ବାଙ୍କୀ : କରୋନା ମାଡ଼ ପଡ଼ିଛି । ଗ୍ରାମାଞ୍ଚଳରେ ରହୁଥିବା ବେତ ଓ ବାଉଁଶର କାରିଗରମାନଙ୍କ ଉପରେ ଗତମାସରୁ ଆରମ୍ଭ ହୋଇଥିବା ଲକଡ଼ାଉନ ପ୍ରଭାବରେ ଘରେ ହାତ ବାନ୍ଧି ବସି ଏକ ପ୍ରକାର ଅସହାୟ ହୋଇ ପଡ଼ିଛନ୍ତି । ନା ଅଛି କଞ୍ଚାମାଲ ନା ହେଉଛି ବିକ୍ରି ।ଯାହାକୁ ନେଇ ଚିନ୍ତାରେ କାରିଗର ଓ ତାଙ୍କ ପରିବାର । ଖବର ଅନୁସାରେ ଗ୍ରାମାଞ୍ଚଳର ହଜିଯାଇଥିବା କୁଟୀର ଶିଳ୍ପକୁ ଉଜ୍ଜିବୀତ କରି ରଖିଥିବା କାରିଗରମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । କଟକ ଜିଲ୍ଲା ବାଙ୍କୀ-ଡ଼ମପଡ଼ା ବ୍ଲକର ତାଳବସ୍ତ ପଞ୍ଚାୟତର ବେତ ଓ ବାଉଁଶରେ ଆକର୍ଷଣୀୟ ଘରକରଣା ସାମଗ୍ରୀ ତିଆରି ହୁଏ । ଚଟେଇ, ଆସନ, ବିଞ୍ଚଣା, ଅଳଙ୍କାର, ମୂର୍ତ୍ତି ଭଳି ସାମଗ୍ରୀ ତିଆରି କରି ରାଜ୍ୟ ବାହାରେ ବିକ୍ରି କରି ଦିପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ଲକଡ଼ାଉନ ପ୍ରଭାବରେ ସବୁ ଠପ୍ ହୋଇଯାଇଛି । ଆସାମ ଓ ପଶ୍ଚିମବଙ୍ଗରୁ ଆସୁଥିବା କଞ୍ଚାମାଲ ବସ, ଟ୍ରକ ଓ ଟ୍ରେନ ବନ୍ଦ ହୋଇ ଯିବାରୁ ତାହା ଆସିପାରୁ ନାହିଁ । ଯାହା ଥିଲ ତାହା ଶେଷ ହୋଇ ଯାଇଛି । କୁଟୀର ଶିଳ୍ପକୁ ବଞ୍ଚାଇ ରଖିଥିବା କାରିଗର ମାନଙ୍କୁ ଲକଡ଼ାଉନ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଦାନ ପାଇଁ କାରିଗରମାନେ ଦାବି କରିଛନ୍ତି । ମହିଳା କାରିଗରମାନଙ୍କ ସହିତ ପ୍ରଶିକ୍ଷକ ଏକାଦଶୀ ବାରିକ କଟକ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି । ଓରମାସ ମାଧ୍ୟମରେ ସବସିଡ଼ି ଆକାରରେ କିଛି କଞ୍ଚାମାଲ ଯୋଗାଇବା ପାଇଁ କାରିଗରମାନେ ଦାବି କରିଛନ୍ତି ।