘର୍ଷ କରି ଜୀବନ ନିର୍ବାହ କରିବାର ଜାଣନ୍ତି ! ସେମାନେ ହିଂସ୍ର ଜନ୍ତୁଂକୁ ଡରି କ’ଣ ଜଂଗଲ ଛାଡି ଦେବେ କି ? ଜଂଗଲ ପରା ଆଦିବାସୀଂକ ମାଆ ଆଉ ସେମାନଂକ ଜୀବନ ଜୀବୀକା !କୋୟାମାନେ କଟିରେ ଖଣ୍ଡେ କଛା ବା ଲେଙ୍ଗୁଟି ପିନ୍ଧନ୍ତି ! ମୁକୁଳା ଓସାରିଆ ଛାତି ! ପିଚା ଦି’ଟା ବାହାରକୁ ଖୋଲା ରହେ !କାଳିଆ କାଳିଆ ବଳିଷ୍ଠ ଚେହେରା !ମୋଟା ମୋଟା ନିସ !ଲମ୍ବା ଲମ୍ବା କେଶ ଗୁଛ !ଚୁଟିକୁ ବନ୍ଧା ହୁଏ ସୁତା କି କପଡା ଧଡିରେ !ବେକରେ ରସର ବଳା !କାନ ପାଖରେ ଖୁଞ୍ଚା ହୁଏ ଅଧା ଜଳା ପିକା ! କାନ୍ଧରେ ଖଣ୍ଡେ ବାଉଁଶ ନିର୍ମିତ ଧନୁ ଆଉ ଟାଙ୍ଗିଆ;ହାତରେ କେତୋଟି ତୀର ଶୋଭପାଏ!ଏହା ହିଁ ଆଦିବାସୀ କୋୟାର ପରିଚୟ!ଘରୁ ବିଲ କି ବଣ ବୁଦାକୁ ବାହାରିଲେ କୋୟାମାନେ ଏମିତି ବେଶଭୁଷାରେ ଯାଆନ୍ତି !କାଳେ ଜଂଗଲିଆ ରାସ୍ତାରେ ହିଂସ୍ର ଜନ୍ତୁ ସହ ଭେଟକାଟ ହୋଇ ପାରେ !କୋୟାମାନେ ହେଟା ବାଘ,ଭାଲ୍ଲୁ,ବାରହ କବଳରୁ ନିଜକୁ ସୁରକ୍ଷା ପାଇବା ପାଇଁ ଅସ୍ତ୍ର ଶସ୍ତ୍ରରେ ପ୍ରସ୍ତୁତ ହୋଇଥାନ୍ତି ! ଜୀବନ ରକ୍ଷା ପ୍ରଥମ କାର୍ଯ୍ଯ !ତାପରେ ଅନ୍ଯ କିଛି !
ଆଦିବାସୀମାନଂକ ବିଲ ମାଳରେ ମାଳ ମାଳ ମହୁଲ ଗଛ ! ପ୍ରତି ବର୍ଷ ଗଛରେ ମହୁଲ ଫୁଲ ଫୁଟେ ! ଫୁଲ ଫୁଟି ତଳେ ଟପ୍ ଟପ୍ ଝରେ!ବସନ୍ତ ଋୁତୁରେ ପତ୍ର ଝଡା ଦିଏ ଗଛର ବୁଢା ପାଚିଲା ପତ୍ର ସବୁ !ମାସ ସାରା ମହୁଲ ଗଛ ମୂଳେ ଶୁଖୁଲା ପତ୍ର ବହଳ ଓସାରରେ ପଡିଥାଏ !ମହୁଲ ଫୁଲ ଶୁଖିଲା ପତ୍ର ଉପରେ
ବର୍ଷା ପରି ଟପ୍ ଟପ୍ ପଡେ !ଶୁଣିବାକୁ ଖୁବ ଭଲ ଲାଗେ !ମହୁଲରେ ଗଛରେ ଫଲ ଆସିଲେ ବହୁତ ସୁନ୍ଦର ଦିଶେ ! ଗଛରେ ଗୋଚେ ବି ପତ୍ର ନଥାଏ !ଗଛ ସାରା ମହୁଲ ଫୁଲର ଝୁମ୍ପା ! ସେହି ମହୁଲ ଫୁଲ ସଂଗ୍ରହ କରିବାକୁ ନୁନୀମାନେ,ଧାଂଗିଡିମାନେ ,ଟୁକିଲମାନେ ଦଳ ଦଳ ହୋଇ ଯାଆନ୍ତି !ତାକୁ ଆଣି ଗାଁରେ ଯିଏ ଯାହାର ଦାଣ୍ଡରେ ପଟି ପାରି ଶୁଖାନ୍ତି ! ଶୁଖି ଗଲା ପରେ ମହୁଲ ଫୁଲ ବିକ୍ରି ହୁଏ ! ସାହୁକାରମାନେ ମହୁଲ ଫୁଲକୁ ସାପ୍ତାହିକ ହାଟରୁ ଆଦିବାସୀଂକ ଠାରୁ ସଂଗ୍ରହ କରନ୍ତି ! କେହି କେହି ଆଦିବାସୀ ଗାଁ କୁ ଗାଁ ବୁଲି ବୁଲି ମହୁଲ ସଂଗ୍ରହ କରନ୍ତି ! ଆଦିବାସୀମାନେ ନିଜ ପାଇଁ କିଛି ମହୁଲ ରଖି ଥାନ୍ତି !କାରଣ ମହୁଲରୁ ମହୁଲୀ ମଦ ତିଆରି ହୁଏ ! ମହୁଲୀ ହେଉଛି ଆଦିବାସୀଂକ ପ୍ରିୟ ପାନୀୟ ! ଦୈନିକ ମହୁଲୀ,ପେଣ୍ଡ ପିଇବାକୁ ପଡେ ! ବାର ମାସରେ ଯେତେ ପରବ ପଡେ ମହୁଲୀ ମଦ ଉପରେ ନିର୍ଭର !ବିନା ମହୁଲୀ,ବିନା ଜଂଗଲୀ ମାଉଁସରେ କି ପରବ ! ପିଲାର ଜନ୍ମ ଦିନରେ,ବାହା ପୁଆଣିରେ,ପର୍ବ ପର୍ବାଣୀରେ ମହୁଲୀ ବିନା ଉତ୍ସବ ଜମେ ନାହିଁ !ମହୁଲୀ ପିଇ ନାଚ ଗୀତ ହୁଏ ! ମାଦଲର
ନାଦରେ ଧାଂଗିଡୀମାନେ ନାଚନ୍ତି ! କୋୟା ପୁରୁଷମାନେ ମୁଣ୍ଡରେ
ଗୟଳ ଶିଘଂର ମୁକୁଟ ପିନ୍ଧନ୍ତି !ମୁକୁଟର ଆଗରେ କଉଡି ମାଳ ମାଳ ଝୁଲୁ ଥାଏ ! ମୁକୁଟ ଉପରେ କେରାଏ ପକ୍ଷୀର ପର ! ଲମ୍ବା ଲମ୍ବା ମାଦଲ ! ଏକ ପାଖେ ହାତରେ ଓ ଅନ୍ଯ ପାଖେ ଛୋଟିଆ କାଠିରେ ବାଦ୍ଯ ନାଦ କରାଯାଏ !କୋୟା ତରୁଣୀମାନେ ଦଳ ବଦ୍ଧ ହେୀଇ ଢେମସା ନାଚ ନାଚନ୍ତି ! ଧାଂଗିଡୀମାନଙ୍କ ମଧୁର କଣ୍ଠରୁ କେତେ ପ୍ରେମର କବିତା ଛୁଟେ,କେତେ ବିରହ ସଂଗୀତର ମୁର୍ଛନା ତୋଳେ ! ଧଂଗଡା ଧାଂଗିଡୀର ପ୍ରେମ ସଂଗୀତରେ ମତୁଆଲା ହୁଏ ବନ ଭୂମୀ ! ପ୍ରେମ ନିବେଦନ କରେ ! ଭଲ ପାଇବାର ମନ ଦିଆ ନିଆର ମାଧ୍ଯମ ପାଲଟେ ମହୁଲୀ ରସ!ମହୁଲୀ ବି ପୂଜାରେ ଲାଗେ !ମହୁଲୀ ଟୋପେ ଗାଁ ଠାକୁରାଣୀ କି ନ ଦେଲେ ପୂଜା ହୁଏ ନା !କୁକୁଡା ଗଞ୍ଜା ମାଆ ଠାକୁରାଣୀଂକ ଗୁଡି(ମନ୍ଦିର) ନିକଟରେ ବଳୀ ଚଢିଲେ ମଧ୍ଯ
ମହୁଲୀ ଟୋପେ ମାଂକୁ ନ ଦେଲେ ନଚଳେ ! ଗାଁ ଠାକୁରାଣୀ କହିଲେ ଖଣ୍ଡେ ପଥର ! ଗଛ ମୂଳେ ଖୋଲା ଆକାଶ ମୂଳେ ପୂଜାପାଏ !ପଥର ଦେହରେ ପୁଳା ପୁଳା ସିନ୍ଦୂର ମଖା ହୋଇଛି !କଥାରେ ଅଛି -“ମାନିଲେ ଦେବତା…ନମାନିଲେ ପଥର ” !ପୂଜା କରିବା ପାଇଁ ସବୁ ଗାଁରେ ପୂଜାରୀ ଥାଏ !କାହା ଦେହରେ ଡୁମା ଆସିଲେ କି କା ଦେହ କାଇଲା ରେ ବାଧକ ହେଲେ ମାଆଂକ ନିକଟରେ ୱାଡେ ପୂଜା କରି କାଳେସୀ ଲାଗେ !କାଳସୀକୁ ମାଆ ଠାକୁରାଣୀ ସବାର ହୁଏ ! ସେ ଆଗତ ଭବିଷ୍ଯତ କହେ !ଗୁଣି ଗାରେଡି,ଡୁମା କଥା କହେ !ସବୁ ପୂଜା ସବୁ ଜାନି ଯାତରାରେ ମହୁଲୀ ଲୋଡା ! ମଶାଣିରେ ମଢା ପୋଡିଲେ ବି ମହୁଲୀ ଦରକାର ! ଡୁମା (ପ୍ରେତ) ଶାନ୍ତି ପାଇଁ କୁକଡା ବଳୀ ସହ ମହୁଲୀ ତୁମ୍ବେ ଲୋଡା !ହାଟ ବାଟରେ ବି ମହୁଲୀ ବିକ୍ରି ବଟା ହୁଏ ! ମହୁଲୀ ସୁଖ ଦୁଃଖର ସାଥି ! ଆଦିବାସୀମାନଙ୍କ ଜୀବନ ଜୀବୀକା ପାଇଁ ଦି ‘ ପଇସା ଆୟର ମାଧ୍ଯମ ଏହି ମହୁଲୀ ରସ ! ମହୁଲୀ ହସ କାନ୍ଦ,ସୁଖ ଦୁଃଖ,ଜନ୍ମ ମରଣ ,ସବୁରି ସାଥି ! ହାଡ ଭଂଗା ପରିଶ୍ରମ ବେଳେ ଢୋକେ ମାରି ଦେଲେ ଦେହର ସବୁ ବ୍ଯଥା ବେଦନା ଛୁ !ଦେହଟା ଉଶ୍ବାସ ହୋଇ ଯିବ !ମହୁଲ ଫୁଲରୁ ଫଳ ହୁଏ!ଏହି ଫଳକୁ ଟୋଲା କୁହାଯାଏ ! ଟୋଲା ମଂଜିରୁ ତେଲ ବାହାରେ ! ଆଦିବାସୀ ମାନେ ଟୋଲରୁ ତେଲ ବାହାର କରି ବ୍ଯବହାର କରନ୍ତି ! ଟୋଲ ମଂଜି ବିକି ଦି’ ପଇସା କମାନ୍ତି !
