Odisha news

କୋବିଦ କଟକଣା ଭିତରେ ମହାଶିବରାତ୍ରୀ ପାଳନ ହେବ

0

ଭୁବନେଶ୍ବର: ଏବେ ଚିହ୍ନଟ ହୋଇଥିବା ନୂଆ ପ୍ରଜାତିର କୋଭିଡ ଭୂତାଣୁ ସାର୍ସ-କୋଭ୨ ବିରୋଧରେ ଓଡ଼ିଶା ସଂଗ୍ରାମ ଜାରି ରଖିଛି। ଟିକିଏ ଅସାବଧାନ ହେଲେ ସ୍ଥିତି ବିଗିଡ଼ିପାରେ। ଆସନ୍ତା ଗୁରୁବାର ମହାଶିବରାତ୍ରୀ ଥିବାରୁ ଶୈବ ପୀଠ, ମନ୍ଦିର, ପୂଜାସ୍ଥଳୀରେ ଅଧିକ ଭକ୍ତ ଏକାଠି ହେବାର ସମ୍ଭାବନା ରହିଛି। ସ୍ଥାନୀୟ ଅଞ୍ଚଳରେ ମହାମାରୀର ସ୍ଥିତି ଦେଖି ଭକ୍ତଙ୍କ ଭିଡ଼ ଉପରେ ଦୃଷ୍ଟି ଦିଅ। ଆଜି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଜାଗର ପାଳନ ପାଇଁ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଏପରି ସତର୍କ କରାଇଦେଇଛନ୍ତି। କହିଛନ୍ତି ଯେ ନିଜ ଜିଲ୍ଲା ଓ ସହରାଞ୍ଚଳରେ ସ୍ଥାନୀୟ ସଂକ୍ରମଣ ଅବସ୍ଥାକୁ ଦେଖି ଆବଶ୍ୟକ ପଦକ୍ଷେପ ନିଅ। ନଚେତ୍‌ ପୁଣି ଥରେ ମହାମାରୀ ନିୟନ୍ତ୍ରଣ ବାହାରକୁ ଯାଇପାରେ।

ଶ୍ରୀ ଜେନା ନିର୍ଦ୍ଦେଶ ଦେଇ କହିଛନ୍ତି, କୋଭିଡ ମହାମାରୀ ଜାରି ରହିଥିବାରୁ ଗୋଟିଏ ସ୍ଥାନରେ ବହୁ ଲୋକଙ୍କୁ ଏକାଠି ନ ହେବାକୁ ସରକାର କଟକଣା ଜାରି ରଖିଛନ୍ତି। ଯଦିଓ ରାଜନୈତିକ, ସାମାଜିକ କାର୍ଯ୍ୟକ୍ରମ, କ୍ରୀଡ଼ା, ଆମୋଦ ପ୍ରମୋଦ, ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଓ ଧର୍ମୀୟ ସ୍ଥଳୀଗୁଡ଼ିକରେ ଲୋକଙ୍କ ସଂଖ୍ୟାକୁ ୫୦୦ ଭିତରେ ସୀମିତ ରଖାଯାଇଛି। ତଥାପି ଆବଶ୍ୟକ ସ୍ଥଳେ ଏହି ସଂଖ୍ୟାକୁ ଆହୁରି ନିୟନ୍ତ୍ରଣ କରାଯାଇପାରିବ। ଜିଲ୍ଲାପାଳମାନେ ସେମାନଙ୍କ ଅଞ୍ଚଳର ସଂକ୍ରମଣ ସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରିବେ। ଏ ନେଇ ଗତମାସ ୨୬ ତାରିଖରେ ଭାରତ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୧୧ ତାରିଖରେ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଧାର୍ମିକ ପୀଠସ୍ଥଳୀଗୁଡ଼ିକରେ ବହୁ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏଥିପାଇଁ ବହୁ ଭକ୍ତ ଉପବାସ ପାଳନ କରି ଶିବଲିଙ୍ଗ ପୂଜା କରିବା ହିତ ସାରା ରାତି ଉଜାଗର ରହି ଧ୍ୟାନ ଓ ଦୀପ ପ୍ରଜ୍ବଳନ କରିବେ। ବହୁ ଲୋକଙ୍କ ସମାଗମ ହେଲେ ପୁଣି ଥରେ କୋଭିଡ ମହାମାରୀ ବ୍ୟାପିବା ଆଶଙ୍କା ରହିଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ପୂର୍ବରୁ ଜାରି ହୋଇଥିବା ସମସ୍ତ କୋଭିଡ ନିୟମ ଯେପରି କଡ଼ାକଡ଼ି ଅନୁପାଳନ ହେବ ସେଥିପାଇଁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନେ ତ୍ବରିତ୍‌ ପଦକ୍ଷେପ ନେବାକୁ ଏସ୍‌ଆର୍‌ସି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Govt
Leave A Reply