Odisha news

ଅଦୃଶ୍ୟ ଆତଙ୍କ : ଲାଗୁ‌‌ ହେଲା ମହାମାରୀ ଆଇନ

0

ଜିଲ୍ଲାପାଳ, ମ୍ୟୁନିସପାଲ କମିସନର ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସ୍ବତନ୍ତ୍ର କ୍ଷମତା
ମିଥ୍ୟା ଖବର ପ୍ରସାର କଲେ ଗଣମାଧ୍ୟମ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କରୋନା ପାଇଁ ରାଜ୍ୟରେ ଆଜିଠୁ ୧୮୯୭ ମସିହା ମହାମାରୀ ରୋଗ ଆଇନ ବା ଏପିଡେମିକ୍ ଡିଜିଜ୍ ଆକ୍ଟ ଲାଗୁ ହୋଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆଇନ ବଳରେ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିସନର ଓ ରାଜ୍ୟସ୍ତରରେ ଡିଏମ୍‌ଇଟି, ଜନସ୍ବାସ୍ଥ୍ୟ ନିର୍ଦେଶକ ଓ ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କୁ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଛି। କରୋନା(କୋଭିଡ-୧୯)ର ନିୟନ୍ତ୍ରଣ ଦିଗରେ ଏହି ଅଧିକାରୀମାନେ କାର୍ଯ୍ୟ କରିବେ। ରାଜ୍ୟରେ ଅନେକ କରୋନା ସନ୍ଦିଗ୍ଧ ହସ୍ପିଟାଲରୁ ଖସିଯିବା ଓ କିଛି ସନ୍ଦିଗ୍ଧ ବିଭିନ୍ନ ବାହାନା କରି ସ୍ବାସ୍ଥ୍ୟ ବିଭାଗକୁ ସେମାନଙ୍କ ଯାତ୍ରା ସଂପର୍କିତ କୌଣସି ସୂଚନା ଦେଉ ନାହାନ୍ତି। ତେଣୁ ଏଭଳି ବ୍ୟକ୍ତିଙ୍କୁ କିଭଳି କ୍ବାରାଣ୍ଟାଇନ୍ ବା ପୃଥକ ଭାବେ ରଖିବା ଦିଗରେ ଏହି ଆଇନ ବଳରେ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିବେ।

ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ଆଇନ ସଂପର୍କରେ ସୂଚନା ଦେଇ କହିଲେ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର ଭାବେ ସ୍କ୍ରିନିଂ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ନିକଟରେ ରାଜ୍ୟର ବେସରକାରୀ ଡାକ୍ତରଖାନା କର୍ତୃପକ୍ଷଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଡାକ୍ତରଖାନାରେ ସନ୍ଦିଗ୍ଧଙ୍କ ପୂର୍ବ ଯାତ୍ରା ସଂପର୍କରେ ରିପୋର୍ଟ କରାଯିବା ସହିତ ଯେଉଁ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବେ‌ ସେମାନଙ୍କ ସମସ୍ତ ତଥ୍ୟ ରେକର୍ଡ କରାଯିବ। କୌଣସି ବେସରକାରୀ ଡାକ୍ତରଖାନା ପରୀକ୍ଷାଗାରରେ କରୋନା ଭୂତାଣୁର ପରୀକ୍ଷାକୁ ବାରଣ କରାଯାଇଛି। ସଂପୃକ୍ତ ଡାକ୍ତରଖାନା କର୍ତୃପକ୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜରିଆରେ ନମୁନାକୁ ପଠାଇବେ। ସ୍ବାସ୍ଥ୍ୟ ବିଭାଗ ଆବଶ୍ୟକ ଗାଇଡଲାଇନ୍ ଅନୁଯାୟୀ ନମୁନାକୁ ଆରଏମ୍‌ଆରସିକୁ ପଠାଇବାର ବ୍ୟବସ୍ଥା କରିବେ।

ସେହିପରି ଗାଁ, ୱାର୍ଡ, କଲୋନିରେ କେତେ ଲୋକ ଏକାଠି ହେବେ ସେ ସଂପର୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ/ମ୍ୟୁନିସପାଲ କମିସନର ଏ ସଂପର୍କରେ ନିଷ୍ପତ୍ତି ନେବେ। ସବୁ ବିଭାଗ ସମେତ କର୍ପୋରେଟ୍ ସଂସ୍ଥା ଓ ଅନ୍ୟ ପ୍ରତିଷ୍ଠାନଗୁଡ଼ିକୁ ନିର୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟର ପ୍ରମୁଖ ମେଡିକାଲ ‌କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ୍‌ ୱାର୍ଡ ପ୍ରତିଷ୍ଠା କରାଯାଇଛି। ତେବେ ଯେଉଁ ଗଣମାଧ୍ୟମ ସଂସ୍ଥା କରୋନା ସଂପର୍କିତ କୌଣସି ମିଛି କିମ୍ବା ଗୁଜବର ପ୍ରଚାର କରିଥିବା ନଜରକୁ ଆସିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ରାଜ୍ୟରେ ଏବେ ଯଥେଷ୍ଟ ପରିମାଣର ଔଷଧ ଓ ଅନ୍ୟାନ୍ୟ ମେଡିକାଲ ଉପକରଣ ମହଜୁଦ ରହିଛି। ଯଦି ଆବଶ୍ୟକତା ପଡ଼େ ତେବେ ଜରୁରୀକାଳୀନ ପରିସ୍ଥିତିରେ ମେଡିକାଲ ଉପକରଣ କିଣାଯିବ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ରାଜ୍ୟରେ ୧୪୧ କରୋନା ସନ୍ଦିଗ୍ଧ
ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚୀନ୍ କିମ୍ବା କରୋନା ସଂକ୍ରମିତ ଦେଶରୁ ଫେରିଥିବା ନୂଆ କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ କ୍ବାରାଣ୍ଟାଇନ୍‌ରେ ରହୁଛନ୍ତି। ଆଜି ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୪୧ ଜଣ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଆଜି ୩ଜଣ ବ୍ୟକ୍ତି ଅବଜରଭେସନ୍‌ରେ ଓ ୩ଜଣ ହସ୍ପିଟାଲରେ ରହିଛନ୍ତି। ଜଣଙ୍କୁ ଘରେ ପୃଥକ୍ ଭାବେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଯାଏ ମୋଟ ୨୧ଟି ନମୁନା ମଧ୍ୟରୁ ସମସ୍ତ ନମୁନା ନେଗେଟିଭ୍ ରହିଥିବା ସୂଚନା ମିଳିଛି।

Leave A Reply