କୋଣାର୍କ : ଗୁରୁଵାର କୋଣାର୍କ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନରେ ଗୁରୁ ଦିଵସ ପାଳନ କରାଯାଇଛି। ଏହି ଅଵସରରେ ପୁରୀ ଶିକ୍ଷା ଜିଲ୍ଲା ଅଧିକାରୀ ଦୀପକ କୁମାର ପର୍ହିଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କ୍ଲଷ୍ଟର ଅନ୍ତର୍ଗତ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗୁରୁ ପୂଜନ ଉତ୍ସବ ଓ ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ରନାଥ ବାହିନୀପତି ମୁଖ୍ୟ ଅତିଥିରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥି ଶିକ୍ଷକ ବାଲୁଙ୍କେଶ୍ୱର ବାରିକ, ସୁରେନ୍ଦ୍ରନାଥ ଗ୍ରହାଚାର୍ଯ୍ୟ, ପଣ୍ଡିତ ରବୀନ୍ଦ୍ର କୁମାର ଦ୍ୱିବେଦୀ, ଶିକ୍ଷକ ଦିଲ୍ଲୀପ କୁମାର ନାୟକ, ସୁଶାନ୍ତ ବେହେରା, ମାନସ କୁମାର ମୁଦୁଲି, ଚିତ୍ରାଞ୍ଜଳି ନାୟକ ଓ ନିହାରିକା ମହାନ୍ତି ପ୍ରମୁଖ ଯୋଗଦେଇ ଭାରତର ପ୍ରାକ୍ତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗୁରୁ ପୂଜନ ଉତ୍ସବ ପରେ ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଛାୟା ପ୍ରଦାନକାରୀ ବିଭିନ୍ନ ପ୍ରକାର ଵୃକ୍ଷଚାରା ରୋପଣ କରାଯାଇଥିଲା। କ୍ଲଷ୍ଟର ଅନ୍ତର୍ଗତ ଭୈରବ ନୋଡାଲ ୟୁପିଏସ, ଆମ୍ଵିଳିଗାଁ ୟୁଜିୟୁପିଏସ୍, ସିମିଳି ପିୟୁପିଏସ୍, ଶିରିପୁର ପିୟୁପିଏସ୍, ରୁଦ୍ରାୟଣୀ ଏନୟୁପିଏସ୍, ମାଟିଆପଡା ଏନୟୁପିଏସ୍, ପାଇକେରାପୁର ପିଏସ୍, ଵନାଖଣ୍ଡି ପିଏସ୍, ଖରାଗାଁ ପିଏସ୍, ଵାହାରଣା ପିଏସ୍ ଓ ଵନାଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଗୁରୁପୂଜନ ଉତ୍ସବ ସହିତ ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
