ବୁଗୁଡ଼ା : ତା ୦୫/୦୫/୨୩ : ସପ୍ତଦଶ ଦିବସୀୟ ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ଦଶମ ଦିନରେ ପହଞ୍ଚିଥିବା ବେଳେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ ଟୁଣୁଟୁଣିଆ ସାହିର ଲକ୍ଷ୍ମୀ ମେଢ , ଦାସିଆ ବାଉରୀ ମେଢ ଓ ଲଙ୍କେଶ୍ଵରୀ ମେଢ ତ୍ରୟକୁ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ବେଳେ ସେଗୁଡିକ ଲୋକଙ୍କ ମନ ମୋହୁଛି । ସେହିପରି ପୁରୁଣା ବସଷ୍ଟାଣ୍ଡର “ନୃସିଂହ” ମେଢଠାରେ ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ ପରେ ତାହାକୁ ଲୋକାର୍ପିତ କରାଯାଇଥବା ବେଳେ ତାହା ଲୋକ ଆକର୍ଷଣର ଅନ୍ୟତମ କେନ୍ଦ୍ର ସାଜିଛି ।ଏଥି ସହ ନୂଆଁ ସାହିର ବୁଦ୍ଧ ଓ ହନୁମାନ ମେଢ ମଧ୍ୟ ଲୋକଙ୍କ ଭିଡ ଜମାଉଛି । ମଦନ ମୋହନ ଛକଠାରୁ ହାଇସ୍କୁଲ ଛକ ଏବଂ ସେଠାରୁ ଶକ୍ତିନଗରସ୍ଥିତ ପ୍ରବେଶ ତୋରଣ ପର୍ଯ୍ୟନ୍ତ ଏବଂ ନୂଆଁ ସାହିର ଆଲୋକ ସଜ୍ଜିକରଣରେ ଲୋକଙ୍କ ଆଖି ଝଲସି ଯାଉଥିବା ବେଳେ ମୀନା ବଜାର ଏବଂ ବିଭିନ୍ନ ପ୍ରକାର ଖେଳର ମଜା ଲୋକେ ଉଠାଉ ଥିଲେ । ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହେବା ସହ ସନ୍ଧ୍ୟାରେ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ମାନସିକଧାରୀ ମହିଳା ବାସନ୍ତୀ ରେଡି , ଅମୃତି ଡାକୁଆ , ପୁଷ୍ପାଞ୍ଜଳି ଡାକୁଆ , ଝୁନୁ ଡାକୁଆ , ଗାୟତ୍ରୀ ଡାକୁଆ ପ୍ରମୁଖ ବାଲିପିଣ୍ଡି ସାହି , ଆମ୍ବେଦକର ସାହି , ସାହୁ କଲୋନୀ , ସନ୍ତୋଷୀ ମନ୍ଦିର ସାହି ଓ ମୁଖ୍ଯ ସଡକ ଆଦି ପରିକ୍ରମା କରିଥିଲେ। ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହେବା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଗହଳି ଜମିଥିଲା । ଜନ ଗହଳିକୁ ନିୟନ୍ତ୍ରଣ କରିବାରେ ପୋଲିସ ସେବା ଦେଖିବାକୁ ମିଳିଥିଲା ।