ଗୌଡଗୁଡା ଗାଁରେ କିଛି ଘର ଦାଣ୍ଡ ଦୁଆରେ ଆଗରେ ସଲପ ଗଛ ଠିଆ ! ପ୍ରାୟ ଆଦିବାସୀ ଗାଁରେ ସଲପ ଗଛ ଦେଖିବାକୁ ମିଳେ !ଖରା ଦିନେ ଖଜୁରୀ ତାଡି,ସଲପ ରସ କୁଆଡେ ପେଟ ଥଣ୍ଡା କରେ !ଖରା ଦିନେ ଆଦିବାସୀମାନେ ଖଜୁରୀ ଗଛ ଓ ସଲପ ଗଛର ଚଅଁର କାଟି ମାଟି ଠେକି ବସାନ୍ତି ! ସକାଳେ ଗଛରେ ଚଢି ରସ କାଢନ୍ତି !ସଜ ରସ ମିଠା ଲାଗେ ! ଟିକେ ବାସି ହେଲେ ଖଚା ଲାଗେ ! ଖଟା ହେଲେ ନିଶା ଲାଗେ !ଏହି ସଲପ ରସ ଓ ଖଜୁରୀ ତାଡି ଆଦିବାସୀଂକ ଅତି ପ୍ରିୟ ପାନୀୟ ! ଯାହାକୁ ଯାହା ଇଛା ପାନ କରନ୍ତି !ବାଟୋଇମାନେ ମଧ୍ଯ ଡାବୁ ଦେଇ ରସ ପାନ କରନ୍ତି !ଗଛ ମୂଳେ ମିଠା ଖଟା ରସ ଲାଉ ତୁମ୍ବା ନାଡରେ ପିଆଯାଏ ! କେହି କେହି କଂଚା ତାଳ ପତ୍ର ଡଂଗା ବନାଇ ପାନ କରନ୍ତି ! ଆଦିବାସୀ ଗାଁରେ ଘୁଷୁରୀ ମାଳ ମାଳ ! ଘୁଷୁରୀ ଏକ ଲାଭ ଜନକ ବ୍ଯବସାୟ ! ଗୋଟେ ମାଈ ଘୁଷୁରୀ ଥରକେ ବାର ଚଉଦ ଛୁଆ ପକାଏ ! ଘୁଷୁରୀ ଦେବୀଂକ ନିକଟରେ ବଳୀ ପଡେ !ଘୁଷୁରୀ କୋୟାମାନଂକ ଜୀବୀକା ନିର୍ବାହରେ ସହାୟକ ହୁଏ !ପ୍ରାୟ ସବୁ କୋୟା ଗାଁରେ ଘୁଷୁରୀ ପାଳନ କରାଯାଏ !ବର୍ଷା ଦିନେ କୋୟା ଗାଁ ଦାଣ୍ଡରେ ଚାରି ଆଡେ ଘୁଷୁରୀ ମଳରେ ପରିପୂର୍ଣ୍ଣ !ଦୁର୍ଗନ୍ଧରେ ନାକ
ଚୁଣ୍ଟା ଦେବାକୁ ପଡେ ! କିନ୍ତପ ସବୁ ଦିନିଆ ଲୋକମାନଂକୁ ଘୁଷୁରୀ ମଳ ବାସେ ନି ! ମଳରେ ଗାଁ ପରିବେଶ ପ୍ରଦୁଷିତ !ତଥାତି ପିଲାମାନେ ଯେତେବେଳେ ଝାଡା ଫେରନ୍ତି…ମାଆମାନଂକୁ ଝାଡା ସଫା କରିବାକୁ ପଡି ନି !ଯେଉଁଠି ଥିଲେ ବି ଘୁଷୁରୀ ଧାଇଁ ଆସି ଝାଡାକୁ ସାଂଗେ ସାଂଗେ ସଫା କରି ନେବ !ଦେଶୀ କୁକୁଡା ଘରେ ଘରେ ପାଳନ କରନ୍ତି !ମାଇ କୁକୁଡା ଅପେକ୍ଷା ଗଂଜାର ଚାହିଦା ବେଶୀ !ବଳୀ ପାଇଁ ଦେଶୀ ଗମଜାର ଭାଉ ବେଶୀ !ଲଢୁଆ ଗଂଜାର ଦାମ ସବୁଠୁ ଅଧିକା !ଗଂଜା ଲଢେ ଆଦିବାସୀ ହାଟଗୁଡିକରେ ପିରତି ସପ୍ତାହରେ
ଚାଲେ !ଗଂଜା ଗୋଡରେ ଛୋଟିଆ ଛୁରୀ ବନ୍ଧା ଯାଇ ଲଢେଇ କରାଯାଏ !ଖେଳାଳୀମାନେ କଳା,ନାଲିଆ ଗଂଜା ଜିତାପଟ ପାଇଁ ବାଜି ଲଗାନ୍ତି,ଯେଉଁ ଗଂଜା ଜିତେ ସେଇ ପାଲ୍ଲୀର ଖେଳାଳୀମାନେ ଡାବୁ ନେଇଯାଆନ୍ତି ! ଗାଁରେ ଅଧିକାଂଶ ଖପର ଛାଉଣି ଘର,ମାଟି କାନ୍ଥ ! କାହାର ଝାଟି ମାଟି କାନ୍ଥକୁ ବରଡା ପତର ଛାଉଣି !କାହାର ସରକାରୀ ଯୋଜନାରେ ମୋ କୁଡିଆ,ଇନ୍ଦିରା ଆବାସ ଘର ଦେଖିବାକୁ ମିଳେ !
ଶୁକ୍ରା ମାଡକାମୀର ଘର ଗୌଡ ଗୁଡାରେ ! ବୟସ ୫୦ ଉପରେ ଟପିଲାଣି ! ସ୍ତ୍ରୀ ରଇବାରୀ ! ପୁଅ ଦି ଜଣ ! ବଡ ପୁଅ ଆଦି ! ସାନ ପୁଅ ସୋମା ! ଏଇ ଚାରି ପ୍ରାଣୀକୁ ନେଇ ସଂସାର ! ଶୁକ୍ରାର ବାପା ଇର୍ମା କେବେ ଠାରୁ ଆରପାରି କି ଗଲାଣା !ମାଆ ଗୁରୁବାରୀ ମଧ୍ଯ ଆଖି ବୁଜି ଦେଲାଣି ! ଡଂଗର ଜମି କେତେ ଅଛି ଶୁକ୍ରାକୁ ଜଣା ନାଇ !ଶୁକ୍ରାର ବଡ ଭାଇ ଜଗା ଚାଷ କରୁଛି !ତା’ର ପିଲା ଝିଲା ସାତ !ବହୁ କୁଟୁମ୍ବି !ତେଣୁ ସେ ତା ଠାରୁ ଧାନ କି ଫସଲ ଭାଗ ନିଏ ନି !ଜମିବାଜ ବି ଭାଗ ହୋଇନି !କୋୟାମାନଂକର ଶାଯହ ଶହ ଏକର ଜମି ଜେଜେ ପଣଜେଜେ ନାଁରେ ପଟ୍ଟା ଅଛି…କିନ୍ତୁ ପିଢି ପରେ ପିଢି ଭାଗ ବଣ୍ଟା ହୋଇ ନି !
ଶୁକ୍ରା ଓ ତା’ ସ୍ତ୍ରା ରଇବାରୀ କୁଲି ଦୁଃଖ ପଡି ପରିବାର ଚଳାନ୍ତି !ଶୁକ୍ରା କେବେ କେବେ ଜଂଗଲରୁ କାଠ ଅଂଗାର ଆଣି ବିକେ ! ରଇବାରୀ ଜଂଗଲକୁ ଯାଇ ଜଂଗଲୀ ଶାଗ,କନ୍ଦା,ଛତୁ,କେନ୍ଦୁ, ଖଜୁରୀ କୋଳି,ନରକୋଳି,ବରକୋଳି,ଆମ୍ବ ଆଣି ହାଟ ବାଟରେ ବିକେ !ଯେତେବେଳେ ଯାହା ସୁବିଧା ସେଇ କାମ କରି ବଂଚନ୍ତି ! ଦିନକୁ ଦିନ
ଦୁଇ ପ୍ରାଣୀଂକ ବୟସ ବଢୁଛି !ଶୁକ୍ରାର ଅବସ୍ଥା ଏବେ ଆଗ ଭଳି ଭଲ ନାହିଁ ! ଘରେ ଛୋଟା କେମ୍ପା ହୋଇ ପଡିଛି ! ରଇବାରୀ ହାତକୁ ଚାହିଁ ରହିଛି ! ଦିନେ ଜଂଗଲକୁ ଯାଇଥିଲା ଶୁକ୍ରା ! ଭାଲ୍ଲୁ ସହ ହାବୁଡ ହେବାରୁ ଭାଲ୍ଲୁ ସହ ଲଢେଇ କରି ଗୁରୁତର ହୋଇଥିଲା ! ସାଂଗରେ ଥିବା କେତେ ଲୋକ ଶୁକ୍ରାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଆଣି ଥିଲେ ! ଦୀର୍ଘ ଦିନର ସରକାରୀ ମେଡିକଲରେ ଚିକିତ୍ସା ପରେ ଜୀବନଟା ଫେରି ପାଇଲା ସତ,ହେଲେ ହାତ ଗୋଡର ଶୁକ୍ରାର ଅଚଳ ହୋଇଗଲା !
ଶୁକ୍ରାର ବଡ ପୁଅ ଆଦି ଓ ସାନ ପୁଅ ସୋମା ଗାଁରେ କୁଲି ମଜୁରୀ ନକରି ଆନ୍ଧ୍ରକୁ ଖଟିବାକୁ ଯାଆନ୍ତି ! ସେମାନେ ବର୍ଷ ଆଠ ମାସ ବାହାର
ରାଜ୍ଯରେ ଦାଦନ ଖଟନ୍ତି ! ବର୍ଷା ଦିନ ହେଲେ କାମ ଅଭାବରୁ ଗାଁକୁ ଆସନ୍ତି !ପିଲା ଦି’ଟା ବଡ ହେବାରୁ କିଛି କିଛି ଶୁକ୍ରାର ସଂସାର ଚାଲେ !
ଏବେ ପୁଅର ବୟସ ହେଲାଣି ! ଆଦିବାସୀ ସମାଜରେ ପୁଅର ବୟସ ପନ୍ଦରରୁ ଅଧିକ ହେଲେ ବୁଢା;କନିଆ ମିଳିବା କଷ୍ଟ ! ଝିଅର ବୟସ ଯେତେ ଅଧିକ ହେଲେ ବି ଆଦିବାସୀ ସମାଜରେ ସେ ବୁଢି ହୁଏ ନା !
ଶୁକ୍ରାର ବଡ ପୁଅ ଆଦି ପାଲକୋଣ୍ଡାରୁ ଜାତି ଝିଆକୁୁ ଉଦୁଲିଆ ଆଣିଛି !ଧାଂଗଡା ଧାଂଗିଡୀ ମନ ପୁଆ ପୁଇ ହେବାରୁ ଘରକୁ କନିଆ ହୋଇ ଆସିଛି ! କୁଳ ଲୋକେ ଆସିଛନ୍ତି ପାଲକୋଣ୍ଡାରୁ ଗୌଡଗୁଡାକୁ !ଜାତି ଭାଇଂକୁ ଭୋଜି ଦେବ !କନିଆ ପିତାଂକୁ ପୋଷିଥିବା ପାଉଣା ଦେବ !ଦୁଇ ଗାଁର ଜାତି ଭାଇ ମାନେ ବସି କୋୟା
ଜାତିର ନିୟମ ପ୍ରକାରେ ସବୁ କାମ ତୁଲାଇଲେ !ଭୋଜି ଭାତ,ମାଉଁସ,ମଦ ପାଣି ହେଲା ! ବାଜା ବାଜିଲା ! ଧାଂଗଡା ଧାଂଗିଡୀମାନେ ନାଚିଲେ ଗୀତ ଗାଇ ଗାଇ ! ମହୁରୀ,ଢୋଲରେ ଗାଁ ଦାଣ୍ଡ ଦୁଲୁକିଲା ! ବାହା ପୁଆଣି ସରିଲା !କୁଣିଆମାନେ ଯେ ଯାହା ଘରକୁ ଗଲେ !
ଆଦି ଆଉ ଆଗ ଭଳି ଗାଁକୁ ଆସୁନି ! ତା’ କନିଆକୁ ନେଇ ତା’ ଶ୍ବଶୁର ଘରେ ରହୁଛି ! କେବେ କେମିତି ଗୌଡଗୁଡାରେ ପୂନେଇ ପରବରେ ଆସେ !ଘଣ୍ଟେ ଦି’ ଘଣ୍ଟା ରହି ପୁଣି ଚାଲି ଯାଏ ତା ଶ୍ବଶୁର ଗାଁକୁ !ହାତରେ ବାପା ମାଆକୁ କାଣି କଉଡିଟିଏ ଦିଏ ନା !ତଥାପି ଶୁକ୍ରା ତା ବଡ ପୁଅ ହାତକୁ ଚାହେଁ ନା ! ତା ବାଟରେ ସିଏ !ସାନ ପୁଅ ସୋମ ମାଥିଲିରୁ ଏଇ ଶୀତ ଦିନେ କନିଆ ଆଣିଛି !ସେ ବି ଉଦୁଲିଆ ଆଣିଛି !
ବୋହୂଟି ଭାରି ସରଳ ! ନିରିହ !ଭଲ ଝିଅଟି !ବୋହୂ ନା ମାଳତୀ !ବାପା ମା’ ଛେଉଣ୍ଡ ! ଅଜା ଘରେ କାମ ଧାମ କରି ବଡ ହୋଇଛି ! ଶାଶୁ ଶ୍ବଶୁର ନିକଟରେ ସେ ରହେ !ସାନ ପୁଅ ସୋମା ଆନ୍ଧ୍ର ଯାଏ ଦାଦନ ଖଟିବାକୁ !ଇତି ମଧ୍ଯରେ ସୋମାର ଝିଅଟେ ପୁଅଟେ ଜନମ ହେଲାଣି ! ସୋମା ଅନେକ ସ୍ବପ୍ନ ଦେଖିଛି ! ତା ପୁଅ ଝିଅକୁ ପାଠ ପଢାବ!ଇସ୍କୁଲକୁ ପଠାଇବ! ସେ ସିନା ପାଠ ଛାଟ ପଢି ପାରିଲା ନାହିଁ ! କିନ୍ତୁ ଯେତେ କଷ୍ଟ ହେଲେ ହେଉ ପଛେ ସେ ଆନ୍ଧ୍ରରେ ଖଟିବ! ବେଶୀ ରୋଜଗାର କରି ତା ସ୍ତ୍ରୀ ମାଳତୀକୁ ପଠାଇବ !ସୋମାଟା ଏକ ଯିଦିଆ ଯୁବକ ! ସେ ଟିକେ ଆଧୁନିକ ଆଡକୁ ଗତି କଲାଣି ! ବିଶଖା ପାଟଣା ସହରରେ ରହୁଛି !ବିଲଡର ପାଖରେ ଖଟୁଛି ! ସହରୀ ଜୀବନର ପ୍ରଭାବ ତାକୁ ପଡୁଛି !ସେ ବେଳେ ବେଳେ ଆଦିବାସୀ ହୋଇ ଜନ୍ମ ହେବାଟା ଧିକ ବୋଲି ମନେ ମନେ ଭାବେ ! ପୁଣି ଗରିବ ହୋଇ ଜନ୍ମ ନେବାଟା ଅଭିଶପ !ବିଶାଖା ପାଟଣାରେ ରହି ସେ ତା ନିଜ ହାତରେ କେତେ ଉଚ୍ଚ ଉଚ୍ଚ କୋଠା ଗଢିଛି !କୋଠାଗୁଡିକରେ କେତେ ରଂଗ ବୋଳିଛି !ଆକାଭ ଛୁଆଁ କୋଠା !ଦେଖିଲେ ମନ ଲୋଭେଇ ଯିବ !ମାତ୍ର ତା ଗାଁର ଘର କି କଦର୍ଯ୍ଯ !ଦିନରେ ସୂର୍ଯ୍ଯ ଆଉ ରାତିରେ ତାରା ଦିଶିବ ! ଏଠାରେ ସୁନ୍ଦର ସୁନ୍ଦର ପକ୍କା ରାସ୍ତା,ଗାଁରେ ଅସନା ମାଟି ରାସ୍ତା !ବର୍ଷା ଦିନେ ଗାଁରେ କାଦ ପଚ୍ ପଚ୍ !ଏଠାରେ ସିନେମା ଘର,ହୋଟେଲ୍ !ବିଜୁଳି ଆଲୁଅ,ହୋଟେଲ !ଗାଡି ମଟର ପେଁ ପାଁ …..ମନେ ହୁଏ ସତରେ ସହରଟା ସରଗପୁରୀ !ହାତ ପାହାନ୍ତରେ ସବୁ ଏଠି ମେଳେ !ଗାଁରେ କିସ ଅଛି.. !ସବୁ ସେଠି ବେକାର….ଜୀବନ ପାଇଁ ରିତିମତ ସଂଘର୍ଷ…ଭୋକର ଭୂ-ଗୋଳ….ଏମିତି ସୋମା ଗାଁକୁ ନେଇ କେତେ କଣ ଭାବେ !
ଆଗରୁ ସେ ଇଟା ଭାଟିରେ କାମ କରୁଥିଲା,ପରେ ବିଲଡର କଂପାନୀରେ ରହି ଇଟା ବଢାଇବା,ବାଲି ସିମେଣ୍ଟ ଗୋଳଇବା କାମ କରୁ କରୁ ହେଲପର ହେଲା,ରଂଗ ମିସ୍ତ୍ରୀ ହେଲା ! ଏବେ ରାଜ ମିସ୍ତ୍ରୀ ! ଇଂଜିନିୟର କହିବା ପ୍ରକାରେ ଇଟା ଯୋଡେଇ କାମ କରେ! ଭଲ ମିସ୍ତ୍ରୀ କାମ କରୁଛି ବୋଲି କଂପାନୀରବାବୁ ସୋମା ଉପରେ ଭାରି ଖୁସୀ !ସୋମାର ପକେଟରେ ଦିନକୁ ଦିନ ଦି ପଇସା ହେଲା ! ସେ ବାହାରକୁ ଗଲେ ଫୁଲ ପେଣ୍ଟ ସାଟ ପିନ୍ଧେ !କାମ ବେଳେ ଲୁଂଗି ପିନ୍ଧେ !ମୁଣ୍ଡରେ ଗାମୁଛା ଭିଡେ !ଦେହରେ ମଇଳା ଗଂଜି ଗୋଟେ ଲଗାଏ ! ନାଲି,ନେଳି ଚଷମା ପିନ୍ଧେ !ରବିବାର ହେଲେ ସିନେମା ଯାଏ !ତେଲୁଗୁ ହିରୋପରି ନିଜକୁ ସଜାଏ !ଚୁଳ କାଟେ !ରଂଗ ବେରଂଗର ଟୋପି ମୁଣ୍ଡରେ ପିନ୍ଧେ ! ସହରୀ ଜୀବନ ଆଉ ପଲ୍ଲୀ ଆଦିବାସୀ ଜୀବନ ଶୈଳୀ କାହିଁ ଆକାଶ କାହିଁ ପାତାଳ! ସୋମା ମନେ ମନେ ଭାବେ କିଛି ପଇସା ସଂଚୟ ହେଲେ ମାଳତୀ ଆଉ ତା ପୁଅ ଝିଅକୁ ଏଇ ସହରରେ ଆଣି ସବୁ ଦିନ ପାଇଁ ରଖିବ ! ବଡ ମଣିଷ କରିବ !ମୁଣ୍ଡ ଗୁଂଜିବାକୁ ବଡ ନହେଲେ ନାଇଁ ଛୋଟ ଟିଣ ଛପର ଘରଟିଏ ବି କରିବ !ଜାଗାଟିଏ କିଣିବ! ସେତ ବୁଢା ହେଇ ଯାଇ ନି !ମାଳତୀକୁ ୨୨ ବର୍ଷ… ଆଉ ସୋମାକୁ ୨୦ ବର୍ଷ ମାତ୍ର !
ସୋମା ଗାଁକୁ ବର୍ଷା ଦିନେ ଆସେ ! ତା ବେଶ ପୋଷାକ ଦେଖି ଗାଁ ର ବୁଢା ଠୁ ଭେଣ୍ଡିଆ ଯାଏଁ ବଡ ବଡ ଆଖିରେ ଚାହାଁନ୍ତି !ଭଲ ମନ୍ଦ ପଚାରନ୍ତି !ସୋମା ଗାଁ ର ବଡମାନଂକୁ ମାନ୍ଯ ଧର୍ମ କରେ !ତା ସାଂଗ ସାଥିମାନଂକୁ ସ୍ନେହ କରେ ! ସେ ଏକ ମିଶାଣ ପିଲା !ପର ଆପଣା ଭେଦା ଭେଦ ମନରେ ନାଇଁ ! ଖୁସୀ ବାସୀ ହେବା ପାଇଁ କିଏ ମାଲ ପାଣି କେବେ ମାଗିଲେ ଦିଏ !ସେ ଏତଟା କଂଜୁସ ନୁହେଁ,ଗାଁରେ ସେ ଯେତେ ଦିନ ରହିବ ସମସ୍ତେ ତାକୁ ଭଲ ପାଇବେ !ମଲା ଗଲା ସଂସାରରେ କିସ ଅଛି !କିଏ କିସ ଆଣିଛି ଯେ କିଏ କିସ ନେବ ! ସୋମା ମାଳତୀ ପ୍ରେମ କରି ବାହା ହୋଇଛି !
ଏଥର ସୋମା ମାଳତୀ ପାଇଁ ଏକ ଉପହାର ଆଣିଛି ! ମୋବାଇଲ ! ସୋମା ଦୂର ବିଦେଶ ଗଲେ ମାଳତୀ ସହ ସୁଖ ଦୁଃଖ ହେବ !ପିଲାମନଂକ ଭଲ ମନ୍ଦ ପଚାରିବ !ସୋମା ତା ସ୍ତ୍ରୀ ପାଇଁ ଢେର ଶାଢୀ,ସାୟା,ବ୍ଲଉଜ ଆଣିଦେଇଛି !ପୁଅ ଝିଅଂକ ପାଇଁ ଦାମିକା ଡ୍ରେସ୍ ଆଣିଛି !ମାଳତୀ ପାଇଁ ବେକକୁ ସୁନା ମାଳି,କାନକୁ କାନଫୁଲ,ନାକୁ ନାକ ଚଣା ଆଣିଦେଇଛି !ମାଳତୀ ମନ ଭାରି ଖୁସୀ !ସତରେ ସୋମା ତାକୁ କେତେ ଭଲ ପାଏ !
ମାଳତୀ ପିଲା ବେଳୁ ବାପା ମାଆଂକ ସ୍ନେହ ଶ୍ରଦ୍ଧା ପାଇ ନି !ଯୁବତୀ ହେଲା ଯାଏ ସେ କେତେ ଦୁଃଖ କଷ୍ଟରେ ଚଳି ଆସିଛି,ସୋମାର ହାତ ଧରିଲା ପରେ ତା ଭାଗ୍ଯ ବଦଳି ଗଲା ! ମାଳତୀ ନୂଆ ଶାଢୀ,ନୂଆ ଚୁଡି,ନୂଆ ସାୟା ବ୍ଲଉଜ ପିନ୍ଧି ,ବାସେନା ତେଲ ମୁଣ୍ଡରେ ଲଗାଇ କେଶକୁ ବାନ୍ଧିଲା ! ଗଳାରେ ସୁନା ମାଳି,କାନରେ କାନ ଫୁଲ,ନାକରେ ନାକ ଚଣା ନାଇଲା ! ମଥାରେ ସିନ୍ଦୂର, କପାଳରେ ସିନ୍ଦୂର ଟୋପା,ପାଦରେ ଅଳତା ନାଇଲା ! ବଣ ମଲ୍ଲୀ ଫୁଲ ମେଂଚେ କବରୀରେ ଖୋସିଲା ! ସମ୍ମୁଖରେ ଦର୍ପଣ !ସତରେ ମାଳତୀ କି ସୁନ୍ଦରୀ ଦିଶିଲା ! ମୁରୁକି ମୁରୁକି ହସିଲା !ସୋମା ମାଳତୀର ରୂପ ଦେଖି ବିସ୍ମିତ ହୋଇଗଲା ! ବାଃ ..ମାଳତୀ ସତରେ ସିନେମା ହିରୋଇନ ଠାରୁ କେଉଁ ଗୁଣରେ କମ୍ କି ?ସେ ଏକା ଲୟରେ ଲୋଭେଇ ମାଳତୀକୁ ଚାହିଁଲା ! ମାଳତୀ ସୋମାର ଆଖିରେ ଆଖି ମିସାଇ ଚାହିଁ ପାରିଲା ନାହିଁ ! ସେ ଲାଜେଇ ଗଲା !ମାଳତୀ କହଲା-“ତୁ ମତେ କାଇଟା ଦେଖିସୁ ନି କି ” ?ସୋମା କହିଲା-“ଦେଖସି….ତୁଇ ଆଜି କାଇ ସୁନ୍ଦ୍ରୀ ଲାଗସି” ! ଦେହରେ ଟିକେ ସୋମା ମାଳତୀ ଦେହରେ ଗୋଲାପୀ ଅତର ଢାଳି ଦେଲା !ମାଳତୀ ଦେହ ବାସିଲା ମହ ମହ !ସୋମା ବି ତା ନୂଆ ଜିନ୍ ପେଣ୍ଟ ସାଟ୍ ପିନ୍ଧିଲା !ମାଳତୀକୁ ଆଜି ସଂଜରେ ମାଲକାନଗିରି ସହରକୁ ବୁଲେଇ ନେବ !ବହୁ ଦିନ ପରେ ମାଳତୀ ଆଉ ସୋମାର ମିଳନ ! ପିଲା ଦି’ଟାକୁ ଜେଜମା ହାତରେ ଧରେଇ ଦେଇ ଦୁହେଁ ଚାଲିଲେ ଗାଁ ଦାଣ୍ଡରେ !ଯିଏ ଦେଖିଲା ଦଣ୍ଡେ ଚାହିଁଲା ! ସତେ ସୋମା ଆଉ ମାଳତୀ ରାଧା ମାଧବ ଯୋଡି !
