Odisha news

କାଳିଆ ଘୋଡାରେ ଚଢିବି : ଏପ୍ରିଲ ୨୮ ତାରିଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ ତମ ଜୟନ୍ତୀ ଉପଲକ୍ଷେ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ପାଠ ପଢିବି,ଓକିଲ ହେବି,ମଧୁବାବୁ ସଙ୍ଗେ ଲଢିବ – କାଳିଆ ଘୋଡାରେ ଚଢିବି । କାହିଁ କେଉଁ କାଳରୁ ଓଡିଶାର ଘରେ ଘରେ ଏହି କଥାଟି ଚଳିଆସୁଛି । ଛୋଟପିଲାମାନେ ପଢିବାକୁ ଅମଙ୍ଗ ହେଲେ ମା’ ତାକୁ ଉକ୍ରଳ ଗୌରବ ମଧୁସୂଦନଙ୍କ କଥା କହି ବୁଝାଇ ଦେଇଥାଏ । ଖଣ୍ଡ ବିଖଣ୍ଡିତ ଉକ୍ରଳକୁ ଏକାଠି କରି ବ୍ରିଟିଶ ସରକାରଙ୍କ ପାଖରେ ଅକାଟ୍ୟ ଯୁକ୍ତି ଉପସ୍ଥାପନ ଜରିଆରେ ଆଜିର ଓଡିଶା ପ୍ରଦେଶକୁ ଗଠନ କରିବାରେ ଯେଉଁ ସ୍ୱାଭିମାନୀ ପୁରୁଷ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ସେ ହେଉଛନ୍ତି ଜାତି ପ୍ରାଣ,ସ୍ୱାଭିମାନର ମନ୍ତ୍ରଦାତା, କୁଳବୃଦ୍ଧ, ଉକ୍ରଳ ଗୈାରବ ମଧୁସୂଦନ ଦାସ, ସବୁରି ପ୍ରିୟ ମଧୁବାରିଷ୍ଟର-ମଧୁବାବୁ । ଜାତିପ୍ରାଣରେ ଭରିଥିଲେ ସେ ସ୍ୱାଭିମାନର ମନ୍ତ୍ର, ମାତୃଭୂମି ଓ ମାତୃଭାଷା ପ୍ରତି ସୃଷ୍ଟି କରିଥିଲେ ଜାତୀୟତା ଭାବ । ଉକ୍ରଳ ଜନନୀର ଏହି ସୁଯୋଗ୍ୟ ସନ୍ତାନଙ୍କ ଧରାବତରଣ ହୋଇଥିଲା କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ ଓ ଦେହାବସାନ ଘଟିଲା ୧୯୩୪ ମସିହା ଫେବୃଆରୀ ୪ ତାରିଖରେ । ହେଲେ ସାମଗ୍ରିକ ଭାବେ ତାଙ୍କର ଅବଦାନକୁ ଓଡିଶାବାସୀ ସବୁଦିନେ ମନେ ରଖିବେ ଏଥିରେ ସନେ୍ଦହର ଅବକାଶ ନାହିଁ ।

