Odisha news

କୋଟିଆ କୂଟନୀତି ଓ ରାଜନୀତି

ବାଦଲ ଭୂୟାଁ : ଓଡ଼ିଶାର କୋଟିଆ ବିବାଦ ସୁପ୍ରିମକୋର୍ଟକୁ ଯିବା ପରେ ଓଡ଼ିଶା ସରକାର ଚଳଚଞ୍ଚଳ ହୋଇ ଏହି ଗ୍ରାମପୁଞ୍ଜର ଲୋକଙ୍କୁ ଯୋଡ଼ିବା ଲାଗି ଅନେକ ଯୋଜନା ହାତକୁ ନେଇଛନ୍ତି । ସୁପ୍ରିମକୋର୍ଟରେ ଆବେଦନ ସତ୍ତ୍ୱେ ଏହି ଲେଖାଟି ପ୍ରକାଶ ପାଇବା ବେଳକୁ ସେଠାରେ ଆନ୍ଧ୍ର ପ୍ରଶାସନ ଭୋଟଦାନ କାର୍ଯ୍ୟକ୍ରମ ସମାପ୍ତ କରିସାରିଲେଣି । କୋଟିଆକୁ ନେଇ କୂଟନୀତି ଓ ରାଜନୀତି ମଧ୍ୟ ବେଶ ସରଗରମ ହୋଇଗଲଣି । ଆନ୍ଧ୍ର ଓଡ଼ିଶା ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତାହା ଉପରେ ରାଜନୈତିକ ସମୀକ୍ଷକମାନେ ସତର୍କ ଦୃଷ୍ଟି ରଖିଛନ୍ତି । ଓଡ଼ିଶାରେ ମୁଖ୍ୟବିରୋଧୀ ଦଳ ବିଜେପି କୋଟିଆ ଗସ୍ତକରି ପରିସ୍ଥିତିକୁ ନିଜ ଆଖିରେ ଦେଖିଛନ୍ତି । ଓଡ଼ିଶା ସରକାର ତିନିବର୍ଷ ତଳେ କୋଟିଆ ପ୍ରଗତି ପାଇଁ ୧୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ଏବଂ କିଛି ଦିନ ତଳେ ୧୩ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ହୋଇଛି । କୋଟିଆ ଏବେ ଆନ୍ଧ୍ର ଓ ଓଡ଼ିଶା ରାଜନୀତି ପଶାପାଲ୍ଲୀର ଗୋଟିଏ ଗୋଟି ମାତ୍ର ।

ଏକ ଧାରଣା ଉଠିଛି ଯେ ଖଣିଜ ସମ୍ପଦରେ ଭରପୁର ଓ ପ୍ରାକୃତି ସୌନ୍ଦର୍ଯ୍ୟଭରା ଏହି ଅଞ୍ଚଳଟିକୁ କେବଳ ଖଣିଜ ସମ୍ପଦ ଲୋଭରେ ଆନ୍ଧ୍ର ଅକ୍ତିଆର କରିବାକୁ ଚାହୁଁଛି । ସ୍ଥାନୀୟ ଲୋକ ଏହି କ୍ଷେତ୍ରକୁ ସୁନା ପାହାଡ଼ କହୁଥିବାବେଳେ ବକ୍ସାଇଟ ଓ ସୁନା, ରୂପା ଭଳି ମୂଲ୍ୟବାନ ଧାତୁ ଭୂମିତଳେ ରହିଥିବାରୁ ଏଥିପାଇଁ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡ଼ିଛି । କୋଟିଆରେ ଏକୋଇଶଟି ଗାଁ ରହିଥିବାବେଳେ ଆନ୍ଧ୍ର ଓଡ଼ିଶା ଗାଁର ଏ ନାମକୁ ମଧ୍ୟ ବଦଳାଇ ସାରିଲାଣି । ତଳଗଞ୍ଜେଇପଦରକୁ ବଦଳାଇ ଆନ୍ଧ୍ର କରିଛି ଗଞ୍ଜେଇବାଦ୍ରା । ପାଟୁସେନେରି ଗାଁକୁ ବଦଳାଇ କରିଛି ପାଟୁଚ୍ଛେନୁରୁ । ଫଗୁଣସେନେରି ଗାଁକୁ ବଦଳାଇ କରିଛି ପାଲଗୁଚ୍ଛେନେରୁ । ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଓ ୧୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆନ୍ଧ୍ର ଏଠାରେ କରିବାକୁ ଯାଉଛି । ତେଲଗୁ ପଢ଼ୁଥିବା ପିଲାମାନେ ଓଡ଼ିଆ ଭାଷାକୁ ଏକ ପ୍ରକାର ଭୁଲି ସାରିଲେଣି କହିଲେ ଅତୁ୍ୟକ୍ତି ହେବନାହିଁ । କିନ୍ତୁ ଅସଲ କଥା ହେଉଛି ବାସ୍ତବରେ କୋଟିଆର ପ୍ରଗତି ପାଇଁ ସତରେ କ’ଣ ଆନ୍ଧ୍ର ସରକାର ଚାହୁଁଛନ୍ତି? ଏହା ତ ସମଗ୍ର ଓଡ଼ିଶାବାସୀ ଓ ରାଜନୈତିକ ସମୀକ୍ଷକଙ୍କ ପାଇଁ କୋଟି କୋଟି ଟଙ୍କାର ପ୍ରଶ୍ନ!

