କୋଣାର୍କ ମେରାଇନ ଡ୍ରାଇଭ ଜାତୀୟ ରାଜପଥ ସୁରକ୍ଷା ପ୍ରାଚୀର ଭାଙ୍ଗିବା ଘଟଣା, ପୁରୀ ଉପଜିଲ୍ଲାପାଳଙ୍କ ଘଟଣା ସ୍ଥଳ ପରିଦର୍ଶନ।
କୋଣାର୍କ – କୋଣାର୍କ – ପୁରୀ ଜାତୀୟ ରାଜପଥର ସୁରକ୍ଷା କବଚ ସାଜିଥିବା ପ୍ରାକୃତିକ ବାଲି ଉତ୍ସ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ଚୋରା ଚାଲାଣ ହେଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଚୁପ ବସିଥିବା ବେଳେ ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମୁଦ୍ର ଲହରୀ ମାଡରେ ଭାଂଗି ଥିବା ସୁରକ୍ଷା ପ୍ରାଚୀର ସ୍ଥଳକୁ ସୋମବାର ପୂର୍ବାହ୍ନ ସମୟରେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ବୁଲି ଦେଖିବା ସହ ଏହାର ଅନୁଧ୍ୟାନ କରିଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ – ପୁରୀ ମେରାଇନ ଡ୍ରାଇଭ ଜାତୀୟ ରାଜପଥର ସୁରକ୍ଷା କବଚ ଭାଂଗି ରାଜପଥକୁ ସୁରକ୍ଷା ଦେଉଥିବା ବାଲି ବନ୍ତରୁ ବାଲି ଉଠାଇବା ପାଇଁ କୋଣାର୍କ ଜାତୀୟ ରାଜପଥ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଓ ୬ଲେନ ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କୁ କିଏ ଅନୁମତି ଦେଇଥିଲା ଓ କିଭଳି ଭାବେ ଦୂରଦୃଷ୍ଟି ସମ୍ପନ୍ନ ନ ହୋଇ ରାଜପଥର ସୁରକ୍ଷା କଥା ଚିନ୍ତା କଲେ ନାହିଁ ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ପରିବେଶବିତ ଓ ପ୍ରକୃତିପ୍ରେମୀମାନେ ଦାବି କରିଛନ୍ତି।
କୋଣାର୍କ – ପୁରୀ ଜାତୀୟ ରାଜପଥର ସୁରକ୍ଷା କବଚ ସଦୃଶ ବାଲି ବନ୍ତରୁ ବାଲି ଚୋରାଚାଲାଣ ହୋଇ ନ ଥିଲେ ସୁରକ୍ଷା ପ୍ରାଚୀର ଭୁଷୁଡ଼ି ନ ଥାନ୍ତା ବୋଲି ପରିବେଶବିତ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ବେଆଇନ କାର୍ଯ୍ୟରେ ସଂଶ୍ଲିଷ୍ଟ କୋଣାର୍କ ଦାୟିତ୍ବରେ ଥିବା ଜାତୀୟ ରାଜପଥର କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଦ୍ବାରା କିଭଳି ଆଇନଗତ କାର୍ଯ୍ଯାନୁଷ୍ଠାନ ନିଆଯିବ ତାହାର ଅପେକ୍ଷାରେ କୋଣାର୍କ ଅଞ୍ଚଳବାସୀ ଓ ପରିବେଶବିତ ମାନେ ଚାହିଁ ବସିଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ଅସଲ କଥାର ତଦନ୍ତ ନ କରି ଏଭଳି ସମ୍ବେଦନଶୀଳ ଘଟଣାରେ ଜଡିତ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଦୁଷ୍ମନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ପରିବେଶବିତ ମହଲରେ ଦାବି ହେଉଛି। ସୋମବାର ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୁରକ୍ଷା ପ୍ରାଚୀର ଭୁଷୁଡିବା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କୋଣାର୍କ – ପୁରୀ ଜାତୀୟ ରାଜପଥକୁ ଅସ୍ଥାୟୀ ଭାବେ ସୁରକ୍ଷା ବ୍ୟବସ୍ଥା ଭୁଷୁଡ଼ି ଥିବା ପ୍ରାଚୀର କଡରେ ବଲ୍ଲା ପୋତାଯାଇ ବାଲି ବସ୍ତା ପକାଇ ଆରମ୍ଭ ହୋଇଥିବା କାର୍ଯ୍ୟର ତଦାରଖ କରିଛନ୍ତି। ଜାତୀୟ ରାଜପଥର ସୁରକ୍ଷା ଓ ସମୁଦ୍ର କୂଳର ନିକଟସ୍ଥ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ଧନଜୀବନ ଯେଭଳି ଭାବେ ପ୍ରଭାବିତ ନ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ଜାତୀୟ ରାଜପଥର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଉପଜିଲ୍ଲାପାଳ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି।
