Odisha news

ଭଲ ମଣିଷର ଅଭାବ

0

ଯଦୁମଣି ପାଣିଗ୍ରାହୀ  : ପୃଥିବୀର ଜନ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଭଲ ମଣିଷଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଆଜି ଆମ ସମାଜରେ ଭଲ ମଣିଷଙ୍କ ଘୋର ଅଭାବ ପରିଲକ୍ଷିତ ହେଉଛି । ପ୍ରତିବର୍ଷ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରୁ ହଜାର ହଜାର ଡିଗ୍ରୀଧାରୀ ଉତ୍ତୀର୍ଣ୍ଣ ହେଉଛନ୍ତି । ଭଲ ଭଲ ପଦପଦବୀରେ ଆସୀନ ହେଉଛନ୍ତି । ଭଲ ଆୟ ସଂପନ୍ନ ହୋଇ ସମାଜରେ ପ୍ରତିଷ୍ଠା ଅର୍ଜନ କରୁଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ କେତେଜଣ ଭଲ ମଣିଷ ହେବାର ସଙ୍କଳ୍ପ ନେଇ ସମାଜର ସେବା କରିବାକୁ ଆଗେଇ ଆସୁଛନ୍ତି । ଏମାନଙ୍କ ସଂଖ୍ୟା ବୋଧେ ଅତି ନଗଣ୍ୟ । ଭଲ ମଣିଷଙ୍କ ଅଭାବରେ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନ ବିଗିଡି ଯାଉଛି ।

ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଯେବେ ସେମାନଙ୍କ ଜୀବନର ଲକ୍ଷ୍ୟ ସଂପର୍କରେ ପଚରାଯାଏ ତେବେ ସେମାନେ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସକ କିମ୍ବା ବୈମାନିକ ଆଦି ହେବେ ବୋଲି ନିସଙ୍କୋଚରେ କହି ପକାଇବେ । ହେଲେ କେହି ଜଣେ ବି ଜୀବନରେ ଜଣେ ଭଲ ମଣିଷ ହେବା କଥା ଦୃଢତାର ସହ କହିବେନି । ତେବେ ଏଠାରେ ମନରେ ପ୍ରଶ୍ନଉଠେ ଯେ, ଯେଉଁମାନେ ଜୀବନରେ ଭଲ ପାଠ ପଢି ଉଚ୍ଚ ଡିଗ୍ରୀ ହାସଲ କରିବା ସହ ଉଚ୍ଚ ପଦପଦବୀରେ ଆସୀନ ହୋଇଛନ୍ତି ଆଉ ଉଚ୍ଚସ୍ତରର ଆୟ କରିବାକୁ ସକ୍ଷମ ହୋଇ ପାରିଛନ୍ତି, ସେମାନେ କ’ଣ ଜଣେ ଜଣେ ଭଲ ମଣିଷ ! ଏକଥା ହୁଏତ ସତ ଯେ, ସେମାନେ ସେମାନଙ୍କ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି ଆଉ ସଫଳ ବି ହୋଇଛନ୍ତି ।