ସୋମାଟା ଆନ୍ଧ୍ର ଯାଇ ଭଲ ପଡିଗଲା !ଦି’ପଇସା ରୋଜଗାର କଲା !ମାଇପ ପାଇଁ ସୁନା,ଲୁଗା ପଟା ସବୁ କିଣିଲା! ସବୁ ଟୁପୁର ଟାପର ହେଲେ ! ପତି ପତ୍ନୀ ମାଲକାନଗିରିରେ ପହଞ୍ଚିଲେ ! ମାଳତୀର ଘର କରଣା ଜିନିଷ,ଡାଲି,ଚାଉଳ ଯାହା ମନକୁ ଆସିଲା କିଣିଲା ! ସୋମା
ହୋଟେଲରେ ମାଳତୀକୁ ପେଟେ ଜଳଖିଆ ଖୁଆଇଲା !ହସ ଖୁସୀରେ ଘରକୁ ଫେରିଲେ ଦୁହେଁ !ମାଳତୀକୁ ସଂସାରଟା ସରଗ ପରି ଲାଗିଲା !
ଦିନେ ମାଳତୀ କହିଲା-“ଏଇ ମାଟି ଘରଟାରେ ବରଷା ହେଲେ ବଡ ଅସୁବିଧା,ଉପରେ ବରଡା ପତର ଛାଉଣି,ପାଣି ଗଳୁଛି “!ସୋମା କହିଲା-“ତୁ ଚିନ୍ତା କରେନା,ମୁଇଁ ତତେ ବିଶଖା ପାଟଣା ନେଇ ଯିବି,ତୁଇ ସେଇଟି ରଇବୁ !ମୋର୍ ଗାଁରେ ରହିବାର ଇଛା ନାଇଁ “!
ମାଳତୀ କହିଲା-“ଭଲ କାତା…ଏତେ ଡାବୁ କାଇ ମିଲିନାନି ଆଛେ” !
ସୋମା କହଲି-ତୋର୍ ଲାଗେ ମୁଇଁ ସବୁ କରିବିଁ !
ବର୍ଷା ମାସ ସରିଲା !ଗାଁ ସାରା ସବୁଜ ଧାନ କ୍ଷେତର ମାୟା !ଡଂଗର,ପାହାଡ ସବୁଠି ସବୁଜ ସୁନ୍ଦର !ଚାଷ ବାସ ସରିଛି !ମାଳତୀ ପୁଅଟିକୁ କାଖରେ କାଖେଇଛି ! ବଡ ଝିଅଟା ଦାଣ୍ଡ ଦୁଆରେ ଠିଆ ହୋଇଛି !ସୋମା ବାହାରିଲା ହାତରେ ବ୍ଯାଗ ଖଣ୍ଡିକ ଧରି !ବିଶାଖା ପାଟଣା ଯିବ !କୋଠା ବାଡି କାମରେ ଶ୍ରମ ଦାନ କରିବ !ଯାହା
ଆଣିଥିଲା ବସି ଖାଇ ସରବା ଉପରେ ! ମାଲିକ ମଧ୍ଯ ତାକୁ ଚାରି ପାଞ୍ଚ ଥର ଫୋନଫାନ କଲାଣି !ଡେରି କଲେ ଲାଭ କିସ !ସୋମାର ଅନେକ ସ୍ବପ୍ନ ଅଛି !ତା ପିଲାମାନଂକୁ ପାଠ ପଢାଇବ !ମାଳତୀକୁ ସହରରେ ରାଣୀ କରି ରଖିବ !ସୋମା ଗାଁରୁ ପାଦ କାଢିଲା ! ପିଲା ଦି’ଟାକୁ ମାଳତୀ ଧରି ସୋମାକୁ କିଛି ବାଟ ବାଟେଇ ଦେଲା !
ସୋମା ଟାଟା କଲା ହାତ ହଲେଇ ! ମାଳତୀ ବି ହାତ ହଲେଇଲା ! ସୋମାକୁ କହିଲା-ଗଲେ ଫୁନୁ କରିବୁ !ସୋମା ମୁଣ୍ଡ ଟୁଙ୍ଗାରିଲା !
ମାଳତୀ ଘରକୁ ଫେରୁ ଫେରୁ ତା ଦୁଇ ଆଖିରେ କେତେବେଳେ ଦୁଇ ଧାର ଲୁହ ନିଗିଡି ଗଲା ସେ ଜାଣି ନି !
ସୋମା ରାଜମିସ୍ତ୍ରୀ କାମ କରେ ! ଦେହ ପା ଭଲ ନ ଲାଗିଲେ ଟିକେ ଓଷ ପାଣି କରେ !ଦିନ ରାତି ଖଟେ !ସୋମା ଏବେ ମାଳତୀକୁ କହିଲା ବେଙ୍କରେ ଖାତା ଖୋଲିବା ପାଇଁ !ମିଳତୀ ବେଂକରେ ଖାତା ଖୋଲିଲା !ସୋମା ପ୍ରତି ମାସରେ ମାଳତୀ ପାଖକୁ ଟଂକା ପଠାଏ ! ରାତିରେ ଫୋନ କରି ସୁଖ ଦୁଃଖ ହୁଏ !ବଡ ଝିଅ ବେବି ଚାରି ବରଷ ହେଲାଣି !ମାଲକାନଗିରି ଇଂଗିଲିଶ ମିଡିୟମ ଇସ୍କୁଲରେ ନାଁ ନେଖେଇଲା ମାଳତୀ ! ବେବିକୁ ନିତି ନିତି ଯତନ କରି ଅଟୋରେ ପଠାଏ !ଅଟୋବାଲା ନିତି ନେବା ଆଣିବା କରେ !କେଇ ମାସ ଭିତରେ ବେବି ଏ …ବି…ସି…ଡି ଜାଣିଲାଣି !ମାଳତୀ ପାଠ ସିନା ପଢି ,ହେଲେ ତା ଝିଅର ବହି ଖୋଲି ସଂଜରେ ଡିବିରୀ ଲଗାଇ ପଢାଏ !
ଖନି ଖନି ତୁଣ୍ଡରେ ବେବି ଏ…ବି…ସି….ଡି ଡାକେ !ମାଳତୀ ମିସା (ମଧ୍ଯ) ବେବି ଠାରୁ ଜାଣିଲାଣି ଇଂଗିଲିଶ ପାଠ !ମାଳତୀର ମନ ଉଛନ,ତା ଝିଅ ଇଂଗିଲିଶ ପଢୁଛି !ଠିକ୍ ସମୟରେ ମାସକୁ ମାସ ଇସ୍କୁଲ ପଇସାଟା ବାନ୍ଧି ଦେଉଛି ମାଳତୀ !ଅଟୋ ପଇସା ଦେଇ ଦେଉଛି !ବେବିକୁ ଟିଫିନ ଡବା ଦେଇ ଅଟୋରେ ବସାଇ ଟାଟା କରୁଛି !
ମାଳତୀ ଏବେ ରାଣୀ !ଦିନକୁ ଦିନ ଭିନ୍ନ ଭିନ୍ନ ନୂଆ ଶାଢୀ ପିନ୍ଧେ !