ମଧୁବାବୁ ଥିଲେ କ୍ରାନ୍ତି ଦ୍ରଷ୍ଟା ଓ ସ୍ରଷ୍ଟା । ସେ ଥିଲେ ଓଡ଼ିଆ ନବଜାଗରଣର ମୁଖ୍ୟ ପୁରୋଧା । ଆଜି ଏକ ପୂର୍ଣ୍ଣାଙ୍ଗ ଉକ୍ରଳ ପ୍ରଦେଶ କଥା ଚିନ୍ତା କଲାବେଳେ ତାଙ୍କ ନାମ ସ୍ୱତଃ ମନକୁ ଆସେ । ସେତେବେଳେ ଓଡ଼ିଶା ଥିଲା ଏକ ଭୌଗୋଳିକ ନାମ ମାତ୍ର । ଖଣ୍ଡବିଖଣ୍ଡିତ ଓଡ଼ିଶା ଓ ଲୁପ୍ତପ୍ରାୟ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରିବାର ସ୍ୱର ପ୍ରଥମେ ସେ ହିଁ ଉତ୍ତୋଳନ କରିଥିଲେ । ଏହାର ପରିଣତି ହେଲା ୧୯୦୩ ମସିହାରେ ଉକ୍ରଳ ସମ୍ମିଳନୀ ଗଠନ । ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖ କଟକର ଇଦ୍ଗା ପଡିଆରେ ଉକ୍ରଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ମଞ୍ଚରେ ରାଜା-ମହାରାଜା, ବୁଦ୍ଧିଜୀବୀ, ସାହିତି୍ୟକ, କବି ଓ ସାଧାରଣ ଜନତାଙ୍କୁ ସାମିଲ କରାଇ ଜାତୀୟତା ମନ୍ତ୍ରରେ ସେମାନଙ୍କୁ ପ୍ରଭାବିତ କରାଇଥିଲେ । ଏହି ସମ୍ମିଳନୀର ନିରବଚ୍ଛିନ୍ନ ପ୍ରୟାସର ଫଳସ୍ୱରୂପ ସମଗ୍ର ଭାରତବର୍ଷରେ ଓଡ଼ିଶା ଭାଷା ଭିତ୍ତିରେ ପ୍ରଥମ ପ୍ରଦେଶ ହେବାର ମାନ୍ୟତା ପାଇଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖରେ । କିନ୍ତୁ ନିଜର ସ୍ୱପ୍ନର ଭୂଇଁକୁ ଦେଖିବାକୁ ସେ ନଥିଲେ । ସେ ବାହୁଡି ଗଲେ ତାର ଦୁଇବର୍ଷ ପୂର୍ବରୁ । ଆଜିର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ହେଉଛି ତାଙ୍କ ଐକାନ୍ତିକ ତ୍ୟାଗ, ସଂଗ୍ରାମ ଓ ସଙ୍କଳ୍ପର ଫଳ ।

ମଧୁବାବୁଙ୍କ କର୍ମମୟ ଜୀବନ ଥିଲା ଓଡ଼ିଶାର ଅର୍ଦ୍ଧ ଶତାବ୍ଦୀର ଇତିହାସ । ନିଜ ଜୀବନକାଳରେ ତାଙ୍କ ଏକମାତ୍ର ଧ୍ୟେୟ ଥିଲା ଏକ ସ୍ୱର୍ଣ୍ଣପ୍ରସୂ ଓଡ଼ିଶା ନିର୍ମାଣ । ସେଥିପାଇଁ ଅକୁଣ୍ଠିତ ଚିତ୍ତରେ ଅଜାଡି ଦେଇଥିଲେ ସେ ନିଜ ଜୀବନର ସବୁକିଛି ସାମର୍ଥ୍ୟ, ସୌକୁମାର୍ଯ୍ୟ । ଅଜସ୍ର ଅର୍ଥ ଉପାର୍ଜନ କରି ସୁଖରେ କାଳାତିପାତ ନକରି ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ସେ ସବୁକୁ ଅକାତର ଭାବେ ଦାନ କରିଦେଇଥିଲେ । ସେଥିଲେ ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ । ସେ ହେଉଛନ୍ତି ପ୍ରଥମ ଗ୍ରାଜୁଏଟ୍, ପ୍ରଥମ ଏମ୍.ଏ, ପ୍ରଥମ ଓଡ଼ିଆ ଓକିଲ, ପ୍ରାଦେଶିକ ବ୍ୟବସ୍ଥାପକ ସଭା ଓ ଇମ୍ପେରିଆଲ୍ ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ ସଭ୍ୟ, ପ୍ରଥମ ଓଡ଼ିଆ ମନ୍ତ୍ରୀ ଓ ମନ୍ତ୍ରୀତ୍ୱ ତ୍ୟାଗ କରିବାରେ ପ୍ରଥମ ଭାରତୀୟ । ଖାଲି ସେତିକି ନୁହେଁ ବ୍ରିଟିଶ ପାର୍ଲାମେଣ୍ଟକୁ ସମ୍ବୋଧିତ କରିବାରେ ସେ ଅଦ୍ୟାବଧି ପ୍ରଥମ ଓଡ଼ିଆ । କହିବା ବାହୁଲ୍ୟ ଯେ ମଧୁସୂଦନଙ୍କ ପୂର୍ବରୁ ମାତ୍ର ଦୁଇଜଣ ଭାରତୀୟ ଯଥା ଦାଦାଭାଇ ନାରୋଜି ଓ ସୁରେନ୍ଦ୍ରନାଥ ବାନାର୍ଜୀ ବ୍ରିଟିଶ ପାର୍ଲାମେଣ୍ଟକୁ ସମ୍ବୋଧିତ କରିଥିଲେ ।