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ଗସ୍ତ କରିବାର ଘୋଷଣା ମଧ୍ୟ କରିବା ପରେ ଏହି କ୍ଷେତ୍ରକୁ ନେଇ ଏବେ ଅନେକ ଚର୍ଚ୍ଚା ଉଠିଲାଣି । ଓଡ଼ିଶା ବିଜେପିର ପୋଷ୍ଟର ବୟ ତଥା ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ପ୍ରଭାବଶାଳୀ ସମର୍ଥକ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ତାଙ୍କ କୋଟିଆ ସ୍ମୃତିକୁ ନେଇ ତଥ୍ୟଭିତ୍ତିକ ଫଟୋ ଓ ଖବର ସାମ୍ବାଦିକଙ୍କୁ ଦେଇଛନ୍ତି । କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ଟଣାଟଣି ଭିତରେ କେନ୍ଦ୍ର ସରକାର ମଧ୍ୟସ୍ଥତା କରିବାର ଗୁରୁ ଦାୟିତ୍ୱ ରହିଛି । ଆନ୍ଧ୍ରରେ ପୂର୍ବ ଟିଡ଼ିପି ସରକାରକୁ ପରାସ୍ତ କରି ୱାଇଏସ୍ଆର କଂଗ୍ରେସ ଦଳ ଶାସନରେ ରହିଛି । ଏହି ଦଳ କେନ୍ଦ୍ରର ବିଜେପି ସରକାରଙ୍କ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ସମର୍ଥକ ଦଳ ଭାବେ ପରିଚିତ । ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ବିଜେପିର ଜଣେ ବିଶ୍ୱସ୍ତ ଓ ଦୃଢ଼ ସମର୍ଥକ । ସେହିପରି ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରହିଛନ୍ତି ଓଡ଼ିଶାର ନିର୍ମଳ ଭାବମୂର୍ତ୍ତିସମ୍ପନ୍ନ, ଅଭିଜ୍ଞ ଓ ବିଜେପିର ବର୍ଷିୟାନ ନେତା ବିଶ୍ୱ ଭୂଷଣ ହରିଚନ୍ଦନ । କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ବର୍ଷରେ ରାଜନୀତିର ଦୃଶ୍ୟପଟ୍ଟରେ ବିଶ୍ୱ ଭୂଷଣ ବାବୁଙ୍କ ଓଡ଼ିଆ ସ୍ୱାଭିମାନ ଓ ଜଣେ ନିଜ ମାଟିକୁ ଭଲ ପାଉଥିବା ଓଡ଼ିଆ ଭାବେ ବେଶ ପରିଚିତ ।

ଏ କ୍ଷେତ୍ରରେ ଓଡ଼ିଶାବାସୀ କୋଟିଆ ବିବାଦ ସମୟରେ ତାଙ୍କ ସହଯୋଗ ଆଶା କରିବା ସ୍ୱାଭାବିକ । ଏଠାରେ ସହୃଦୟ ପାଠକ ଓ ଓଡ଼ିଶାବାସୀଙ୍କୁ ଏହି ଲେଖକ ସ୍ମରଣ କରୁଛି କି ଯେ, ୨୦୧୩ ନଭେମ୍ବର ୨୫ରେ ୱାଇଏସ୍ଆର କଂଗ୍ରେସର ସୁପ୍ରିମୋ ଜଗନମୋହନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ । ନବୀନ ବାବୁଙ୍କ ସ୍ୱଚ୍ଛ ରାଜନୀତି, ସରଳ ଜୀବନ ଓ ଓଡ଼ିଶାର ପ୍ରଗତି କ୍ଷେତ୍ରରେ ତାଙ୍କର ଦୃଢ଼ନିଷ୍ଠ ଉଦ୍ୟମକୁ ସେ ଭୂୟଂଶୀ ପ୍ରଶଂସା କରିଥିଲେ । କେବଳ ସେତିକି ନୁହେଁ ନବୀନ ବାବୁ ତାଙ୍କ ପାଇଁ ଜଣେ ଆଦର୍ଶ ଓ ସମ୍ମାନର ନେତା ବୋଲି କହିବାକୁ ପଛାଇ ନଥିଲେ । ତକ୍ରାଳୀନ ସମୟରେ ଆନ୍ଧ୍ରପ୍ରଦେଶ ବିଭାଜନ ବିଲ୍ ନେଇ ଭାରତୀୟ ରାଜନୀତିରେ ହଟଚମଟ ଲାଗିଥିବାବେଳେ ସେ ବିଜେଡ଼ିର ସମର୍ଥନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ବାବୁଙ୍କୁ ସାକ୍ଷାତ କରିଥିଲେ ଏବଂ ଏ କ୍ଷେତ୍ରରେ ଦୂରଦୃଷ୍ଟି ସମ୍ପନ୍ନ ନବୀନ ବାବୁ ତାଙ୍କୁ ସମର୍ଥନ ମଧ୍ୟ ପ୍ରଦାନ କରିଥିଲେ ।