ଦେହକୁ ସଜାଏ !ମୁହଁରେ ବାସେନା ପାଉଡର ମାଖେ ! ଗାଁ ଦାଣ୍ଡରେ
ଗଲା ବେଳେ ଟୋକାଂକ ନଜର ଟିକେ ପଡେ !ଚିକ୍କଣ ଚାକ୍କଣ ଉଦିଆ
ଜହ୍ନ ପରି ମାଳତୀର ମୁହଁ !ଟିକେ ହସି ଦେଲେ ମନଟା ଟାଣି ହୋଇଯାଏ ତା ଆଡକୁ! ଦିଅର ଭାଉଜ ଥଟ୍ଟା କରୁ କରୁ କେଉଁ ଦିଅର କହି ପକାଏ…ତୁମେ କି ସୁନ୍ଦ୍ରୀ ଦିଶୁଚ ଆଛେ! ମାଳତୀ ହସି ଦିଏ…କିଛି
କହେନା..! ମାଳତୀ ଟିକେ ଗହମ ରଂଗର ତନୁ ପାତଳୀ ଝିଅ !ଗୋଲ ମୁହଁ !ଟିକେ ହସୁରୀ ଆଉ ଟିକେ ଲାଜେଇ !ପୂନେଇ ପରବରେ ଧାଂଗିଡୀ ମେଳରେ ଢେମସା ନାଚେ….ଭଲ ସୁରିଲା କଣ୍ଠାରେ ଗୀତ ଗାଏ !ଏମିତି ଖୁସୀବାସୀରେ ଦିନ ବିତେ !ମାଳତୀ ରନ୍ଧା ବଢା କରି ଘରେ ରହେ !ପିଲାଂକ ଯତ୍ନ ନିଏ !ବାହାରକୁ ପାଇଟି କରିବାକୁ ଯାଏ ନି !ସୋମା ମନା କରିଚି !ସେ ତ ବିଦେଶ ଯାଇ ମୁଠା ମୁଠା ଟଂକା ଅର୍ଜୁଛି….ମାଳତୀ କାଇଁ ଖରା ତରାରେ ଖଟିବ…ତା’ ଗୋରା ଦିହଟା
କଳା ପଡି ଯିବ ଯେ….!ଆଦିବାସୀ ସମାଜରେ ଟିକେ ଭିନ୍ନ ପରମ୍ପରା
ଅଛି !ଘରର ମୁରବୀ ସ୍ତ୍ରୀ ହୋଇଥାଏ ! ଆଉ ପୁରୁଷ ଆପେକ୍ଷା ସ୍ତ୍ରୀ ବୟସରେ ବଡ ହୋଇଥାଏ ! ଘର ଚଳେଇବା ନାରୀ ଉପରେ ଗୁରୁ ଦାୟିତ୍ବ !ସ୍ବାମୀ ଘରେ ବସି ଛୁଆର ଯତ୍ନ ନେବ ,ସ୍ତ୍ରୀ ବିଲ ବାଡି କୁଲି ଭୁତ୍ତି ଖଟିବ ! ମାଇପ ରୋଜଗାର କଲେ ଘଇତା ବସି ଖାଇବ !ଏବେ ବି କୋୟା ଝିଅମାନେ ଅଣ୍ଟାରେ କାନିକୁ ଭିଡି ଜମିରେ ହଳ କରିବା
ଦେଖିବାକୁ ମିଳେ !କୋୟା ମହିଳା ମାନେ ଖୁବ ପରିଶ୍ରମୀ !ଘରେ ପାଂଗୁଆ( ତୁଛା)ରେ ବସନ୍ତି ନାହିଁ ! ଦିନ ସାରା ବାର ପାଇଟି କରନ୍ତି !କିନ୍ତୁ ସୋମା ମନା କରିବାରୁ ମାଳତୀ ବହାରେ ପାଇଟି ପତରକୁ ଯାଏ ନି !ତାଂକ ସାହି ପଡିଶା କାମ କରିବାକୁ ଯାଆନ୍ତି…ବଣ ବୁଦା ଯାଇ ଫଳ ମୂଳ,ଗାଶ,କାଠ ଆଣନ୍ତି,ମାଳତୀଂକୁ ସାଂଗ କରନ୍ତି.. କିନ୍ତୁ ମାଳତୀ ମନା କରେ…ସେ କୁଆଡେ ଯିବ ନି…ସୋମା ଜାଣିଲେ ରିଷା ହେବ !ଏମିତିରେ ମାଳତୀର କି ଅଭାବ ଯେ…?ସୋମାତ ଟଂକା ବେଂକରେ ପଠାଉଛି…ମାଳତୀ ସବୁ ମାସରେ ବେଂକକୁ ଯାଇ ଟଂକା ଆଣି ଖରଚ କରୁଛି !ଏବେ ମାଳତୀ ପାଖରେ ଗୁଡାଏ ଟଂକା ହେଲାଣି !କେତେ ହେବ କେଜାଣି…ତାକୁ କୋଉ ଗଣିବା ବୁଝୁଛି ନା କିସ..! ଦଶ ଟଂକା,କୋଡିଏ ଟଂକା,ପଚାଶ ଟଂକା,ଶହେ ଟଂକା ଚିହ୍ନିଚି….ବାକି
ଜାଣି ନି ହିସାବ ନିକାସ..!!ହବ ପଚାଶ କି ଷାଠିଏ ହଜାର ! ସୋମା ଘରକୁ ଆସିଲେ ଗଣିବ !ମାଳତୀ ବି ସୋମା ପରି ସ୍ବପ୍ନ ଦେଖେ !ଭାବେ
ଗାଁରେ ରହିବ ନି !ଗାଁରେ କାଇଟା (କଣ) ଅଛି ! ସେ ବି ସୋମା ସହିତ ସହରରେ ରହିବ !ସେଠି ପିଲାମାନଂକୁ ଇଂଗିଲିଶ ଇସ୍କୁଲରେ ପାଠ ପଢାଇ !ପିଲା ଦି’ଟାକୁ ମଣିଷ କରେଇବ ! ଏକା ଏକା ଯୁବତୀ ମାଇପିଟା ଘରେ ବସି ବସି ବିଜାର ଲାଗିଲାଣି !ସୋମାର ଯତ୍ନ ନେବାକୁ ପରଦେଶରେ କିଏ ଅଛି ?ଏଥର ସୋମା ଗାଁକୁ ଆସିଲେ କହିବ-ସେ ତା ଛୁଆ ପିଲାକୁ ଧରି ସହରକୁ ନେବ !
ହଠାତ ଦିନେ ସୋମାକୁ ଜର ହେଲା ! ଦେହ ଥରି ଯନ୍ତ୍ରଣା ହେଲା !କାଶ ହେଲା !ମୁଣ୍ଡ ବଥା ହେଲା!ଶେଯରେ ପଡି ରହିଲା ! ସବୁ ଦିନେ ନିଜେ ରନ୍ଧା ବଢା କରିଖାଏ ;ସେତିକି ବି କରି ପାରିଲା ନାହିଁ ! ଭାରି କଷ୍ଟ ହେଲା !ଗୋଡ ଥରୁଛି ଉଠିଲେ !ଜରଟା ତିନି ଚାରି ଦିନ ହେଲା ହେଲାଣି !ପାଖ ଓଷ ଦୋକାନରୁ ଜର ବଟିକା ଆଣି ଖାଉଚି,ତଥାପି ଜରଟା ଛାଡୁ ନି !ବଟିକା ଖାଇଲା ପରେ ଟିକେ ଟିକେ କମୁଚି ପୁଣି ଯୋଉଟାକୁ ସେଇଟା ହଉଚି !ଡାକତରକୁ ଦେଖେଇଲା !ଗୁଡାଏ ଟେଷ୍ଚ ଫେଷ୍ଚ କରି ଓଷ ଲେଖି ଦେଲା !ଡାକତର
କହିଲା-କାମ ନକରି ଘରେ ବିଶ୍ରାମ ନେବାକୁ !ସୋମା କାମ ନକରି ଘରେ ବସିଲା !ଓଷ ଠିକ୍ ସମୟରେ ଖାଇଲା !ଦେହଟା ପନ୍ଦର ଦିନ ପରେ ଟିକେ ଉଣା ହେଲା !ତଥାପି କାଶାଟା ଲାଗି ରହୁଛି ! ଖିଆ ପିଆ ଭଲ ନାଇଁ !ସେବା କରିବାକୁ ପରଦେଶୀ ଜାଗାରେ କିଏ ଅଛି ?ମାଳତୀଟି ଥିଲେ ପାଖରେ ଖିଲେ ସିନା ତା’ ସେବା କରିଥାନ୍ତା !ସେ ତ ଗାଁରେ !ସୋମା ବାର କଥା ଭାବେ !ମାଳତୀ ଆଉ ତା ଛୁଆ ପିଲାଂକ କଥା ମନେ ପଡେ !ରାତିରେ ପ୍ରବଳ କାଶ ପାଇଁ ଶୋଇ ପାରେ ନା ! ନିରୁପାୟ !ପାଖରେ ମଦ ବୋତଲଟା ଅଛି !ଢୋକେ ମାରି ଦେଲା ସୋମା !ଭାରି ଆରାମ ଲାଗିଲା !ଶୋଇ ଗଲା ନିଦରେ !ସୋମା ଘରେ ବିଦେଶୀ ମାଲ ପାଣି ରଖେ…ଯେଉଁ ଦିନ ବେଶୀ ଖଟଣି ମୁନ୍ଦେ ନାଲି ପାଣି କୁକୁଡା ମାଉଁସ ଚାଖେଣା ସହ ମାରିଦିଏ !ଏମିତିରେ ସେ ଆଦିବାସୀ କୁଳରେ ଜନ୍ମ !ମଦ ପିଇବା କେଉଁ ପରମ୍ପରା ଗତ ଅଭ୍ଯାସ ! ମଦ ନପିଇଲେ ସେ ଆଦିବାସୀରେ ଗଣା ନାହିଁ !ଏଇଟା ଗୋଟାଏ ଚାଲି ଚଳଣିର ଅଂଗ !ତଥାପି ସୋମା ସବୁ ବେଳେ ମଦ ନିଏ ନି ! ରାତିରେ କେବେ କେମିତି ନିଏ !ତାର ଗୋଟେ ପ୍ରେଷ୍ଟିଜ ଅଛି ବୋଲି ସେ ଭାବେ !ସୋମା ପାଠ ପଢି ନପାରେ,କିନ୍ତୁ ଚାଲାକ ଅଛି !ସହରରେ ବଡ ବଡ ବାବୁ ଠାରୁ ଢେର କଥା ଶିଖିଛି !
ମାସେ ହେଲା କାମ ଧାମ ନାହିଁ !ମାଲିକ ଲୋକ ପଠାଇ ଡାକିଲା କାମ କରିବାକୁ….ସୋମା ମନା କଲା !ଦେହ ଦୁର୍ବଳ ! ବଳବପୁ ଥିଲେ ସିନା ଖଟିବ !ଏଣେ କାଶଟା ଛାଡୁ ନି ! ଓଷଟା କିଛି କାମ କରୁ ନି ବୋଲି ସୋମା ବିଦେଶୀ ପାଣି ମୁନ୍ଦେ ନ ପିଇଲେ ରାତିରେ ଆଖି ପତା ପଡେ ନି !ପାଖରେ ଯାହା ଥିଲା ଓଷ ପାଣିରେ ସରିଲା !ଏଥର ଭାବିଲା ଗାଁକୁ ପଳେଇ ଯିବ ;ଦେହ ଭଲ ହେଲେ ପୁଣି ଆସିବ !
