Odisha news

କୋଣାର୍କ ଉତ୍ସବ-2023 ଅବସରରେ ଉପଭୋକ୍ତା ସଚେତନତା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

0
କୋଣାର୍କ ଉତ୍ସବ ଅବସରରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିହିଡା ଆନୁକୁଲ୍ୟରେ ଗତ ଡିସେମ୍ବର ୧ତାରିଖ ଠାରୁ ୫ତାରିଖ ପର୍ଯ୍ୟନ୍ତ ଉପଭୋକ୍ତା ସଚେତନତା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ପୁରୀ ଜିଲ୍ଲା ଓଜନ ଓ ମାପ ବିଭାଗ ସହାୟତାରେ ଏହି କାର୍ଯ୍ୟକ୍ରମ ନିମାପଡ଼ା ଅଂଚଳର ଅଗ୍ରଣୀ ସାମାଜିକ ସଂଗଠନ ନିହିଡା ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନୀରେ ନିହିଡା ପକ୍ଷରୁ ଉପଭୋକ୍ତା ମାନଙ୍କୁ ଖାଉଟି ସୁରକ୍ଷା ଆଇନ ୧୯୮୬/୨୦୧୯ ର ଖାଉଟି କଲ୍ୟାଣ ଓ ଖାଉଟି ଅଧିକାର ସମ୍ପର୍କରେ ଫଟୋଚିତ୍ର ପ୍ରଦର୍ଶନୀ, ବ୍ଯାନର ପ୍ରଦର୍ଶନୀ ସହିତ ଉପଭୋକ୍ତାଙ୍କ ନିମନ୍ତେ  ସଚେତନତା ସୃଷ୍ଟି ପାଇଁ  ଖାଉଟି କଲ୍ୟାଣ ସମ୍ବନ୍ଧୀୟ କ୍ଷୁଦ୍ର ଭିଡିଓ ସିନେମା ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଏହି ପ୍ରଦର୍ଶନୀର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉପଭୋକ୍ତା ମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ପୁରୀ ଜିଲ୍ଲା ଓଜନ ଓ ମାପ ବିଭାଗର ଉପ ନିୟନ୍ତ୍ରକ ପ୍ରଗତି ନାୟକ, ସହକାରୀ ନିୟନ୍ତ୍ରକ ଅକ୍ଷୟ କୁମାର ଭୋଇ, ନିରଞ୍ଜନ ଦାସ, ଭାଗୀରଥୀ ପାଇକରାୟ ପ୍ରମୁଖ ଯୋଗଦେଇ ଖାଉଟି ଅଧିକାର ଓ ଖାଉଟି ସୁରକ୍ଷା ଆଇନ ସମ୍ପର୍କରେ ଉପଭୋକ୍ତା ମାନଙ୍କୁ ସଚେତନ ହେବାପାଇଁ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବରେ ଯୋଗଦେଇ ଖାଉଟି କଲ୍ୟାଣ ଓ ଖାଉଟି ଅଧିକାର ଏବଂ ଖାଉଟି ସୁରକ୍ଷା ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନିହିଡା ଅନୁଷ୍ଠାନ ପକ୍ଷରୁ ସଂପାଦକ ଭକ୍ତ ବିହାରୀ ମିଶ୍ର ଓ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave A Reply