ସେ ସର୍ବଦା କହୁଥିଲେ – ମୋ ଜାତି ଅନୁନ୍ନତ ହେଲେ ବି ଅନ୍ୟ ଜାତିର କୌଣସି ପ୍ରଥମ ଗ୍ରାଜୁଏଟ୍ ମୋ ପରି ଏତେ କାମ କରିନାହାନ୍ତି । ଯଦି ଓଡ଼ିଶାର ପ୍ରଥମ ଗ୍ରାଜୁଉଟ୍ ଏସବୁ କରିପାରିଲା, ତାହେଲେ ପରବର୍ତ୍ତୀ ବଂଶଧରମାନେ ଯଦି ଜଣେ ବ୍ୟକ୍ତି ରୂପେ ନୁହେଁ ଏକ ଜାତିର ଜଣେ ରୂପେ ନିଜର ଦାୟିତ୍ୱ ହୃଦୟଙ୍ଗମ କରନ୍ତି ତାହେଲେ ସେମାନେ ଏଦିଗରେ ବହୁତ କାର୍ଯ୍ୟ କରିପାରିବେ ।

ମଧୁ ବାରିଷ୍ଟର – ଏକ ମଧୁର ଉଚ୍ଚାରଣ । ପାଠପଢାରୁ ଓକିଲାତି । ସବୁଥିଲେ ତାଙ୍କର ଅନନ୍ୟ ପରିଚୟ । ଓକିଲାତି ତାଙ୍କ ଜୀବନ ଥିଲା । ସେ ସମୟରେ କଟକରେ ପ୍ରାୟ ସବୁ ଓକିଲ ବଙ୍ଗାଳୀ । ମାତ୍ର ସ୍ୱଳ୍ପସମୟ ଭିତରେ ମଧୁବାବୁ ନିଜର ଦକ୍ଷତା ଓ ବାଗ୍ମିତା ବଳରେ ସବୁ ବଙ୍ଗାଳୀ ଓକିଲଙ୍କ ସହ ପ୍ରତିଯୋଗିତା କରି ନିଜର ସ୍ୱତନ୍ତ୍ରତା ବଜାୟ ରଖିବାରେ ସମର୍ଥ ହୋଇପାରିଥିଲେ । ତାଙ୍କର ଅକାଟ୍ୟ ଯୁକ୍ତି, ପାଣ୍ଡିତ୍ୟ ଓ ବାଗ୍ମିତା ବିଚାରପତିମାନଙ୍କୁ ମୁଗ୍ଧ କରିଦେଉଥିଲା ।

୧୮୮୬ ମସିହାରେ ପୁରୀ ମନ୍ଦିର ମୋକଦ୍ଦମା ତାଙ୍କ ଓକିଲାତି ଜୀବନର ଏକ ମାଇଲଖୁଣ୍ଟ ଥିଲା କହିଲେ ଅତୁ୍ୟକ୍ତି ହେବନାହିଁ । ଉକ୍ରଳର ଇଷ୍ଟଦେବ ଶ୍ରୀଜଗନ୍ନାଥ ମନ୍ଦିରକୁ ବ୍ରିଟିଶ କବଳରୁ ରକ୍ଷା କରିବା ପାଇଁ ଅଦାଲତରେ ଲଢେଇ କରି ଓଡ଼ିଆ ଜାତିର ସ୍ୱାଭିମାନ ଓ ମର୍ଯ୍ୟାଦାକୁ ରକ୍ଷା କରିବାରେ ସଫଳ ହୋଇଥିଲେ ସେ । ଏହି ମୋକଦ୍ଦମା ଛଡା ଅନ୍ୟ ବଡ ବଡ ମୋକଦ୍ଦମାରେ ସେ ବିଜୟୀ ହେବାର ଅନେକ ନଜିର ଅଛି । ଖାଲି ସେତିକି ନୁହେଁ ତାଙ୍କ ଏକନିଷ୍ଠ ଉଦ୍ୟମ ଯୋଗୁଁ ଭାରତରେ ମହିଳାମାନେ କୋର୍ଟରେ ଓକିଲାତି କରିବାର ସୁଯୋଗ ପାଇଥିଲେ । ତାଙ୍କର ପ୍ରତୁ୍ୟତ୍ପନମତିତା, ବିଚକ୍ଷଣତା ଓ ସର୍ବୋପରି ହାସ୍ୟରସ ଉଦ୍ରେକ କରିବାର ଶକ୍ତି ତାଙ୍କୁ ଓକିଲାତି ବ୍ୟବସାୟରେ ଶୀର୍ଷସ୍ଥାନରେ ପହଞ୍ଚାଇ ପାରିଥିଲା । ସେଥିପାଇଁ ତାଙ୍କୁ ମଧୁ ବାରିଷ୍ଟର ବୋଲି କୁହାଯାଏ ।

ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେଇଥିଲେ ମଧୁବାବୁ । ସେ ଥିଲେ ଓଡ଼ିଶାର ପ୍ରଥମ ଶିଳ୍ପଦ୍ୟୋଗୀ । ତାଙ୍କ ପ୍ରତିଷ୍ଠିତ ‘ଉକ୍ରଳ ଟ୍ୟାନେରୀ’ର ଜୋତା ସେତେବେଳେ ୧୯୧୪ ପ୍ରଥମ ବିଶ୍ୱଯୁଦ୍ଧରେ ଆମଦାନୀ କରି ବ୍ୟବହାର କରିଥିଲେ ଜର୍ମାନ ସୈନିକଗଣ । ଯେଉଁଥିପାଇଁ ମଧୁବାବୁଙ୍କ ଉଦେ୍ଦଶ୍ୟରେ ମହାତ୍ମାଗାନ୍ଧି କହିଥିଲେ – “ମଧୁବାବୁଙ୍କୁ ଭେଟିବାର ସୌଭାଗ୍ୟ ମୋତେ ମିଳିଥିଲା । ସେ ଥିଲେ ଜଣେ ମହାନ୍ ଦେଶପ୍ରେମୀ”ା ଦେଶର ଯୁବଶକ୍ତିକୁ ଶ୍ରମର ମର୍ଯ୍ୟାଦା ସମ୍ପର୍କରେ ଶିକ୍ଷାଦେବା ପାଇଁ ସେ ଯନôବାନ ଥିଲେ । କୌଣସି ପରିସ୍ଥିତିରେ ସେ ନିଜର ସ୍ୱାଭିମାନ ଜଳାଞ୍ଜଳି ଦେଇନଥିଲେ । ଯେଉଁଥିପାଇଁ ଅନ୍ତର୍ଜାତିକ ମାନ୍ୟତା ହାସଲ କରିଥିବା ଉକ୍ରଳ ଟ୍ୟାନେରୀ ପାଇଁ ସର୍ବସ୍ୱାନ୍ତ ହୋଇଯାଇଥିଲେ । ପରେ ସେ ଦେବାଳିଆ ବୋଲି ଘୋଷଣା କରାଯାଇଥିଲା ।

ତଥାପି ସେ ନିଜର ସ୍ୱାଭିମାନ ଛାଡିନଥିଲେ । ନିଜର ସ୍ୱାଭିମାନ ବଜାୟ ରଖିବା ପାଇଁ ପରିଣତ ବୟସରେ ବି ସେ କଚେରୀକୁ ଯାଇ ଓକିଲାତି କରିଥିଲେ । କେବଳଖ ସେତିକୁ ନୁହଗେଁ ସମଗ୍ର ଓଡ଼ିଆ ଜାତିକୁ ସ୍ୱାବଲମ୍ବୀ କରିବା ପାଇଁ ସେ ଆରମ୍ଭ କରିଥିଲେ ସୁନାରୂପାର ତାରକସି ଶିଳ୍ପ ଓ ବୟନଶିଳ୍ପ । ଆଜି ଓଡ଼ିଶାର ତାରକସି ଶିଳ୍ପ, ସମ୍ବଲପୁରୀ ଶାଢୀ, ବ୍ରହ୍ମପୁରୀ ପାଟ, ଓଡ଼ିଆ ଶିଳ୍ପୀଙ୍କ ଯେଉଁ ଅପୂର୍ବ ଶିଙ୍ଗ କାମ ଭାରତ ଓ ଭାରତ ବାହାରେ ଯେଉଁ ଟେକ ରଖିପାରିଛି, ତାପଛରେ ରହିଛି ମଧୁବାବୁଙ୍କ ସ୍ୱଦେଶୀ ସ୍ୱପ୍ନ ଓ ତାର ରୂପାୟନ ।