ମାଲିକକୁ କିଛି ବାଟ ଖରଚ ମାଗି ସୋମା ଗାଁକୁ ଆସିଲା ! ଚାଲି ପରୁନି!ଦେହ ଆଗ ଭଳି ତେଜ ନାହିଁ ! ଶୁଖିଲା ଡାଂଗ !ପେଣ୍ଟ
ସାଟ୍ ମଇଳା ! ହାତରେ ଖଣ୍ଡେ ଝୁଲା ମୁଣି ! ସେଥିରେ ସୋମାର ପୁରୁଣା ପୋଷାକ ପତ୍ର କେଇ ହଳ !
ମାଳତୀ ଫୁନ୍ କରି ସବୁ ଜାଣିଛି ;ସୋମାର ଦେହ ଭଲ ନାଇଁ !ସେ ଗାଁକୁ ଆସିବାକୁ ବାରମ୍ବାର ଡାକିଛି !ତଥାପି ସୋମାର ଦେହ ଭଲ ହେଲେ କାମ କରିବ ଆଶାରେ କଷ୍ଟ ସହି ସେଠାରେ ପଡି ରହିଛି !ସୋମା ଆଉ ପାରିଲା ନାହିଁ ! ମାସେ ଦେଢ ମାସ ଭିତରେ ଦେହଟା କଂକାଳ ହୋଇ ଗଲା !ହିରୋ ପରି ଚେହେରା ଥିଲା !ଗାଁ ଟୋକାମାନେ ତାଂକୁ ଚିରଞ୍ଜବୀ ବୋଲି ଡାକୁଥିଲେ !ତା ନାଁ ଧରି ଡାକୁ ନଥିଲେ !ସମୟ ବଦଳି ଗଲା !ମାଳତୀର ସୁଖର ସଂସାରରେ ନିଆଁ ଲାଗିଗଲା !ସୋମାକୁ ଦେଖି କଇଁ କଇଁ କାନ୍ଦି ପକାଇଲା !ପଣତ କାନିରେ ସୋମର ଶୁଖିଲା ମୁହଁଟାକୁ ବିକଳେ ପୋଛି ପକାଇଲା ! ସୋମାର ବି ଆଖିରେ କୋହ ଭରା ଦୁଇଟୋପା ଲୁହ ଝରି ଗଣ୍ଡ ମଣ୍ଡଳ ଓଦା ହୋଇଗଲା !
ମାଳତୀ ଯେମିତି ହେଲେ ବି ସୋମାକୁ ଭଲ କରିବ !ତା ପାଇଁ କୁଲି ମଜୁରୀ ଲାଗିବ !ମନେ ମନେ ସୋମର ଦେହ ଭଲ କରିବା ପାଇଁ ମାଉଲୀ ମାଆ ଦେବାକୁ ସୁମରଣା କଲା, ସୋମାକୁ ଭଲ କରି ଦେଲେ ମାଆ ପାଖରେ ପାଞ୍ଚଟା ନାଲି କୁକୁଡା ବଳୀ ଦେବ !ମାନ୍ଯମ କୋଣ୍ଡର ପ୍ରତ୍ଯକ୍ଷ ଦେବୀ ମୁତ୍ଯାଲୁମ୍ମା ଠାକୁରାଣୀକୁ ମଧ୍ଯ ମାନସିକ କଲା,ମାଆ ସୋମାକୁ ଭଲ କରିଦେଏ ବୋଲି ଜୁହାର ହେଲା,ଆଇଲା ବରଷକୁ ଗୁଟେ(ଗୋଟେ) କାଳିଆ ନିଖୁଣ ବୁଦା(ବୋଦା)ଛେଦ ପକାଇବ ବୋଲି ସଂକଳ୍ପ କଲା !ସୋମା ଦେହ ଦିନକୁ ଦିନ ଖରାପ ହେବାରୁ ତୁରନ୍ତ ମାଳତୀ ସୋମାକୁ ମାଲକାନଗିରି ହସପିଟାଲକୁ ଅଟୋ ରିକ୍ସାରେ ନେଲା !କଫ ପରୀକ୍ଷା,ରକ୍ତ ପରୀକ୍ଷା,ଛାତିର ଫଟୋ କାଢିଲା !ଡାକ୍ତର କହିଲା ସୋମାକୁ ଯକ୍ଷ୍ମ ହୋଇଛି !ଓଷ ଖାଇଲେ ଧୀରେ ଧୀରେ ଭଲ ହୋଇଯିବ ବୋଲି ଡାକ୍ତର ଆଜ୍ଞା ଆଶା ଭରସା ଦେଲେ !ମାଳତୀ କହିଲା-ଡାକରତ ଆଜ୍ଞ କଡା କଡା ଇଂଜିସିନି ଦିଅ,ଭଲ ଭଲ ଓଷ ନେଖ…ଯାହା ଖରଚ ହେଉ ପଛେ ମୋ ସୋମାକୁ ଭଲ କରି ଦିଅ ମାଫ୍ରୁ !ମାଳତୀ କଥାରେ ଡାକ୍ତରବାବୁ ଭଲ ଓଷ ଲେଖିଲେ !ଏ ଭିତରେ ଛଅ ମାସ ବିତି ଗଲାଣି,ସୋମା ଭଲ ହେବାର ନାଇଁ !ମାଳତୀ ବିଚାର କଲା କୋରାପୁଟ ବଡ ମେଡିକାଲକୁ ନେବ ! ଖଟ ଜଇନି କରି
ପୁରା ପୁରି ଭଲ ହେଲେ ଆସିବ ! ପାଖରେ କିଛ ଟଂକା ଥିଲା !ସୁନା ଗହଣା ବିକି ଆଉ କିଛି ଡାବୁ ଯୋଗାଡ କଲା !ଯାହା ଥିଲା ଡାବୁ ଡୁବା
ସବୁ ସୋମା ମୂଳେ ଖର୍ଚ୍ଚ !ପ୍ରାଣ ପଣେ ଲାଗିଛି ମାଳତୀ ସୋମାକୁ ମରଣ ମୁହଁରୁ ଟାଣି ଆଣିବ !ବଡ ଝିଅ ବେବିକୁ ତା ଜେଜେ ମାଆ ପାଖରେ ରଖି ସୋମାକୁ ଧରି ବାହାରି ପଡିଲା କୋରାପୁଟ !ସେଠିଥିବା
ବଡ ମେଡିକଲରେ ଖଟ ଜଇନି କଲା ! ସାନ ପୁଅଟାକୁ ପାଖରେ ଧରି ସେବା କଲା ମାଳତୀ !ତାକୁ ଟେକା ଥୁଆ କଲା !ଝଡା ପରିଶ୍ର ସଫା କଲା !ଓଷ ପତ୍ର ବାହାରୁ କିଣି ଦେଲା !ରାତି ଦିନ ସୋମା ପଖରେ ଜଗି ବସିଲା !ଡାକତରକୁ ବାରମ୍ବାର ପଚାରିଲା…ମୋ ସୋମା ଭଲ ହେଇ ଯିବ କି ବାବୁ !ଡାକତର ସବୁ ବେଳେ ଛୋଟିଆ ହଁ ଟି ମାରି ଚାଲି ଯାଏ !ମନରେ ଭରସା ଆସେ ମାଳତୀର ଡାକତରବାବୁର ଛୋଟିଆ ହଁ ଟିଏ ଶୁଣି !
ଏଣେ ବେବିର ପାଠ ପଢା ବନ୍ଦ ! ଇଂଗିଲିଶ ପାଠ !ମାସକୁ ମାସ ଡାବୁ ନଦେଲେ ଇସ୍କୁଲ କେମିତି ଯିବ ! ମାଳତୀ ପାଠ ଝିଅକୁ ପଢାଇବ ନା ସୋମାକୁ ଦେଖିବ !କେତେ ଦିନ ଗଲା !ସେ ଦିନ ରଇବାର !ରଇବାରୀ ଚାଳରେ ସକାଳୁ ସକାଳୁ କାଉଟା କା..କା…ହେଉଥାଏ !ରଇବାରୀର ପଛରେ ପଛରେ ରାବୁଛି !ରବିବାରୀରୁ କାଉର ଏପରି ଲକ୍ଷଣ କିଛି ଅବୁଝା ଅବୁଝା ଲାଗୁଥାଇ !
