ଯଦୁମଣି ପାଣିଗ୍ରାହୀ : ଆମ ସାମାଜିକ ଜୀବନକୁ ସରସ ସୁନ୍ଦର କରିବାକୁ ହେଲେ ଅନେକ ଦିଗ ପ୍ରତି ଆମକୁ ସଚେତନ ରହିବାକୁ ପଡିବ । ଆଜିକାଲି ସମାଜରେ ଅନେକ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି ଯାହାକୁ ପ୍ରତିହତ କରିବାକୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ନିରନ୍ତର ଉଦ୍ୟମ କରାଯାଉଛି । ତଥାପି ସମସ୍ୟା ପ୍ରଶମିତ ହେବା ପରିବର୍ତ୍ତେପୁଣି ନୂଆ ନୂଆ ସମସ୍ୟା ଆମ ଆଗରେ ଉଭା ହେଉଛି । ଯାହା ଆମ ସୁସ୍ଥ ସାମାଜିକ ଜୀବନକୁ ନଷ୍ଟଭ୍ରଷ୍ଟ କରିବା ସହିତ ସମାଜକୁ ଅଧୋଗତି ଆଡକୁ ଟାଣି ନେଉଛି । ଆଜିର ଏହି ବିପର୍ଯ୍ୟୟମୁଖୀ ସମାଜକୁ ସୁଧାରିବାରେ ସମାଜର ପ୍ରତ୍ୟେକଟି ବ୍ୟକ୍ତିର ଗୁରୁ ଦାୟିତ୍ୱ ରହିଥିବା ବେଳେ ଅଧିକାଂଶ ଏହି ଦାୟିତ୍ୱ ନିର୍ବାହ କରିବାକୁ ଅସମର୍ଥ ।
ସମାଜର ପ୍ରତିଟି ଘଟଣା ଓ ଦୁର୍ଘଟଣା ଲାଗି ଆମେ କେବଳ ପରସ୍ପରକୁ ଦୋଷ ଦେଇ ଖସିଯିବାକୁ ସର୍ବଦା ପ୍ରୟାସ କରିଥାଆନ୍ତି । ତେଣୁ ସମାଜରେ ଘଟୁଥିବା ଯେକୌଣସି ପ୍ରସଙ୍ଗରେ ଆମେ ସରକାରଙ୍କ ମୁଣ୍ଡରେ ଅଠା ବୋଳି ଦେବାକୁ ପଛାଉ ନଥିବା ବେଳେ ଯେକୌଣସି କାର୍ଯ୍ୟକ୍ରମର ବିଫଳତା ଲାଗି ସରକାର ଲୋକଙ୍କ ଶିକ୍ଷା ଓ ସଚେତନତାର ଅଭାବର କଥା କହି ଖସିଯିବାକୁ ବସିଥାନ୍ତି । ତେଣୁ ବିଭିନ୍ନ ସାମାଜିକ ସମସ୍ୟାକୁ ପ୍ରଶମିତ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜନ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ ।
ପରିଷ୍କାର ପରିଚ୍ଛନ୍ନତା, ଦୁର୍ନୀତି ନିବାରଣ, ସଡକ ସୁରକ୍ଷା, ବୃକ୍ଷରୋପଣ, ପରିବେଶ ସୁରକ୍ଷା, କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା, ଓ ନିଶା ନିବାରଣ ଆଦି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜନ ସଚେତନତା କାର୍ଯକ୍ରମ କରାଯାଇଥାଏ । ଆଉ ଏହି ସଚେତନତା ବାବଦରେ ବିପୁଳ ଅର୍ଥ ବି ବ୍ୟୟ କରାଯାଇଥାଏ । ମାତ୍ର ଶେଷରେ ସବୁ ବ୍ୟର୍ଥ ହୋଇଥାଏ । ସରକାରଙ୍କ ପକ୍ଷରୁ ଏହାକୁ କେବଳ ବିଧି ରକ୍ଷା ଲାଗି ପାଳନ କରାଯାଉଥିବା ବେଳେ ସାଧାରଣଲୋକେ ଏସବୁକୁ ଅତି ହାଲୁକା ଭାବେ ଗ୍ରହଣ କରିଥାନ୍ତି । ପ୍ରତିବର୍ଷ ବିଭିନ୍ନ ପ୍ରସଙ୍ଗରେ ଜନ ସଚେତନତା ଲାଗି ସରକାରଙ୍କ ପକ୍ଷରୁ ଯେଉଁ ଅର୍ଥ ବ୍ୟୟ କରାଯାଇଥାଏ ତାହାର ହିସାବ କେହି ଖୋଜନ୍ତିନି କି ଲୋକେ କେତେ ସଚେତନ ହେଲେ କି ନହେଲେ ସେଥିନେଇ କେହି ତର୍ଜମା କରନ୍ତିନି । କେବଳ ମିଛ କାଗଜପତ୍ର ମାଧ୍ୟମରେ କୋଟି କୋଟି ଟଙ୍କାର ଶ୍ରାଦ୍ଧ କରାଯାଇ ସରକାରୀ ବାବୁ ମାନେ ସେମାନଙ୍କ କର୍ତ୍ତବ୍ୟ ଶେଷ କରୁଥିବା ବେଳେ ସାଧାରଣ ଲୋକେ ଏସବୁକୁ ତାମ୍ସା ବା ନାଟକବାଜିର ଆଖ୍ୟା ଦେଇ ପରିହାସ କରିବାକୁ ଭୁଲନ୍ତି ନାହିଁ ।
ନିଜ ଘର ଓ ବାହାର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ରାସ୍ତା, ଘାଟ ଓ ନାଳନର୍ଦ୍ଦମାକୁ ସଫାସୁତୁରା ରଖିବା ଦିଗରେ ପ୍ରୟାସ କରିବା ଆମ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ ଏକଥା ପ୍ରାୟ ସମସ୍ତେ ଅନୁଭବ କରୁଛନ୍ତି ହେଲେ ଅଧିକାଂଶ ଏହାକୁ ପାଳନ କରିବାରେ କୁଣ୍ଠାବୋଧ କରନ୍ତି । ହେଲମେଟ ନ ପିନ୍ଧି ଗାଡି ଚଳାଇବା, ନିଶାସକ୍ତ ଅବସ୍ଥାରେ ଓ ଦ୍ରୁତ ଗତିରେ ଗାଡି ଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲର ବ୍ୟବହାର କରିବା ଆଦି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ସମସ୍ତେ ପ୍ରାୟ ଜାଣନ୍ତି । ଆଉ ଏହିସବୁ କାରଣରୁ ଦୈନିକ କେତେନା କେତେ ଧନଜୀବନ ହାନୀ ଘଟୁଛି, ଏ ସଂପର୍କରେ ପ୍ରାୟ ସମସ୍ତେ ବି ଅବଗତ ଅଛନ୍ତି । ହେଲେ ନା ବନ୍ଦ ହେଉଛି ସଡକ ଦୁର୍ଘଟଣା ନା କମୁଛି ତତ୍ଜନିତ କ୍ଷୟକ୍ଷତି । ସେହିପରି ବିଭିନ୍ନ ଡ୍ରଗ୍ସ, ମାଦକ ଦ୍ରବ୍ୟର ସେବନ ଓ ବିଡି, ସିଗାରେଟ ଓ ଗୁଟଖା ଆଦିର ବହୁଳ ବ୍ୟବହାର ମଣିଷ ଜୀବନ ପ୍ରତି ଘାତକ ହୋଇପାରେ ଏକଥା ବି ସମସ୍ତେ ଜାଣନ୍ତି । ସରକାରଙ୍କ ପକ୍ଷରୁ ଏଥିନେଇ ସଚେତନତା ବି ସୃଷ୍ଟି କରାଯାଉଛି । ହେଲେ ଏହାର ବ୍ୟବହାର ଦିନକୁଦିନ ବଢି ବଢି ଚାଲିଛି ।
