Odisha news

ମାଝିଗୁଡାରେ ୪ ଶିଶୁ ମୃତ୍ୟୁ ଘଟଣା ; ଠିକା ସଂସ୍ଥା ପକ୍ଷରୁ ପ୍ରତ୍ୟେକ ମୃତକ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

0
କୋରାପୁଟ ୨୫-୦୬ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମାଝିଗୁଡା ଗ୍ରାମରେ ପାଣି ଭର୍ତ୍ତି ଖାଲରେ ବୁଡି ମୃତ୍ୟୁବରଣ କରିଥିବା ପରିବାରବର୍ଗଙ୍କୁ ଠିକା ସଂସ୍ଥା ପକ୍ଷରୁ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇଛି।କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତ୍ୟେକ ମୃତକ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନି,ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, କୋରାପୁଟ ଉପ ଜିଲ୍ଲାପାଳ ଲଲିତ କୁମାର କହଁର, ବିଜେଡି ଉପସଭାପତି ନାରାୟଣ ବିଷୋୟୀ, ପାଇକ ଫୁଲବେଡା ସରପଞ୍ଚ ମହେଶ୍ୱର ଗାଦବା ପ୍ରମୁଖଙ୍କ ଉପସ୍ଥିତିରେ ଚେକ ପ୍ରଦାନ କରାଯାଇଥିଲା।
   ସୂଚନା ଯୋଗ୍ୟ ଯେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲବେଡା ପଞ୍ଚାୟତର ମାଝିଗୁଡା ଗ୍ରାମରେ  ଗତ ୨୩ ତାରିଖ ଦିନ ଏକ ଅଭାବନୀୟ ଓ ଦୁଃଖତ ଘଟଣା ଘଟିଥିଲା।୩ ପରିବାରର ୪ ଜଣ ଶିଶୁ  ପାଣି ଭର୍ତ୍ତି ଖାଲରେ ବୁଡି ମୃତ୍ୟୁବରଣ କରିଥିଲେ। ଭାରତମାଳା ଯୋଜନା ନିମନ୍ତେ ଗ୍ରାମ ନିକଟରେ ଠିକାଦାର ରାସ୍ତା ନିର୍ମାଣ ପାଇଁ ଜମିରୁ ମାଟି ବାହାର କରିଦେଇଥିବାରୁ ଉକ୍ତ ଜମିରେ ଖାଲ ସୃଷ୍ଟି ହୋଇଥିଲା। ବର୍ଷା ହୋଇଥିବାରୁ ଉକ୍ତ ଖାଲରେ ପାଣି ଜମି ରହିଥିଲା। ମାଝୀଗୁଡା ଗ୍ରାମର ସମରା ଶୁକ୍ରୀଙ୍କ ୬ ବର୍ଷର ଝିଅ ବିମଳା ଶୁକ୍ରୀ ଓ ୪ ବର୍ଷର ଝିଅ ରଇଲା ଶୁକ୍ରୀ, ଧନୁର୍ଜୟ ହନ୍ତାଲଙ୍କ ୬ ବର୍ଷର ପୁଅ ମଧୁସୂଦନ ହନ୍ତାଲ ଏବଂ ସନିଆ ହନ୍ତାଲଙ୍କ ୭ବର୍ଷର ଝିଅ ପୂର୍ଣ୍ଣୀ ହନ୍ତାଲ ଖେଳିବା ପାଇଁ ଉକ୍ତ ପାଣି ଭର୍ତ୍ତି ଖାଲ ନିକଟକୁ ଯାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ୪ ଶିଶୁଙ୍କ ଶବ ଉଦ୍ଧାର କରାଯାଇଥିଲା।ସେହିଦିନ ରାତ୍ରୀରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରଯାଇଥିଲା।ସେହିଦିନ ରେଡକ୍ରସ ପାଣ୍ଠିରୁ ପ୍ରତ୍ୟେକ ମୃତକ ପରିବାରବର୍ଗଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହ ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ପ୍ରତ୍ୟେକ ପରିବାରବର୍ଗଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା।
IEC 2 years
Leave A Reply