କିଛି ଅଶୁଭ ସଂକେତ ବୋଲି ଭାବିଲା ! ସେ ବୁଢି ହେଲାଣି !ବୁଢାର ହାତ ଗୋଡ ପଙ୍ଗୁ ବୋଲି ବୁଢି ମଣିଷଟା ଖଟି ଖଟି ଖୁଉଛି !କେତେବେଳେ ନଈ ଗାଡିଆରୁ ସୁନୁସୁନିଆ ଶାଗ,ମଦରଙ୍ଗ ଶାଗ,ଲେଉଟିଆ,କଳମ ଶାଗ ତୋଳି ହାଟରେ ବିକି ଦି’ ପଇସା ଆଣି ଜାଉ ତୋରାଣି କରି ଚଳେ !ଏବେ ବୁଢା ବୁଢିକୁ କିଏ ପୋଷିବ !ସୋମାର ଦେହ ଖରାପ,ସେ ଘର ଚଳଉଥିଲା !ସେ ଏବେ ବଡ କାଇଲାରେ ପଡିଛି !ମାଆ ରଇବାରୀ ବୁଢି ଠାକୁରାଣୀକୁ ଡାକିଲା-ତା ପୁଅ ସୋମାକୁ ଭଲ କରି ଦେଏ ମାଆ ବୋଲି !ସଂଜ ବୁଡିବାକୁ ଦି’ଘଡି ବାକି ଗୌଡଗୁଡାରେ ପହଞ୍ଚିଲା ସ୍ବର୍ଗ ରଥ ! ଗାଁ ଲୋକେ ସ୍ବର୍ଗ ରଥ ଦେଖି ଛାନିଆ ! ସତରେ କାହାର କଣ ହେଲା ? ଚାହୁଁ ଚାହୁଁ ଗାଡିଟା ଲାଗିଲା ଶୁକ୍ରାର ଦାଣ୍ଡ ଦୁଆରେ !ସାଇ ଭାଇ ରୁଣ୍ଡ ହେଲେ ସେଠାରେ !ମାଳତୀ ଗାଡିରୁ କୋଳପୋଛା ପୁଅଟାକୁ କାଖେଇ ଓହ୍ଲାଇ ପଡିଲା ଗାଡିରୁ !ଭୋ ଭୋ ହୋଇ ଅତି ବିକଳରେ କାନ୍ଦି ପକାଇଲା !ତା ସଂସାର ଉଛନ ହୋଇ ଗଲା,, ତା ସୁନା ସଂସାରରେ ନିଆଁ ଲାଗିଗଲା !
ସେ ମୋମାକୁ ବଂଚେଇ ପାରିଲା ନି…ତା ଡାକ ମାଆ ମାଉଲୀ…ମା…ମୁତ୍ଯାଲୁମ୍ମା ଶୁଣିଲେ ନାହିଁ !ଭୂଇଁରେ ବାଡେଇ ପିଟି କନ୍ଦିଲା! ସେ ବେସାହାର ହୋଇ ଗଲା !ଶବକୁ କାଢିଲେ ଗାଡିରୁ !ଧୀରେ ଧୀରେ ମଢା ଛାଡି ଦେଇ ସ୍ବର୍ଗରଥ ଚାଲି ଗଲା କୋରାପୁଟ ଅଭିମୁଖେ !ସାଇ ଭାଇମାନେ ସୋମକୁ କାନ୍ଧେଇ ମଶାଣିରେ ଦାହ କରି ଆସିଲେ !ଶୁଦ୍ଧି କ୍ରିୟା କୋୟା ସମାଜର ରିତି ନୀତି ଅନୁସାରେ ହେଲା !
ମାଳକୀ ଧର କରଜ କରି ହାଣ୍ଡି କଲା ! ବିଧବା ହୋଇଗଲା ମାଳତୀ !ସବୁ ଦିନ ପାଇଁ ଏକା କରି ଚାଲି ଗଲା ସୋମା !ସବୁ ସ୍ବପ୍ନ ପାଣି ଫୋଟକା ପରି ମିଳେଇ ଗଲା !ଆଜି ପରି ସୋମାର ମୁହଁଟା ନାଚି ଉଠେ ମାଳତୀ ଆଖିରେ !ସୋମା ତାକୁ କେତେ ଭଲ ପାଉଥିଲା !ରାଣୀ କରି ରଖିଥିଲା !ଏବେ ମାଳତୀ
ଦାଣ୍ଡର ଭିକାରୁଣୀ !ବିଧବା !ଆଉ ନାହିଁ ଦେହରେ ନୂଆ ଶାଢୀ କି ହାତରେ ଦୁଇ ମୁଠା ଚୁଡି ! ସବୁ ଦିନ ପାଇଁ କପାଳରୁ ଲିଭି ଗଲା ସିନ୍ଦୂର !ମୁହଁ ଲୁଚେଇ ଲୁଚେଇ କାନ୍ଦେ !ଘରେ ଚାଉଳ ଦି’ମୁଠା ନାଇଁ !
ଏବେ ସେ କୁଲି ଭୁତ୍ତି କରିବାକୁ ବାହିରି ପଡେ ବାହାରକୁ !ବଣ ରଣ କରେ ! ବାର ପାଇଟି କରେ !ଆଗ ପରି ସେ ମାଳତୀ ନାଇଁ ! ତା ଗହମ ଗୋରା ଦେହଟା କଳା କାଠ ପଡି ଗଲାଣି ଖରା ତରାରେ ବୁଲି ବୁଲି !ପିଲା ଦି’ଟା ମୁହଁରେ କିଛି ଖାଇବାକୁ ଦେବ !
ଶାଶୁ ରଇବାରୀ ପୁଅ ସୋମା ମଲା ପରେ ଉଦାସ !ବହୂକୁ ଭଲ ପାଏ ନି !ସବୁ ବେଳେ ଗର ଗର !ଏ କେଇ ଦିନ ହେଲା ତାକୁ ଘରୁ ଅଲଗା କରି ଦେଲାଣି !ମାଳତୀ ତା ପୁଅ ଝିଅ କୁ ଧରି ଅଲଗା ରହେ !
ଯାହା ଯେଉଁଠି ମିଳିଲା ପାଇଟି କରି ଏକ ରକମ ଚଳେ !ବରଷେ ଛଅ
ମାସ ଗଲା ! ଜୀବନ ଯୁଦ୍ଧରେ ହାରି ଗଲା ମାଳତୀ ! ସବୁ ଦିନ କେଉଁଠି କାମ ମିଳୁଛି ! ପିଲାମାନଂକୁ ଭାତ ମୁଠେ ଯୋଗାଡ କରିବା କାଠିକର ପାଠ ହେଲା! ପିଲାମାନେ ଖାଇବା ପାଇଁ ସଦାସର୍ବଦା ଅଳି ଅର୍ଦ୍ଦଳି କରନ୍ତି ! ସେମାନଂକୁ କେତେ ବୁଝାଇ ଭୋକିଲା ପେଟରେ ଶୁଆଇବ!ଖୁବ୍ କାନ୍ଦିଲା ମାଳତୀ !ଅତି ଚିତ୍କାର କରି କାନ୍ଦିଲା! ସୋମକୁ ମନେ ପକାଇ ପକାଇ କୋହ ଭରା କଣ୍ଠରେ ବାହୁନି ବାହୁନି କାନ୍ଦିଲା !ସାଇ ପଡୋଶୀ ମାଇକିନାମାନେ ମାଳତୀକୁ ତୁନେଇଲେ ! ବହୁତ ବୁଝେଇଲେ !କଣ କରିବା କପାଳ ଲିଖନ କେ କରିବ ଆନ କହିଲେ ! କିଛି ବୁଝିଲା ନି ମାଳତୀ !ସତରେ ତା କପାଳ ଫଟା !ପିଲା ବେଳୁ ବାପା ମାଆ ହରାଇଲା !ଏବେ ଯୌବନରେ ସ୍ବାମୀକୁ ! ସବୁ ସୁଖ ତାର ପୋଡି ଜଳି ଛାରଖାର ହୋଇଗଲା !କାହାକୁ ଆଶ୍ରକରି ଜୀବନ ଧରିବ ! ସେ ହାରି ଗଲା ! ତା ମେରୁଦଣ୍ଡ ସବୁ ଦିନ ପାଇଁ ଭାଂଗିଗଲା !ସେ ଦିନ ସଂଧ୍ଯା ରତ ରତ ! ମାଳତୀର ପିଲା ଦୁଇଟା ବାନ୍ତି ଉଛାଳ କରି ପିଣ୍ଡାରେ ଛଟ ପଟ ହେଉଛନ୍ତ ! କାହାର ପାଟି ଫିଟୁନି !କେତେ ଜଣ ଘରକୁ ଗଲେ !ମାଳତୀ ଚେତା ଶୂନ୍ଯ ହୋଇ ଘର କୋଣେ ପଡିଛି !ଲୋକମାନଂକୁ ବୁଝିବା ପାଇଁ କିଛି ଅସୁବିଧା ହେଲା ନି !ମାଳତୀ ବିଷ ପାନ କରିଛି !ପିଲା ଦି’ଟାକୁ ବିଷ ଦେଇ ଦେଇଛି !କିଛି ଲୋକ ମାଆ ପୁଅ ଝିଅ ତିନି ଜଣଂକୁ ମାଲକାନଗିରି ହସପିଟାଲକୁ ନେଲେ !ମାଳତୀ ସେଠାରେ ଆଖି ବୁଜି ଦେଲା ସବୁ ଦିନ ପାଇଁ ! ପୁଅ ଝିଅର ଦୁଇ ତିନି ଦିନ ପରେ ଚେତା ଫେରି ଆସିଲା !ସାତ ଦିନ ପରେ ଭଲ ହୋଇ ଜେଜେମା ପାଖକୁ ଫେରି ଆସିଲେ !ମାଆକୁ ଖୋଜିଲେ !ବେବି କହିଲା ମୋ ମାଆ କାଇଁ…!ମତେ ମାଆ ଦରରାର !!ରଇବାରୀ ପିଲା ଦୁଇଟା କୋଳରେ ଧରି ଭୋ ଭୋ ହୋଇ କାନ୍ଦିଲା !ଜେଜେମା ପାଟିରୁ କିଛି ଉତ୍ତର ବାହାରିଲା ନାହିିଁ !!