Odisha news

କୋଣାର୍କ ଏନଏସି ପାର୍କିଂ ଟେଣ୍ଡର କରା ନ ଯିବା ପଛରେ ଅସଲ ରହସ୍ୟ କଣ ? ୫ଵର୍ଷରେ ୨କୋଟିରୁ ଉର୍ଦ୍ଧ୍ବ ରାଜସ୍ବ ହାନି, ଉଚ୍ଚସ୍ତରୀୟ ତଦନ୍ତ ଦାବି ।

0

କୋଣାର୍କ –  କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କ ଚାରି ଚକିଆ ଯାନ, କାର, ବସ, ଅଟୋ ରିକ୍ସା ଯାନ ନିମନ୍ତେ ପାର୍କିଂ ନିମନ୍ତେ କୋଣାର୍କ ଏନଏସି ପକ୍ଷରୁ ଗତ ୨୦୧୮ ମସିହା ଠାରୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ପାର୍କିଂ ସ୍ଥାନ ନିଲାମ କରାଯିବାର ନିୟମ ଥିବା ବେଳେ କାହା ଇଙ୍ଗିତରେ ଦୀର୍ଘ ୫ବର୍ଷ ଧରି ଟେଣ୍ଡର କରା ନ ଯାଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ପାର୍କିଂ ଫି ଆଦାୟ କରାଯାଇ ୨କୋଟି ଟଙ୍କାରୁ ଉର୍ଦ୍ଧ୍ବ ରାଜସ୍ବ ହାନି ଘଟିଛି ତାହାର କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଖବରରୁ ପ୍ରକାଶ ଯେ ଯେ କୋଣାର୍କ ଏନଏସି କର୍ତ୍ତୃପକ୍ଷଙ୍କ ଦ୍ବାରା କୋଣାର୍କ ଆସୁଥିବା ପର୍ଯ୍ୟଟକମାନଙ୍କ ଗାଡି ରଖିବା ପାଇଁ ପାର୍କିଂ ଫି ଆଦାୟ ପାଇଁ ୨୦୧୮ ପୂର୍ବରୁ ପ୍ରାୟ ୮୦ଲକ୍ଷ ଟଙ୍କାରେ ପାର୍କିଂ ଟେଣ୍ଡର କରାଯାଇ ଏନଏସିର ରାଜସ୍ବ ବୃଦ୍ଧି କରାଯାଉଥିଲା। ମାତ୍ର ୨୦୧୮ମସିହା ଠାରୁ ୨୦୨୩ମସିହା ମଧ୍ୟରେ କୋଣାର୍କ ଏନଏସି ପକ୍ଷରୁ ପାର୍କିଂ ଟେଣ୍ଡର କରା ନ ଯାଇ କାର୍ଯ୍ୟାଳୟ ପକ୍ଷରୁ ଏହି ପାର୍କିଂ ଫି ଆଦାୟ କରାଯିବା କେତେଦୂର ଆଇନ ସମ୍ମତ ତାହା ବୁଦ୍ଧିଜୀବୀ ମହଲରେ ଏନଏସିର ପ୍ରଶାସନିକ ଦାୟିତ୍ବହୀନତା ନୀତିକୁ ପଦାରେ ପକାଇଛି ବୋଲି ସାଧାରଣରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ପାର୍କିଂ ସ୍ଥାନ ଟେଣ୍ଡର ନ ହେବା ଯୋଗୁଁ କୋଣାର୍କ ଏନଏସି ବାର୍ଷିକ ୬୦ଲକ୍ଷ ଟଙ୍କା ରାଜସ୍ବ ହାନୀ କରୁଛି ବୋଲି ଦେଖିବାକୁ ମିଳିଛି। ବିଗତ ଦିନରେ ପାର୍କିଂ ଟେଣ୍ଡର ମାଧ୍ୟମରେ ୮୦ଲକ୍ଷ ଟଙ୍କା ଆଦାୟ ହେଉଥିବା ବେଳେ ବର୍ତ୍ତମାନ ଟେଣ୍ଡର ନ ହେବା ଦ୍ଵାରା କାର୍ଯ୍ୟାଳୟ ପକ୍ଷରୁ ୨୦ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରାଯାଉଥିବା ଏକ ଅସମର୍ଥୀତ ସୂତ୍ରରୁ ଜଣାପଡିଛି। ଏହି ପାର୍କିଂ କାର୍ଯ୍ୟରେ କୋଣାର୍କ ଏନଏସି କାର୍ଯ୍ୟାଳୟର କିଛି କର୍ମଚାରୀ ନିଜ ନିଜର ସଂପର୍କୀୟ ମାନଙ୍କୁ ପାର୍କିଂ ଆଦାୟ କାମରେ ନିୟୋଜିତ କରି ନିଜ ନିଜର ହାତ ଚିକ୍କଣ କରି ପାର୍କିଂ ଫି କମ ଆଦାୟ କରାଯାଉଛି ବୋଲି କାର୍ଯ୍ୟାଳୟକୁ ଅବଗତ କରାଇ ବିଭାଗର ରାଜସ୍ବ ହାନି ଘଟାଉଥିବା ସାଧାରଣରେ ମତ ପ୍ରକାଶ ପାଉଛି। ଏହି ପାର୍କିଂ ଟେଣ୍ଡର ଦୀର୍ଘ ୫ବର୍ଷ ଧରି କରା ନ ଯିବା ପଛରେ କାହାର ହାତ ରହିଛି ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି। କାହା ଚାପରେ କୋଣାର୍କ ଏନଏସି ପକ୍ଷରୁ ପାର୍କିଂ ଟେଣ୍ଡର କରା ନ ଯାଇ ଏନଏସିର ପ୍ରାୟ ବିଗତ ୫ବର୍ଷ ମଧ୍ୟରେ ୨କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ରାଜସ୍ବ ହାନି କରାଯାଇଛି ଏହି ଘଟଣାରେ କେଉଁ କେଉଁ ମାନେ ସଂପୃକ୍ତ ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟିସଚିବ, ବିଭାଗୀୟ ମନ୍ତ୍ରୀ, ସଚୀବ, ପୁରୀ ଜିଲ୍ଲାପାଳ, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରମୁଖ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।

Leave A Reply