Odisha news

୨୬ ଫେବୃଆରୀ ବାରିପଦା ଛଉପଡିଆରେ କୁଡୁମି ମହାସମାବେଶ

0

ବାରିପଦା  : ଅମ୍ବିକା ହୋଟେଲର ସମ୍ମିଳନୀ କକ୍ଷରେ କୁଡୁମି-ମହାନ୍ତ ମହାସଭା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଆଗାମୀ ଫେବୃଆରୀ ୨୬ ତାରିଖ ବାରିପଦା ଛଉ ପଡିଆରେ ହେବାକୁ ଥିବା ‘କୁଡୁମି ଅଧିକାର ଓ ସାଂସ୍କୃତିକ ମହାସମାବେଶ’ ସମ୍ବନ୍ଧରେ ସବିଶେଷ ସୂଚନା ଦିଆଯାଇଛି । ଏହି ମହାସମାବେଶରେ ଏକ ହଜାର ମାଦଳ ବାଜିବା ସହ ଏକ ଲକ୍ଷ କୁଡୁମିଙ୍କ ସମାଗମ ହେବ ବୋଲି ପ୍ରକାଶ କରାଯାଇଛି । ଏଥିରେ ଶତାଧିକ ଝୁମର ଦଳ ସାମିଲ ହେବେ ଓ ଛଉ ପଡିଆରେ ପାନ୍ତାଶାଳିଆ ନାଚ ପରିବେଷଣ କରିବେ । କାର୍ଯ୍ୟକ୍ରମ ଅନୁସାରେ ଏକ ବିଶାଳ ମହାରାଲୀ ମଧୁବନ ପଡିଆରୁ ବାହାରି ଛଉ ପଡିଆରେ ପହଞ୍ଚିବ । ଓଡିଶାର ସମସ୍ତ ଜିଲ୍ଲାରୁ ବହୁସଂଖ୍ୟାରେ କୁଡୁମି ଯୋଗଦେବା ସହିତ ପଡୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ଅସଂଖ୍ୟ କୁଡୁମି ଆସୁଛନ୍ତି ବୋଲି ସୂଚନା ଦିଆଯାଇଛି । ସମସ୍ତ କ୍ଷେତ୍ରରେ ସମାନ ଅଧିକାର ଓ ନିଜ ମହାନ୍ ସଂସ୍କୃତି ସମ୍ବନ୍ଧରେ ଜାଗରଣ ପାଇଁ ଏ ସମାବେଶର ଆୟୋଜନ କରାଯାଇଛି । ପ୍ରକାଶ ଥାଉକି ଓଡିଶାରେ ପ୍ରାୟ ୨୫ଲକ୍ଷରୁ ଅଧିକ କୁଡୁମି ବସବାସ କରନ୍ତି । ରାଜନୀତିଠାରୁ ଆରମ୍ଭକରି ସମସ୍ତ କ୍ଷେତ୍ରରେ ଏମାନେ ଉପେକ୍ଷିତ । ଏହି ସମାବେଶରେ ୭ଦଫା ଦାବୀ ଉପସ୍ଥାପନ କରାଯିବ ।

ମୁଖ୍ୟ ହେଉଛି ଏମାଙ୍କୁ ଅନୂସୁଚିତ ଜନଜାତିର ଅନ୍ତର୍ଗତ କରିବା । ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସରକାର ଏ ବାବଦରେ କେନ୍ଦ୍ରକୁ ସୁପାରିସ କରିସାରିଛନ୍ତି । ଓଡିଶା ସରକାର ଯଥାଶୀଘ୍ର ଏ ବାବଦରେ କେନ୍ଦ୍ରକୁ ସୁପାରିସ କରନ୍ତୁ ବୋଲି ଦାବି କରାଯିବ । ଏଥିସହିତ କେନ୍ଦ୍ର ନିକଟରେ ଦାବି କରାଯିବ ଏ ବାବଦରେ ନିୟମ ପାରିତ କରିବାକୁ । ଏହି ମୁଖ୍ୟ ଦାବୀ ସହିତ କୁଡମାଲୀ ଭାଷାର ସୀକୃତି, ଝୁମର ପ୍ରଚାର ଓ ପ୍ରସାର ପ୍ରସାର ପାଇଁ ଏକାଡେମୀର ସ୍ଥାପନ, ଆର୍ଥôକ ବିକାଶ ପାଇଁ ପ୍ୟାକେଜ ପ୍ରଦାନ, ସଂସ୍କୃତିର ସ୍ୱୀକୃତି, ରାଜଧାନୀ ଭୁବନେଶ୍ୱରରେ ଜାଗା ପ୍ରଦାନ ସହିତ କୁଡୁମି ସାଂସ୍କୃତିକ ଭବନ ନିର୍ମାଣ ଇତ୍ୟାଦି ଦାବୀମାନ ଉପସ୍ଥାପନ ହେବ । ପ୍ରସ୍ତାବିତ ମହାସମାବେଶର ସଂଯୋଜକ ଛୋଟଲାଲ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ତ୍ତା ସମ୍ମିଳନୀରେ ମହାସଭାର ରାଜ୍ୟ ସଭାପତି ଅଧ୍ୟାପକ ଗୋପବନ୍ଧୁ ମହାନ୍ତ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡ୍ଭୋକେଟ ଅବନୀ କୁମାର ମହାନ୍ତ, ବୈଦ୍ୟନାଥ ମହାନ୍ତ, ପଦ୍ମଲୋଚନ ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ ଓ ପଟେଲ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମହାସଭାର ସାଧାରଣ ସମ୍ପାଦକ ଆଡ୍ଭୋକେଟ ବସନ୍ତ କୁମାର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply