Odisha news

ପୁଣି ବାରାହା ଶିକାରୀଙ୍କୁ ଦେଖିବାକୁ ମିଳିଲା ବତୀଘର ଅଂଚଳରେ : ୨ ଶିକାରୀ ଗିରଫ, ୩ କିଲୋ ବାରାହା ମାଂସ ଜବତ

0

ମହାକାଳପଡ଼ା (୩/୧୦)- ମହାକାଳପଡ଼ା ବ୍ଳକ ସମୁଦ୍ର ତଟବର୍ତୀ ଅଂଚଳ ହେନ୍ତାଳ ଜଙ୍ଗଲ ମଧ୍ୟରେ ଥିବା ବନ୍ୟଜୀବଜନ୍ତୁଙ୍କୁ ଶିକାର କରିବା ପାଇଁ ଏବେବି ଶିକାରୀମାନଙ୍କର ଦୌରାତ୍ମ୍ୟ ଚାଲିଛି । ସେ ବାରାହା ହୁଅନ୍ତୁ, ହରିଣ ହୁଅନ୍ତୁ ବା ଅନ୍ୟାନ୍ୟ ଜୀବଜନ୍ତୁ ହୁଅନ୍ତୁ । ବନବିଭାଗ କଡ଼ା ପହରା ଦେଉଛି ବୋଲି ଦାବି କରୁଛି । ଏଣେ ଶିକାରୀମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନି । ଯାହାର ସ୍ପଷ୍ଟ ଚିତ୍ର ପୁଣି ଆଜିଦେଖିବାକୁ ମିଳିଛି ବତୀଘର ଅଂଚଳରେ ।

ବତୀଘର ଫରେଷ୍ଟ ବିଟ୍ ଅଂଚଳରେ ଆସୁଥିବା କଂସାରଡିଆ ରିଜର୍ଭ ଫରେଷ୍ଟ ଅଂଚଳରୁ ଫରେଷ୍ଟର ସଂଜୟ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରି ପ୍ରାୟ ୩ କିଲୋ ବାରାହା ମାଂସ ସହ ବରକୋଳି ଖଳା ଗ୍ରାମର ହିମାଂସୁ ମାଇତି ଓ କୋଚିଳା ବେଲାରୀ ଗ୍ରାମର ଆଶିଷ ପ୍ରଧାନଙ୍କୁ ଗିରଫ କରିଛି । ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାକୁ ବନବିଭାଗର କର୍ମଚାରୀମାନେ ନିଯୁକ୍ତ ଅଛନ୍ତି । ଏହା ସତ୍ୱେ କେମିତି ଦୁଇ ଶିକାରୀ ଜଙ୍ଗଲ ଭିତରକୁ ପସିଲେ ।

ଏଣେ ତିନିକିଲୋ ବାରାହା ମାଂସ ଜବତ ହୋଇଥିବା ବେଳେ ବାକିତକ ମାଂସ କୁଆଡ଼େ ଗଲା ବୋଲି ପଚାରିବାରୁ ଫରେଷ୍ଟର ମହୋଦୟ କୁହନ୍ତି ଆମ୍ଭେ ଗଲା ବେଳକୁ ଶିକାରୀମାନେ ଛାନିଆରେ ମାଂସଗୁଡ଼ିକ ଫୋପାଡ଼ି ଦେଇଥିଲେ । ମହାକାଳପଡ଼ା ବ୍ଳକ ବତୀଘର ପଂଚାୟତ ଏକ ଦ୍ୱୀପାଂଚଳ । ଯାହାକୁ ଚାରିପଟରୁ ନଦୀ ଓ ସମୁଦ୍ର ଘେରି ରହିଛି । ଏ ଅଂଚଳରେ ବନବିଭାଗ ଟଙ୍କା ଖର୍ଚ୍ଚ କରି ଜଙ୍ଗଲ ତିଆରି କରୁଛି ଓ ଏହି ଜଙ୍ଗଲକୁ ସୁରକ୍ଷାଦେବାକୁ ମଧ୍ୟ ବନବିଭାଗ କର୍ମଚାରୀମାନେ ଦିନରାତି ପାଟ୍ରୋଲିଂ କରୁଛନ୍ତି ।

କ୍ରମାଗତଭାବେ ବତୀଘର ଅଂଚଳରୁ ବାରାହା ଓ ହରିଣ ଶିକାରୀ ଗିରଫ ହେବା ଦ୍ୱାରା ଜଙ୍ଗଲୀ ଜୀବ ଅସୁରକ୍ଷିତ ହୋଇପଡ଼ିଲେଣି ବୋଲି ସାମାଜିକ କର୍ମୀ ସୁବାଷ ସ୍ୱାଇଁ ଓ ପରିବେଶବିତ୍ ସମରେନ୍ଦ୍ର ମାହାଳି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଶ୍ରୀ ମାହାଳିଙ୍କ କହିବାକଥା ଘଂଚ ଜଙ୍ଗଲ ମଧ୍ୟରେ କ୍ରମାଗତ ଭାବେ ଜଙ୍ଗଲୀ ଜୀବଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି ।

ଏହାକୁ ବନ୍ଦ କରାଯିବା ଦରକାର । ଏଣେ ବରକନ୍ଦା ଗ୍ରାମରେ ପ୍ରାୟ ୨୦ ଦିନ ତଳେ ଗୋଟିଏ ବାରାହାକୁ ସେଠିକା ଲୋକେ ମାରି ମାଂସ କାଟି ଭାଗବଂଟା କରୁଥିବା ବେଳେ ଜଙ୍ଗଲ ବିଭାଗର କର୍ମଚାରୀମାନେ ଯାଇ ସେଠାରେ ଖାଲି ହାତରେ ଫେରିବା ଘଟଣାକୁ ମଧ୍ୟ ପରିବେଶବିତ୍ ଶ୍ରୀ ମାହାଳି ତିବ୍ର ନିନ୍ଦା କରିଛନ୍ତି । ବନବିଭାଗ କର୍ମଚାରୀମାନଙ୍କ ଆଗରେ କେମିତି ଏହି ଦୁବୃର୍ତମାନେ ଖସିଗଲେ । ଯାହାକୁ ନେଇ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜିର ଚଢ଼ାଉରେ ବତୀଘର ଫରେଷ୍ଟର ସଂଜୟ ପ୍ରଧାନଙ୍କ ସହିତ ସତ୍ୟଜିତ ପାଣି, ବୈକୁଣ୍ଠନାଥ ବେହେରା, ବିଶ୍ୱଜିତ ପଣ୍ଡା, ବିଶ୍ୱଜିତ୍ ମହାନ୍ତି ପ୍ରମୁଖ ସାମିଲ ଥିଲେ ।

Nalco
Leave A Reply