କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ପଖାଳ ହେଉଛି ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଓଡିଆ ମାନଙ୍କର ପ୍ରିୟ ଖାଦ୍ୟ ପଖାଳର ମହତ୍ବ ଗୁରୁତ୍ବ ବହନ କରିଥାଏ। ଓଡ଼ିଶାର ଅସ୍ତିତ୍ୱକୁ ବଜାୟ ରଖିବା ନିମନ୍ତେ ବିଗତ ବର୍ଷ ମାନଙ୍କ ଭଳି ଚଳିତ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଦିବସରେ ଅତିଥି ଭାବେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ବରିଷ୍ଠ ସମାଜସେବୀ ହରିଶ୍ଚନ୍ଦ୍ର ଦାଶଙ୍କ ସମେତ କୋଣାର୍କ ପରିଦର୍ଶନରେ ଆସି ଯାତ୍ରୀ ନିବାସ ଠାରେ ଅବସ୍ଥାନ କରୁଥିବା କେତେକ ପର୍ଯ୍ୟଟକ ମାନେ ଯୋଗଦାନ କରି ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ଉଜ୍ଜୀବିତ ରଖିବା ପାଇଁ ଆୟୋଜିତ ହୋଇଥିବା ପଖାଳ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ଯାତ୍ରୀ ନିବାସ ଠାରେ ପଖାଳ ସହ ବଡ଼ିଚୁରା, ଶାଗ ଭଜା, ଆଳା ଭରତା ସମେତ ୨୫ ପ୍ରକାରର ସ୍ବାଦିଷ୍ଟ ବ୍ଯଞ୍ଜନ ପର୍ଯ୍ୟଟକ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପରିବେଷଣ କରାଯାଇଥିଲା। ଚଳିତ ବର୍ଷ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶ୍ବ ପଖାଳ ଦିବସ ପାଳନକୁ ନେଇ କୋଣାର୍କ ପରିଦର୍ଶନରେ ଆସିଥିବା ପର୍ଯ୍ୟଟକ ମାନଙ୍କ ମହଲରେ ଖୁସି ଲହରୀ ଖେଳିଯାଇଛି।
