ଲହୁଣୀପଡା,୧୬ା୨ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଦେଉଳହୁଡି ଗ୍ରାମରେ ଗତକାଲି ରାତିରେ ଟଙ୍କା ଧାର ଓ ଜମିବାଡିକୁ କେନ୍ଦ୍ରକରି ଗୋଟିଏ ପରିବାରର ୪ଜଣଙ୍କୁ ନୃଶଂସଭାବେ ହତ୍ୟା କରିଥିବା ଜଣାପଡିଛି । ହତ୍ୟାକାରୀ ହେଲେ ହତ୍ୟାର ଶିକାର ହୋଇଥିବା ପରିବାରର ସାନଭାଇ କାଳି ମୁଣ୍ଡା (୨୨) । ସେ ଆଜି ସକାଳେ ହତ୍ୟା କରିବା ପରେ ନିଜେ ବଣାଇଁ ଥାନାରେ ଆତ୍ମସମର୍ପଣ କରିବା ପରେ ଏହି ହତ୍ୟାକାଣ୍ଡ ଜଣାପଡିଥିଲା । ଘଟଣାରୁ ପ୍ରକାଶଯେ ଦେଉଳହୁଡି ଗ୍ରାମରେ କାଣ୍ଡେ ମୁଣ୍ଡା(୩୦) ତାଙ୍କ ପତ୍ନୀ ସୁମି ମୁଣ୍ଡା(୨୫), ତାଙ୍କ ନାବଳିକା ଶିଶୁ ମାଲାନୀ ମୁଣ୍ଡା (୭) ଏବଂ ନାବଳକ ଶିଶୁ ମାରା ମୁଣ୍ଡା(୫) ସପରିବାର ରହିଆସୁଥିଲେ । ଘର ନିକଟରେ ତାଙ୍କ ସାନଭାଇ କାଳି ମୁଣ୍ଡା ଅନ୍ୟଏକ ଘରେ ରହୁଥିଲେ । ତେବେ କାଳିର ପତ୍ନୀ ଏବଂ ଦୁଇଗୋଟି ସନ୍ତାନ ନିଜ ଶ୍ୱଶୁରଘର ଟିକାୟତପାଲି ଥାନାର ଚନ୍ଦ୍ରପୁର ଗ୍ରାମରେ ରହି ଆସୁଛନ୍ତି । ଦେଉଳହୁଡି ଗ୍ରାମରେ କାଳି ଏକୁଟିଆ ରହି ଡ୍ରାଇଭର ଭାବେ କାର୍ଯ୍ୟ କରିଆସୁଥିଲା । ତେବେ କାଲି ଠାରୁ ତା ବଡ ଭାଇ କାଣ୍ଡେ ଧାରସୁତ୍ରରେ କିଛି ଟଙ୍କା ଉଧାର ନେଇଥିଲା । ସେହିପରି ଦୁଇଭାଇଙ୍କ ମଧ୍ୟରେ ଜମି ବାଡିକୁ କେନ୍ଦ୍ରକରି ପୂର୍ବରୁ ଶତୃତା ରହିଥିବା ବେଳେ ଏଥିନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିରହିଥିଲା । ଗତକାଲି ରାତିରେ କାଳି ମଦ୍ୟପାନ କରି ଘରକୁ ଫେରିବାପରେ ନିଜ ଭାଇକୁ ଧାର ଟଙ୍କା ଓ ଜମିବାଡି ଭାଗବଣ୍ଟାକୁ କେନ୍ଦ୍ରକରି ଯୁକ୍ତିତର୍କ କରିଥିଲା । ଏହାପରେ ସମସ୍ତେ ରାତିରେ ନିଜନିଜ ଘରେ ଶୋଇଥିଲେ । ରାତି ପ୍ରାୟ ୧୧ଟା ସମୟରେ ଏହି ଘଟଣାରେ ଉତକ୍ଷିପକ୍ତ ହୋଇ ରକ୍ତଚାଉଳ ଚୋବାଉଥିବା କାଳି ଘରୁ ଏକ ଧାରୁଆ ଟାଙ୍ଗିଆ ଆଣି ପ୍ରଥମେ ବଡଭାଇ କାଣ୍ଡେକୁ ହତ୍ୟା କରିଥିଲା । ସେ ଘରୁ ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡି ପଳାଉଥିବା ବେଳେ ତାକୁ ଗୋଡାଇ ବେକ , ଛାତି ଓ ମୁଣ୍ଡରେ ହାଣି ହତ୍ୟା କରିଥିଲା । ଏହି ସମୟରେ କାଣ୍ଡେର ପତ୍ନୀ ସୁମି ବିରୋଧ କରିବାରୁ ତାକୁ ମଧ୍ୟ ଟାଙ୍ଗିଆରେ ପଛପାଖ ବେକରେ ହାଣି ହତ୍ୟା କରିଥିଲା । ଏହାପରେ ରକ୍ତମୁଖା ହୋଇଥିବା କାଣ୍ଡେ ନାବାଳିକା ଝିଅ ମାଲାନି ଓ ନାବାଳକ ଶିଶୁ ମାରାକୁ ମଧ୍ୟ ଟାଙ୍ଗିଆରେ ବେକକୁ ହାଣି ନୃଶଂସଭାବେ ହତ୍ୟା କରିଥିଲା । ତେବେ ତାଙ୍କ ଘରଟି ଗାଁର ଏକ ନିଛାଟିଆ ଅଞ୍ଚଳରେ ହୋଇଥିବାରୁ ଏହି ହତ୍ୟାକାଣ୍ଡ ବିଷୟରେ ଗ୍ରାମବାସୀ କିମ୍ବା ପାଖପଡୋଶୀ କେହି ଜାଣିପାରି ନଥିଲେ । ହତ୍ୟା କରିବା ପରେ ହତ୍ୟାକାରୀ କାଳି ରାତିସାରା ଗ୍ରାମରୁ ୧୫ କିମି ରାସ୍ତା ଚାଲିଚାଲି ଆସି ସକାଳ ୭ଟାରେ ବଣାଇଁ ଥାନାରେ ଆତ୍ମସମର୍ପଣ କରି ହତ୍ୟାକାଣ୍ଡ ଉପରେ ସୂଚନା ଦେଇଥିଲା । ସଙ୍ଗେସଙ୍ଗେ ବଣାଇଁ ଥାନାର ଏଏସଆଇ ବ୍ରଜକିଶୋର ଦାଶ ଓ ବି କେ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ରକ୍ତଜୁଡୁବୁଡ ୪ଟି ଶବ କୁ ଜବତ କରିଥିଲେ । ସେହିପରି କାଳିର ଶ୍ୱଶୁରଘର ଚନ୍ଦ୍ରପୁର ଗ୍ରାମକୁ ପୋଲିସ ଯାଇ କାଳିର ପରିବାରକୁ ଆଣି ପଚାରା ଉଚରା ଜାରି ରଖିଛି । ସେହିପରି ରାଉରକେଲା ପୋଲିସ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅବକାଶ ରାଉତରାରୟ ଏବଂ ପୋଲିସ ବୈଜ୍ଞାନିକ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି । ଏ ବିଷୟରେ ହତ୍ୟାକାରୀ କାଳିକୁ ପଚାରିବାରୁ ସେ ଛୋଟ ସମୟରୁ ତାକୁ କେହି ଘରେ ଭଲ ପାଉନଥିବା ସହିତ ହତାଦର କରିଆସୁଥିଲେ । ନିଜେ ବିବାହ କରିବା ପରେ ନିଜପତ୍ନୀ କୁ ଓ ସନ୍ତାନକୁ ନିଜ ଘରେ ନରଖି ଶ୍ୱଶୁରଘରେ ରଖିଆସୁଥିଲେ । ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟା ସଂଘଠିତ କରିଥିବା ପ୍ରକାଶ କରିଛି । ସାମାନ୍ୟ ଟଙ୍କା ଓ କିଛି ଜମିବାଡିକୁ କେନ୍ଦ୍ର କରି ଅକାରଣରେ ଗୋଟିଏ ପରିବାର ମୂଳପୋଛ ହେବା ଘଟଣା ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଆଲୋଚନାର ବଷୟ ହୋଇଛି ।