Odisha news

ବାଲୁଖଣ୍ଡ ଅଭୟାରଣ୍ୟ ଜୁଣେଇ ସଂରକ୍ଷିତ ଜଙ୍ଗଲରେ ଖାଦ୍ୟ ଓ ପାନୀୟଜଳ ସଂକଟ,ହାଟ ନିକଟରେ ଚିତ୍ରା ହରିଣର ମୁଣ୍ଡ, ପରିବେଶ ପ୍ରେମୀ ମହଲରେ ଉଦବେଗ

0

କୋଣାର୍କ – କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲ ଅନ୍ତର୍ଗତ ଜୁଣେଇ ସଂରକ୍ଷିତ ଜଙ୍ଗଲରେ ବନ୍ଯଜନ୍ତୁ ମାନଙ୍କ ନିମନ୍ତେ ବନବିଭାଗ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳଯୋଗାଣ ବ୍ୟବସ୍ଥା ନ ଥିବାରୁ ବିଗତ ଦିନ ମାନଙ୍କରେ ହରିଣ ମାନେ ଗାଁ ମୁହାଁ ହୋଇ ବୁଲା କୁକୁର ଓ ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟିରେ ପଡି ହରିଣ ମାନେ ବହୁ ସଂଖ୍ୟାରେ ମୃତ୍ୟୁ ବରଣ କରିବା ଘଟଣାରେ ପରିବେଶ ପ୍ରେମୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ ଜୁଣେଇ ହାଟ ସନ୍ନିକଟ ଅଂଚଳରେ ଏକ ଚିତ୍ରା ହରିଣର ଏକ ମୁଣ୍ଡ ପଡିଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରକାଶ ଥାଉ କି ଗତ ମାର୍ଚ୍ଚ ୧୭ତାରିଖ ଦିନ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲର କୁଞମଠ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର କୋଣାର୍କ – କାକଟପୁର ରାସ୍ତାର ବଢେଇ ଛକ ଠାରେ ଏକ ହରିଣର ମୁଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟଯେ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ହରିଣ ସମେତ ବନ୍ଯଜନ୍ତୁ ମାନଙ୍କ ଆଶାତୀତ ଭାବେ ସଂଖ୍ୟା ବୃଦ୍ଧି ତୁଳନାରେ ବନବିଭାଗ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳଯୋଗାଣ ବ୍ୟବସ୍ଥା ନ ଥିବାରୁ ହରିଣ ମାନେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇ ବୁଲା କୁକୁରଙ୍କ ଆକ୍ରମଣ ଶିକାର ହୋଇ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି। ବନବିଭାଗ ପକ୍ଷରୁ ବନ୍ଯଜନ୍ତୁ ମାନଙ୍କ ସୁରକ୍ଷା, ଖାଦ୍ୟ ଓ ପାନୀୟ ଜଳଯୋଗାଣ ବ୍ୟବସ୍ଥା ନିମନ୍ତେ ଜଙ୍ଗଲ ମଧ୍ୟରେ ଘାସ ଚାଷ ଓ ପୁଷ୍କରିଣୀ ଖନନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ବେଳେ ତାହାର ସଫଳ କାର୍ଯ୍ୟକାରିତା ନ ହେବା ଦ୍ଵାରା ହରିଣ ମାନେ ଜଙ୍ଗଲ ସୀମା ମଧ୍ୟରେ ଖାଦ୍ୟ ଓ ପାନୀୟ ଜଳ ନ ପାଇ ମୃତ୍ୟୁବରଣ କରୁଛନ୍ତି। ଗତ ମାର୍ଚ୍ଚ ମାସ ୧୭ ଓ ୨୮ ତାରିଖ କୁଞମଠ ଓ ଜୁଣେଇ ହାଟ ଠାରେ ଦୁଇ ଦୁଇଟି ହରିଣ ମୁଣ୍ଡ ମିଳିବା ଘଟଣାକୁ ନେଇ ପରିବେଶ ପ୍ରେମୀ ମହଲରେ ଉଦବେଗ ପ୍ରକାଶ ପାଇବା ସହ ସ୍ଥାନୀୟ ବନବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ଅଂଗୁଳି ନିର୍ଦେଶ କରୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ଦିନ କୁ ଦିନ ଖାଦ୍ଯ ଓ ପାନୀୟଜଳ ସଂକଟ ଉଗ୍ର ରୂପ ଧାରଣ କରୁଥିବା ବେଳେ ସ୍ଥାନୀୟ ବନବିଭାଗ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଯତ୍ନବାନ ହେବା ସହ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ହରିଣ ଓ ବନ୍ଯଜନ୍ତୁ ମାନଙ୍କ ନିମନ୍ତେ ଘାସ ଚାଷ ଓ ପୋଖରୀ ଖନନ କରି ସେମାନଙ୍କ ପାନୀୟଜଳ ସଂକଟ ଦୂର କରିବା ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରିବେଶବିତ ମହଲରେ ଦାବି କରାଯାଇଛି।

Nalco
Leave A Reply