ମାହାଙ୍ଗା୨୯ା୮ : କଟକ ଜିଲ୍ଲା ମାହାଙ୍ଗା ତହସିଲ ଅନ୍ତର୍ଗତ ଚାହାପଡା ପଂଚାୟତର ଜହଳ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ରାମଚନ୍ଦ୍ର ମହାରଣା, ଲକ୍ଷ୍ମୀଧର ମହାରଣା, ଭରତ ଚନ୍ଦ୍ର ମହାରଣା ନିଜ ଘରେ ଶୋଇଥିବା ସମୟରେ ଘର ଜଳିଯାଇଥିବା ଜାଣିପାରି ଜୀବନ ବଂଚାଇବାକୁ ଯାଇ ଘରୁ ବାହାରି ଯାଇଥିଲେ । ତେବେ ବିଦୁ୍ୟତ ସର୍ଟସର୍କିଟିରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡରେ ଘରର ଲୋକମାନେ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଘରର କୌଣସି ଆସବାପତ୍ର ଉଦ୍ଧାର କରାଯାଇ ପାରିନାହିଁ ।
କଆଁପାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିବା ବେଳକୁ ଘର ସଂପୂର୍ଣ୍ଣ ଜଳିଯାଇଥିଲା । ଖବର ପାଇଁ ଆଜି ସକାଳୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଘରପୋଡି ସଂପର୍କରେ ସୂଚନାପାଇବା ମାତ୍ରେ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସରପଂଚଙ୍କ ପ୍ରତିନିଧି ପ୍ରକାଶ ରାଉତ, ସମିତିସଭ୍ୟଙ୍କ୍ ପ୍ରତିନିଧି ପ୍ରମୋଦ ସ୍ୱାଇଁ, ପୂର୍ବତନ ସରପଂଚ ନିରଞ୍ଜନ ବିଶ୍ୱାଳ, ପଂଚାୟତ ବିଜେଡି ସଭାପତି ପ୍ରଫୁଲ୍ଲ ମଲ୍ଲ ପ୍ରମୁଖ ଘଟଣାସ୍ଥଳରେ ପହଂଚି ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଚାହାପଡା ଆର ଆଇ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି ।