କୋରେଇ ୧୦ା୧୦ : ପୂର୍ବତଟ ରେଳ ବିଭାଗ ଅଧିନ ଖୋର୍ଦ୍ଦା ଡିଭିଜନ ଅନ୍ତର୍ଗତ ଦୁଲାଖାପାଟଣା ପାସେଞରହଲ୍ଟ ଠାରେ ଆଜି ବାଲେଶ୍ୱର- ଭୁବନେଶ୍ୱର ମେମୁ ଟ୍ରେନରେ ଭିଡପାଇଁ ଯାତ୍ରୀ ଚଢି ନ ପାରିବାରୁ ଶତାଧିକ ଯାତ୍ରୀ ଟ୍ରେନ ଆଗରେ ବସି ରହିଥିଲେ । ଫଳରେ ଟ୍ରେନଟି ଦିର୍ଘ ଦୁଇରୁ ଅଢେଇ ଘଂଟା ଛିଡାହୋଇ ରହିଥିଲା । ଏହାଦ୍ୱାରା ଟ୍ରେନରେ ଆସିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗିଥିବା ବେଳେ ଅପ ଲାଇନ୍ରେ ଆସୁଥିବା ଟ୍ରେନ ଗୁଡ଼ିକ ଦୁଇରୁ ଅଢେଇ ଘଂଟା ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ସୂଚନା ଥାଉକି ପୂର୍ବରୁ ଏହି ମେମୁ ଟ୍ରେନଟି ଭଦ୍ରଖରୁ ଭୁବନେଶ୍ୱର ଯାଉଥିବା ବେଳେ ଏହାକୁ ବାଲେଶ୍ୱର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଥିଲା । ଫଳରେ ବାଲେଶ୍ୱରରୁ ଟ୍ରେନଟି ଆସିବା ଫଳରେ ବଗି ଗୁଡିକରେ ବହୁ ଭିଡ଼ ହେବାରୁ ଭଦ୍ରକ ଠାରୁ କଟକ ପର୍ଯ୍ୟନ୍ତ ଯାଉଥିବା ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯାହାକୁ ନେଇ ଆଜି ଦୁଲାଖାପାଟଣା ପାସେଞରହଲ୍ଟ ଠାରେ ଟ୍ରେନଟି ଏତେ ଭିଡଥିଲା ଯେ ଯାତ୍ରୀମାନେ ଚଢିବା ଅସମ୍ଭବ ହୋଇପଡିଥିଲା । ମାତ୍ର କିଛିଯାତ୍ରୀ ଟ୍ରେନରେ ନ ଚଢି ଇଂଜିନ ଆଗରେ ବସିଥିଲେ । ଏହାକୁ ଦେଖି ଟ୍ରେନରେ ଚଢିଥିବା ସ୍ଥାନୀୟ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଇଂଜିନ ଆଗରେ ବସିଥିବା ଯାତ୍ରୀମାନଙ୍କ ସହ ବସିରହିଥିଲେ । ଫଳରେ ଟ୍ରେନଟି ଦିର୍ଘ ସମୟ ଅଟକି ରହିବା ପରେ ଖବର ପାଇ କୋରେଇ ଥାନା ଅଧିକାରୀ, ପାଣିକୋଇଲି ଥାନା ଅଧିକାରୀ, ଯାଜପୁର ରୋଡ ଜିଆରପି ଓ ଭଦ୍ରଖ ଆରପିଏଫ୍ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଚି ବସିଥିବା ଯାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ଯାତ୍ରୀ ମାନେ ଟ୍ରେନ ଆଗରୁ ଉଠିଥିଲେ । ଫଳରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଅପରାହ୍ନରେ ରେଳ ବିଭାଗ ପକ୍ଷରୁ ଡିସିଏମ ଗିରିସ ଚନ୍ଦ୍ର ନାୟକ, ସିଏମଆଇ ସୁନିଲ କୁମାର ବେହେରା, ଷ୍ପେଶାଲ ବ୍ରାଂଚ ଭଞ ବେହେରା ପ୍ରମୁଖ ଦୁଲାଖାପାଟଣା ଠାରେ ପହଁଚି ଦୁଲାଖାପାଟଣା କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରିଥିଲେ । ଏବଂ ଆସନ୍ତା କାଲି କ୍ରିୟାନୁଷ୍ଠାନ କମିଟର ଏକ ପ୍ରତିନିଧି ଦଳ ଡିଆରଏମଙ୍କୁ ଭେଟିବା ପାଇଁ ନିଷ୍ପତି ହୋଇଛି । (ଫଟୋଅଛି)