ଏ ସମୟରେ ଓଡ଼ିଶାବାସୀ ଆଶା କରନ୍ତି ଯେ ଓଡ଼ିଶାର ବିକାଶର ନେତା, ଓଡ଼ିଶାର ପ୍ରଗତି ପୁରୁଷ କୁହାଯାଉଥିବା ନବୀନ ବାବୁଙ୍କ ପ୍ରତି ତାଙ୍କର ସମ୍ମାନ ଓ ଶ୍ରଦ୍ଧାର ଋଣ ସୁଝିବା ପାଇଁ । ବିଜେପି ଏହି ପ୍ରସଙ୍ଗକୁ ଆଗକୁ ନେଉଥିବାବେଳେ ଓଡ଼ିଶା କେତେ ଲାଭ ପାଇବ ଓ କେନ୍ଦ୍ର ସରକାର ଜଗନମୋହନଙ୍କୁ ମନାଇ ପାରିବେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । କୋଟିଆକୁ ନେଇ ଓଡ଼ିଶା ଆନ୍ଧ୍ର ଭିତରେ ବିବାଦ ରହିବା ଅନୁଚିତ । କାରଣ ଏହି ଦୁଇଟି ରାଜ୍ୟ କେବଳ ପଡ଼ୋଶୀ ନୁହଁନ୍ତି ଏହି ଦୁଇ ରାଜ୍ୟ ଭିତରେ ରାଜ୍ୟବାସୀ ମାନଙ୍କ ପରସ୍ପର ଭଲ ପାଇବା ଓ ସହଯୋଗ ଅତୁଟ ରହିଛି । ଆନ୍ଧ୍ରରେ କୌଣସି ଅଘଟଣ ହେଉ ବା ଓଡ଼ିଶାରେ କୌଣସି ବିପର୍ଯ୍ୟ ପରସ୍ପର ପରସ୍ପର ପ୍ରତି ତକ୍ରାଳ ସମର୍ଥନ କରିଥାନ୍ତି । ଓଡ଼ଶାକୁ ଆନ୍ଧ୍ରର ଅନେକ ନିତିଦିନିଆ ସାମଗ୍ରୀ ଆସୁଥିବାବେଳେ ଓଡ଼ିଶାରୁ ଅନେକ ସାମଗ୍ରୀ ଆନ୍ଧ୍ରକୁ ଯାଇଥାଏ । ରାଜନୀତି ତା ବାଟରେ ଯାଉ କିନ୍ତୁ ରାଜ୍ୟବାସୀଙ୍କ ପରସ୍ପର ପ୍ରତି ଭଲପାଇବା ବହୁତ ଉପଲବ୍ଧି ।

ଏହା ପୂର୍ବରୁ ଓଡ଼ିଶାର ଅନେକ ବିକାଶ ମୂଳକ କାର୍ଯ୍ୟକ୍ରମ କ୍ଷେତ୍ରରେ ବିଜେଡ଼ି ଓ ବିଜେପି ଦୁଇ ବନ୍ଧୁପରି ଗୋଟିଏ ସ୍ୱରରେ ରାଜ୍ୟ ପ୍ରଗତିରେ ସାମିଲ ହୋଇଛନ୍ତି । ତେଣୁ ରାଜନୀତିକୁ ପଛରେ ପକାଇ କୋଟିଆ କୂଟନୀତିର ଅନ୍ତ ହେଉ । ଦୁଇ ରାଜ୍ୟବାସୀ ସୁଖ ଓ ସମୃଦ୍ଧିରେ ରୁହନ୍ତୁ ଜଣେ ଓଡ଼ିଆ ପୁଅ ଭାବେ ଏହି କାମନା କରୁଛି ।

Comments are closed.