ଅନ୍ୟପକ୍ଷେ ଲାଞ୍ଚ ଦେବା ଓ ନେବା ଉଭୟ ଧର୍ତ୍ତବ୍ୟ ଅପରାଧ ଏକଥା କିଏ ନ ଜାଣେ । ସାଧାରଣ ଲୋକଙ୍କ ଠାରୁ ପୁଣି ସରକାରୀ ବାବୁଙ୍କ ଯାଏଁ ସମସ୍ତଙ୍କୁ ଦୁର୍ନୀତି ନିବାରଣ ନେଇ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ସଚେତନ କରାଯାଉଥିବା ବେଳେ ବିନା ହାତଗୁଞ୍ଜାରେ ଏଠି ବିଧବା ଭତ୍ତା କି ରାସନକାର୍ଡ ଖଣ୍ଡେ ହୋଇପାରେନି ଏକଥା କାହାକୁ ଅଛପା ରହିଛି ଯେ । ଦୈନିକ ଖବରକାଗଜର ପୃଷ୍ଠା ଖୋଲିଲେ ଗଣ୍ଡା ଗଣ୍ଡା ଦୁର୍ନୀତିର ଛବି ନଜରକୁ ଆସୁଛି । ସେହିପରି ସୁସ୍ଥ ପରିବେଶ ଓ ସୁସ୍ଥ ଜୀବନଯାପନ ଲାଗି ବୃକ୍ଷରୋପଣ ଅପରିହାର୍ଯ୍ୟ ହୋଇଥିବା ବେଳେ ଲୋକେ ବୃକ୍ଷଛେଦନ ଲାଗି ଯେତେ ଆଗ୍ରହ ପ୍ରକାଶ କରନ୍ତି ବୃକ୍ଷରୋପଣ ଲାଗି ସେତକ ନଥାଏ । କେବଳ ସେତିକି ନୁହେଁ ପରିବେଶ ପ୍ରଦୂଷଣ ଓ ଏହାର କୁପରିଣାମ ନେଇ ଲୋକେ କ’ଣ ସଚେତନ ନୁହଁନ୍ତି । ଦେଖିବାକୁ ଗଲେ ପ୍ରାୟ ସମସ୍ତେ ସଚେତନ । ଗତ କିଛି ଦିନ ହେଲା ପଲିଥିନ ଜରିର ନିଷେଧ ନେଇ ସରକାର କଡା କଡି ଆଇନ ପ୍ରଣୟନ କରିଛନ୍ତି । ଏହାର ବ୍ୟବହାର କିପରି ଉଭୟ ଜୀବଜନ୍ତୁ ଓ ମଣିଷ ସମାଜ ଲାଗି କ୍ଷତିକାରକ ସେଥିନେଇ ସମସ୍ତେ ବି ପ୍ରାୟ ସଚେତନ ଅଛନ୍ତି । ହେଲେ ଦୁଃଖର ବିଷୟ ଆଜି ବି ପଲିଥିନ ଜରିର ବ୍ୟବହାର ବଳବତ୍ତର ରହିଛି ।
ଏସବୁ ବ୍ୟତୀତ ବିଭିନ୍ନ ମାରାତ୍ମକ ରୋଗର ନିରାକରଣ, ଗର୍ଭବତୀ ମହିଳା ଓ ଛୋଟ ଛୋଟ ଶିଶୁ ମାନଙ୍କୁ ବିଭିନ୍ନ ରୋଗ ପ୍ରତିଷେଧକ ଟୀକା ପ୍ରଦାନର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଥାଏ । ଆଉ ଏଥିନେଇ ଜୋରଦାର ପ୍ରଚାର ବି କରାଯାଇଥାଏ । ଆଉ ଲୋକେ ବି ଏକଥା ପ୍ରତି ବେଶ ସଚେତନ ଥାଆନ୍ତି । ହେଲେ କାର୍ଯକ୍ଷେତ୍ରରେ ଫଳ ଫଳେ ଓଲଟା । ରୋଗଶୋକର ପ୍ରାଦୁର୍ଭାବ ଯଥାପୂର୍ବ ତଥା ପରଂ । ନିର୍ବାଚନରେ ମତଦାନ ଏକ ରାଜନୈତିକ ଅଧିକାର । ତେଣୁ ପ୍ରତ୍ୟେକ ମତଦାତା ଯୋଗ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ନିଜର ମତଦାନ କରି ନିଜ ଅଧିକାରକୁ ସାବ୍ୟସ୍ତ କରିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଏ । ଗତ ସାଧାରଣ ନିର୍ବାଚନରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏଥିନେଇ ବ୍ୟାପକ ଉଦ୍ୟମ କରାଯାଇଥିଲା । ହେଲେ କିଛି ବି ସୁଫଳ ମିଳିଲା ନାହିଁ ।
ଗାଁ ଗହଳି ନୁହେଁ ବରଂ ଖୋଦ ରାଜଧାନୀ ଭୁବନେଶ୍ୱରରେ ବି ମତଦାନ ୫୦ ପ୍ରତିଶତ ଛୁଇଁପାରିଲା ନାହିଁ । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ଏଠାକାର ସାହିବସ୍ତିର ସାଧାରଣ ଭୋଟର ମାନେ ଭୋଟଦାନ ନେଇ ଯେଉଁ ଆଗ୍ରହ ଦେଖାଇଲେ ତାହା ସହରରେ ରହୁଥିବା ବାବୁମାନେ ଦେଖାଇଲେ ନାହିଁ । ଉପରୋକ୍ତ ମାାତ୍ର କେତୋଟି ଉଦାହରଣକୁ ତର୍ଜମା କଲେ ଆମକୁ କ’ଣ ବୁଝିବାକୁ ହେବ ଯେ ଆଜି ବି ଲୋକଙ୍କ ଭିତରେ ସଚେତନତାର ଅଭାବ ରହିଛି । ନା ପ୍ରକୃତରେ କଥା ସେୟା ନୁହେଁ । କାରଣ ଆଜି ଶିକ୍ଷିତ ଓ ସଚେତନ ଲୋକମାନେ ହିଁ ଘରେ ପାଣି ଟେପ୍ ଓ ପଙ୍ଖା ଖୋଲା ରଖି ଘର ଚାବି ଦେଇ ବାହାରକୁ ଚାଲିଯାଆନ୍ତି ।
ହେଲମେଟ ନ ପିନ୍ଧି ଗାଡି ଚଳାନ୍ତି ଆଉ ଧରାପଡିଲେ ବିଭିନ୍ନ ବାହାନା ଦେଖାଇ ଖସିଯିବାକୁ ଉଦ୍ୟମ କରିଥାଆନ୍ତି । ଅଧିକାଂଶ ଲୋକ ଠିକ୍ ସମୟରେ ବିଜୁଳି, ଟେଲିଫୋନ ଦେୟ କିମ୍ବା ଇନକମ ଟେକ୍ସ ଦିଅନ୍ତି ନାହିଁ । ଏଥିପାଇଁ କ’ଣ ସଚେତନତାର ଆବଶ୍ୟକତା ରହିଛି । କଥାରେ କହନ୍ତି ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ନ୍ୟାୟରେ ସଚେତନ ଲୋକଙ୍କୁ ପୁଣି ସଚେତନ କରିବାର ଆବଶ୍ୟକତା ଅଛି କି ? ସତ କହିବାକୁ ଗଲେ ଉକ୍ତ ବିଡମ୍ବନା ପଛରେ ଲୋକଙ୍କ ସଚେତନତାର ଅଭାବ ଭଳି କାରଣ ଦାୟୀ ନୁହେଁ ବରଂ ସେମାନଙ୍କ ଦାୟିତ୍ୱହୀନ ମନୋଭାବ ହିଁ ଦାୟୀ ଏକଥା ସ୍ୱୀକାର କରିବାକୁ ପଡିବ ।
