Odisha news

ଲକ୍ଡାଉନ୍ ସମୟରେ ନିଶା ପାଇଁ ନିଶାଡ଼ୀ ପିଉଛନ୍ତି କଫ୍ ସିରପ୍

0

ସାଲେପୁର :ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଥିବାବେଳେ  ଏହାକୁ ରୋକିବାପାଇଁ ପ୍ରଶାସନ ପକ୍ଷରୁ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଓ ସଟ୍ଡାଉନ୍ କରାଯାଉଛି । ପୁଲିସ ବିଭାଗ ପକ୍ଷରୁ କଡ଼ା ପ୍ରହରା ମଧ୍ୟ ଦିଆଯାଉଛି । ଏହି ସମୟରେ ସମସ୍ତ ପ୍ରକାର ନିଶା କାରବାର ବନ୍ଦ ରହିଥିବାବେଳେ ସାଲେପୁର ଅଞ୍ଚଳରେ ଏବେ ମାରାତ୍ମକ ନିଶାକାରବାର ମୁଣ୍ଡ ଟେକିଛି ।

ଏହା ହେଉଛି କୋଡେଇନ୍ ଫୋସ୍ଫେଟ୍ ସିରପ୍ । ସାଧାରଣତଃ ଏହି ସିରପ୍ ଥଣ୍ଡା କାଶ ପାଇଁ ବ୍ୟବହାର କରାଯାଇଥାଏ । ଏହି ସିରପ୍ ବିଭିନ୍ନ ମେଡ଼ିସିନ୍ ଦୋକାନରେ ଅନାୟାସରେ ମିଳୁଥିବାରୁ ଏହାକୁ କେତେକ ନିଶାଡ଼ୀ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି । ଔଷଧ ଦୋକାନମାନଙ୍କରେ କମ୍ ମୂଲ୍ୟରେ ଓ ସୁବିଧାରେ ମିଳୁଥିବାରୁ ଏହାର କାରବାର ଓ ନିଶା କରୁଥିବା ଯୁବପୀଢ଼ୀମାନଙ୍କ ମଧ୍ୟରେ ଏହାର ଚାହିଦା ବଢ଼ିବାରେ ଲାଗିଛି ।

କିଛି ଔଷଧ ଦୋକାନୀ ଏହି ସିରପ୍କୁ ବହୁ ଦାମୀ ନିଶାର ସମକକ୍ଷ ନିଶା ଏବଂ ଏହାକୁ ଗ୍ରହଣ କଲେ  କୌଣସି ଗନ୍ଧ ନ ହେଉଥିବାରୁ ପୁଲିସ କିମ୍ବା ପରିବାରରେ ଧରାପଡ଼ିବାର ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଣାଇ ବିନା ଡାକ୍ତରୀ ପ୍ରେସ୍କ୍ରିପ୍ସନ୍ରେ ଏହାକୁ ବିକ୍ରି କରୁଥିବା ସାଲେପୁରର ସାମାଜିକ ସଂଗଠନ ଷ୍ଟ୍ରଙ୍ଗ୍ ଇଣ୍ଡିଆ ପକ୍ଷରୁ ଅଭିଯୋଗ ହୋଇଛି । ଏହି ଔଷଧ ଦୋକାନୀମାନଙ୍କର ଲାଇସେନ୍ସ ରଦ୍ଦ କରିବା ସହ ସେମାନଙ୍କୁ ଦଣ୍ଡିତ କରିବାପାଇଁ ସଂଗଠନ ତରଫରୁ ସାଲେପୁର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ କଟକଙ୍କ ନିକଟକୁ ଏକ ଦାବିପତ୍ର ଦିଆଯିବା ସହ ସାଲେପୁର ଥାନା ଅଧିକାରୀଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଗଠନର କିରଣ କୁମାର ଭୂୟାଁ, ନାରୀନେତ୍ରୀ ମଂଜୁଶ୍ରୀ ପାଣିଗ୍ରାହୀ, ମାନସ ରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply