କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ କୁରୁଜଙ୍ଗ ଗ୍ରାମପଞ୍ଚାୟତର ପ୍ରସିଦ୍ଧ ଶୈବପୀଠ ବାବା ଐଶାନେଶ୍ଵର ମହାଦେବଙ୍କ ପୀଠରେ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ କ୍ଷୀର ସାଗର ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ବାବା ଐଶାନେଶ୍ଵର ହେଉଛନ୍ତି ଅଷ୍ଟ ଶମ୍ଭୁଙ୍କ ମଧ୍ୟରେ ଅନ୍ୟତମ। ବୈଶାଖ ମାସ ଶୁକ୍ଳପକ୍ଷ ଶନିବାର ପ୍ରସିଦ୍ଧ ଶୈବପୀଠ ବାବା ଐଶାନେଶ୍ଵରଙ୍କ ପୀଠରେ ପ୍ରତ୍ୟକ୍ଷରୁ ମନ୍ଦିର ପ୍ରାଙ୍ଗଣ ଶୋଧନ ପରେ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପରେ ପରେ ବାବା ଐଶାନେଶ୍ଵର ମହାଦେବଙ୍କ କ୍ଷୀରାଭିଷେକ ନୀତି ଧାର୍ମିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଐଶାନେଶ୍ଵରଙ୍କ ପୂଜକ ବାବାଙ୍କ ଉପରେ ୧୦ହଜାର ଲିଟର କ୍ଷୀର ଢାଳି କ୍ଷୀର ସାଗର ମେଳାର ରୀତିନୀତି ଓ ପୂଜାର୍ଚ୍ଚନା କାର୍ଯ୍ୟ ସଂପନ୍ନ କରିଥିଲେ। ଏହି ନୀତି ସଂପନ୍ନ ହେବା ପରେ କୁରୁଜଙ୍ଗ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ବାବା ଐଶାନେଶ୍ଵର ଙ୍କ ପୂଜାର୍ଚ୍ଚନା କରିବା ସହ ବାବାଙ୍କ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଠାକୁରଙ୍କ ପୂଜକ, ସେବାୟତ ଓ ମନ୍ଦିର ପରିଚାଳନା କମିଟିର ସଭାପତି, ସଂପାଦକଙ୍କ ସମେତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।