ମାତ୍ର ସମାଜ ପାଇଁ ବା ସମାଜରେ ବସବାସ କରୁଥିବା ସାଧାରଣ ଲୋକଙ୍କ ମଙ୍ଗଳ ଲାଗି ସେମାନଙ୍କ ଅବଦାନ କ’ଣ ? ସମାଜର ସ୍ଥିତି, ପ୍ରଗତି ଓ ସୁରକ୍ଷା ପ୍ରତି ସାଧାରଣ କୃଷକ କିମ୍ବା ସୈନିକଟିଏର ଯେଉଁ ତ୍ୟାଗ ଓ ଅବଦାନ ରହିଛି ତାହା କ’ଣ ସେମାନଙ୍କ ପାଖରେ ରହିଛି କି? ଏହାବ୍ୟତୀତ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ କିମ୍ବା ପ୍ରଶାସକଟିଏ ତିଆରି କରିବା ଲାଗି ସରକାର ଖର୍ଚ୍ଚ କରୁଥିବା ଅର୍ଥ ଓ କରଖଜଣା ଆକାରରେ ଏହାକୁ ଭରଣା କରୁଥିବା ସାଧାରଣ ଲୋକେ ସେମାନଙ୍କ ଦ୍ୱାରା ଯଦି ପ୍ରତ୍ୟେକ୍ଷ ବା ପରୋକ୍ଷରେ କିଛି ଉପକୃତ ହୋଇ ନପାରିଲେ ତେବେ ଉପରୋକ୍ତ ପଦପଦବୀ ଧାରୀ ଭଲ ମଣିଷ ଭାବେ ଗଣାହେବା ସମୀଚୀନ କି ? ଅନ୍ୟପକ୍ଷେ ଉଚ୍ଚ ଡିଗ୍ରୀ ପ୍ରାପ୍ତ ଓ ସମ୍ମାନ ଜନକ ଆସନରେ ବସିଥିବା ବ୍ୟକ୍ତି ଯଦି ନିଜର ନୈତିକ ମୂଲ୍ୟବୋଧକୁ ଅବାଧରେ ନିଲାମ କରେ, ଦୁର୍ନୀତି ଓ ଭ୍ରଷ୍ଠାଚାରରେ ଲିପ୍ତ ରହେ, ନାରୀର ମର୍ଯ୍ୟାଦା ହାନୀ କରେ, ପିତାମାତା ଓ ଗୁରୁଜନଙ୍କୁ ଅସମ୍ମାନ ପ୍ରଦର୍ଶନ କରେ, ମାତୃଭୂମି ଓ ମାତୃଭାଷାକୁ ଅବହେଳା କରେ ତଥା ସମାଜର ଶାନ୍ତି ଓ ଶୃଙ୍ଖଳାକୁ ନାନା ଭାବେ ନଷ୍ଟ କରେ ତେବେ ଏସବୁ କ’ଣ ଭଲ ମଣିଷର ଲକ୍ଷଣ ବୋଲି କହିହେବ କି ?

ଆଧୁନିକ ଶିକ୍ଷାର ବ୍ୟାପକ ପ୍ରସାର ଓ ଅଗ୍ରଗତି ଘଟିଛି । ସମସ୍ତଙ୍କ ଲାଗି ଶିକ୍ଷାର୍ଜନର ସୁବ୍ୟବସ୍ଥା ହୋଇପାରିଛି । ଲୋକ ସଂଖ୍ୟା ଅନୁପାତରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନ ଖୋଲଯାଇଛି । ସେହିପରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଉନ୍ନତି ଘଟିଛି । ଫଳରେ ସେମାନଙ୍କ ପିଲାମାନଙ୍କୁ ଉତ୍ତମ ଓ ଉନ୍ନତମାନର ଶିକ୍ଷା ପ୍ରଦାନ ଲାଗି ଅଭିଭାବକ ମାନେ ବେଶ ଉତ୍ସାହ, ଉକ୍ରଣ୍ଠା ଓ ତତ୍ପରତା ପ୍ରଦର୍ଶନ କରୁଛନ୍ତି । ଭଲ ଫଳାଫଳଯୁକ୍ତ ପିଲା ଉତ୍ପାଦନ ଲାଗି ପୁଞ୍ଜି ବିନିଯୋଗ ବି କରୁଛନ୍ତି ।

ଯାହାଫଳରେ ପ୍ରତିବର୍ଷ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରୁଛନ୍ତି ଆଉ ଭଲ ଚାକିରି କରି ବେଶ ଭଲ ଉପାର୍ଜନ କରିବାକୁ ସକ୍ଷମ ହେଉଛନ୍ତି । ହେଲେ ସେମାନେ ଧୀରେ ଧୀରେ ଅହଙ୍କାରୀ ଓ ସ୍ୱେଚ୍ଛାଚାରୀ ହୋଇ ପଡୁଛନ୍ତି । ସେମାନଙ୍କ ନିକଟରୁ ଦୟା, କ୍ଷମା ଓ ପରୋପକାରର ଭାବନା ହଜିଯାଉଛି । ନିଜ ଭିତରର ମଣିଷ ପଣିଆକୁ ପାଦରେ ଦଳି ଦେଇ ଏମାନେ ପିତାମାତା ଓ ପରିବାରରେ ଅନ୍ୟମାନଙ୍କୁ ଅବହେଳା ଓ ଅସମ୍ମାନ କରୁଛନ୍ତି । କର୍ମକ୍ଷେତ୍ରରେ ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣରେ ବୁଡି ରହୁଛନ୍ତି । ସାଧୁତା ଓ ସଚ୍ଚୋଟତା ଭଳି ଗୁଣ ଏମାନଙ୍କ ଠାରୁ ଦୂରେଇ ଯାଉଛି । ସାଧାରଣ ଲୋକଙ୍କୁ ରୁକ୍ଷ ଓ ଅଶାଳୀନ ଆଚରଣ ପ୍ରଦର୍ଶନ କରିବାକୁ ସଙ୍କୋଚବୋଧ କରୁନାହାନ୍ତି ଏମାନେ ।

ଫଳରେ ଶିକ୍ଷାର ମର୍ଯ୍ୟାଦାରେ ହାନୀ ହେଉଛି । ଶିକ୍ଷା ତା’ର ମୌଳିକ ଲକ୍ଷ୍ୟପଥରୁ ଦୂରେଇ ଯାଉଛି । କେବଳ ଉଚ୍ଚ ଡିଗ୍ରୀଯୁକ୍ତ ସାର୍ଟିଫିକେଟ ହାସଲ କରି ଉଚ୍ଚ ପଦପଦବୀ ଅଳଙ୍କୃତ କରି ଧନୀ ବା ପ୍ରତିପତ୍ତିଶାଳୀ ହେବା ଶିକ୍ଷାର ଉଦେ୍ଦଶ୍ୟ ନୁହେଁ ବରଂ ସମାଜର ଉନ୍ନତି ଓ ସାଧାରଣ ଲୋକଙ୍କ ମଙ୍ଗଳ ନିମନ୍ତେ ନିଷ୍ଠା ଓ ଆନ୍ତରିକତାର ସହ କିଛି କରିବାକୁ ସଙ୍କଳ୍ପ ନେବା ହେଉଛି ଶିକ୍ଷାର ପ୍ରକୃତ ଉଦେ୍ଦଶ୍ୟ । ହେଲେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଆୟର ପନ୍ଥା ଯୋଗାଇ ଦେବାରେ କେତେକାଂଶରେ ସହାୟକ ହେଉଛି ସିନା ହେଲେ ସେମାନଙ୍କୁ ନୀତି ନୈତିକତାର ଶିକ୍ଷା ପ୍ରଦାନ କରିବାରେ ବିଫଳ ହୋଇଛି । ଯେଉଁଥିଲାଗି ଖୁବ ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାର ମାନଙ୍କରେ ଆଜି ଅଶାନ୍ତି ଓ ବିଶୃଙ୍ଖଳା ଲାଗି ରହୁଥିବା ଦେଖିବାକୁ ମିଳୁଛି । ତେଣୁ ଭଲ ମଣିଷ ସୃଷ୍ଟି କରିବାରେ ପରିବାରର ଅଭିଭାବକ ଓ ସ୍କୁଲ କଲେଜର ଶିକ୍ଷକ ତଥା ଅଧ୍ୟାପକ ମାନେ ଯତ୍ନବାନ ହେବା ଉଚିତ । ଭଲ ମଣିଷ ହେବା ଯଦିଓ ଏତେ ସହଜ ନୁହେଁ ତଥାପି ସମାଜ ଓ ସମାଜରେ ବସବାସ କରୁଥିବା ମଣିଷଙ୍କ ପ୍ରତି ନିରବଚ୍ଛିନ୍ନ ଭାବେ ଯଦି ଜଣେ ସମର୍ପିତ ରହେ ଓ ଏହି ଭାବଧାରା ନେଇ କାର୍ଯ୍ୟକରେ ତେବେ ସେ କେତେକାଂଶରେ ଭଲ ମଣିଷଙ୍କ ପାଖାପାଖି ବା ନିକଟତର ହେବାର ସୌଭାଗ୍ୟ ଅର୍ଜନ କରିପାରିବ । ଏଥିରେ ସନେ୍ଦହ ନାହିଁ ।

Leave A Reply

Your email address will not be published.