ମଧୁସୂଦନ ଜାତୀୟ ଜୀବନ ଉପରେ ଗୁରୁତ୍ୱ ଦେଉଥିଲେ । ଜାତିର ଟେକ ରଖିବାକୁ ସେ ସବୁବେଳେ କହୁଥିଲେ । ଓଡ଼ିଶାରେ ଜନ୍ମ ହୋଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଥିଲେ । ୧୯୧୨ ମସିହା ଉକ୍ରଳ ସମ୍ମିଳନୀର ଅଷ୍ଟମ ଅଧିବେଶନରେ ସେ କହିଥିଲେ – “ମୁଁ ଓଡ଼ିଆ, ଓଡ଼ିଶାରେ ଜନ୍ମଗ୍ରହଣ କରିଅଛି ଏବଂ ବାସ କରୁଅଛି । ଉକ୍ରଳମାତା କୋଳରେ ମୋର ଅସ୍ଥି, ମାଂସ ରହିବ । ଯେଉଁମାନେ କୀର୍ତ୍ତି କରିଯାଇଛନ୍ତି, ସେମାନେ ମୋ ପୂର୍ବପୁରୁଷ । ତାଙ୍କ କୀର୍ତ୍ତିରକ୍ଷାର ଭାର ମୋ ଉପରେ ନ୍ୟସ୍ତ” । ଉକ୍ରଳ ତଥା ଦେଶର ଗୌରବ ବୃଦ୍ଧି ପାଇଁ ପ୍ରତ୍ୟେକ ପାଞ୍ଚ ମିନିଟ୍ ସମୟ ଦେବାକୁ ଆକୁଳ ନିବେଦନ କରି କହିଥିଲେ – ଉକ୍ରଳର ଅସ୍ତମିତ ଗୌରବର ବିଷୟ ଥରେ ଚିନ୍ତାକର । ଏଭଳି ଚିନ୍ତା-ଚେତନାର ନେତା ଆଜିର ଦୁନିଆରେ ବିରଳ । ଖାଲି ସେତିକି ନୁହେଁ ସେ ଥିଲେ ଜଣେ ଜାତୀୟତାବାଦୀ କବି । ତାଙ୍କ କବିତାରେ ଜାତୀୟତା ଭାବ ଓ ତତ୍କାଳୀନ ଦେଶର ଅବସ୍ଥା ବେଶ୍ ପ୍ରତିଫଳିତ ହୋଇଥିଲା । ସେଥିପାଇଁ ସେ କହୁଥିଲେ ଅତୀତର ଉଦ୍ବୋଧନ ମଣିଷ ଇତିହାସରୁ ପାଏ । ଇତିହାସ ଅତୀତ ମଣିଷ ଓ ଜାତିର ସ୍ମାରକୀଲିପି । ସେଥିପାଇଁ ସେ ଲେଖିଥିଲେ –
“ଜାତି ଇତିହାସ ଜାତିର ନିର୍ଝର
ତହୁଁ ବହେ ସଦା ଜାତିପ୍ରାଣ ଧାର
ସେ ଧାରାରୁ ନୀର ପିଇଛି ଯେ ନର
ନିଶ୍ଚେ ହେବ ସେ ଜାତି କର୍ମବୀର ।”
ଓଡ଼ିଆ ଜାତିର ଏହି ମୁକୁଟ ବିହୀନ ସମ୍ରାଟ ଆଜି ଆମ ଗହଣରେ ନାହାଁନ୍ତି । ତାଙ୍କ ୮୨ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଅନେକ କଥା ମନେପଡୁଛି । ଓଡ଼ିଶା ପାଇଁ, ଓଡ଼ିଆ ଜାତି ପାଇଁ ସେ ଦେଖିଥିବା ସ୍ୱପ୍ନ ଏବେବି ଅଧୁରା । ଆଜି ନେତା ଅଛନ୍ତି, ହେଲେ ସେଭଳି ନେତୃତ୍ୱ ନାହିଁ । ଓଡ଼ିଆ ଜାତିକୁ ମୁହ୍ୟମାନ ନିଦ୍ରାରୁ ଉଠାଇବା ପାଇଁ, ଓଡ଼ିଆ ଜାତିର ପ୍ରାଣ ସଞ୍ଚାରକ ମଧୁବାବୁଙ୍କ ପରି ନେତୃତ୍ୱର ଅବଶ୍ୟକତା ଅଛି । ଜୀବନ ଦୀପ ନିର୍ବାପିତ ହେବା ପର୍ଯ୍ୟନ୍ତ ସେ ଏ ଦେଶ ଓ ଜାତିକଥା ଚିନ୍ତା କରୁଥିଲେ । ସେଥିପାଇଁ ପ୍ରଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି କହିଥିଲେ- “ ଜୀବନରେ ଯେପରି ମରଣରେ ମଧ୍ୟ ସେପରି, ମଧୁସୂଦନ ଯଥାର୍ଥରେ ଥିଲେ ଏକ ସମ୍ରାଟ ।”

IEC 2 years
Leave A Reply