କୋଣାର୍କ : ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ କୋଣାର୍କ ଉତ୍ସଵର ଚତୁର୍ଥ ସନ୍ଧ୍ୟା କଥକ ଓ ଓଡିଶୀ ର ନିଖୁଣ ଉପସ୍ଥାପନାରେ ମୁକ୍ତାକାଶ ରଙ୍ଗମଞ୍ଚ ନୃତ୍ୟ ମୁଖର ହୋଇଉଠିଥିଲା ।ଏବଂ ସୁସଜ୍ଜିତ ତୋରଣ ଓ ଆକର୍ଷଣୀୟ ଆଲୋକ ମାଳା ମୁକ୍ତାକାଶ ରଙ୍ଗମଞ୍ଚ ଇନ୍ଦ୍ରପୁରୀର ଭ୍ରମ ସୃଷ୍ଟି କରୁଥିଲା ।ପ୍ରଥମ ପର୍ଯ୍ୟାୟରେ କଥକ ନୃତ୍ୟକୁ ନେଇ ମଞ୍ଚ ରେ ପ୍ରବେଶ କରିଥିଲେ ରନନ ଅନୁଷ୍ଠାନର ଶିଳ୍ପୀ ।ପଦ୍ମଶ୍ରୀ ରାଣା କଣ୍ଣାଙ୍କ ସଂଯୋଜନାରେ ଶାସ୍ତ୍ରୀୟ କଥକ ନୃତ୍ୟର ମହାର୍ଘ ପରମ୍ପରା, ବିବିଧତା ଓ ପ୍ରାଚୁର୍ଯ୍ୟର ଗାଥା କୁ ମଞ୍ଚରେ ତୋଳିଧରିଥିଲା ଅଭିନୟର ବୈଚିତ୍ର୍ୟ ।ପ୍ରଥମ ଅର୍ଘ ରାସ ରେ ରାଧା କୃଷ୍ଣଙ୍କ ମିଳନ ର ଅବତାରଣ ହୋଇଥିବାବେଳେ ଦ୍ୱିତୀୟ ପ୍ରସ୍ତୁତିରେ ଏଗାର ମାତ୍ରା ଯୁକ୍ତ ରୁଦ୍ରତାଲ ଷୋହଳ ମାତ୍ରା ଯୁକ୍ତ ତିନ ତାଲ ଆଧାରରେ ଶ୍ରୀ କୃଷ୍ଣଙ୍କ ଚକ୍ରଧାରଣ ସ୍ୱରୂପ କୁ ମଞ୍ଚସ୍ଥ କରିଥିଲେ ଶିଳ୍ପୀ ।
ପରେପରେ ରୁଦ୍ରାକ୍ଷ ଫାଉଣ୍ଡେସନର ନୃତ୍ୟାଙ୍ଗନା ମାନେ ମଞ୍ଚରେ ପରିବେଷଣ କରିଥିଲେ ଓଡିଶୀ । ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଙ୍କ ନୃତ୍ୟ ସଂଯୋଜନାରେ ପ୍ରସ୍ତୁତ ହୋଇଥିଲା କୃଷ୍ଣ ଓ କାଳୀଙ୍କ ଅଭେଦ ତତ୍ୱ ଆଧାରିତ କୃଷ୍ଣକାଳୀ ।ଗୁରୁ ରାମହରି ଦାସ ଙ୍କ ସଙ୍ଗୀତ ସଂଯୋଜନା ଓ ଗୁରୁ ଧନେଶ୍ୱର ସ୍ବାଇଁଙ୍କ ତାଳବାଦ୍ୟ ରଚନାକୁ ନେଇ ଏହା ହୋଇଥିଲା ସଜ୍ଜିତ।ଶେଷରେ ରୁଦ୍ରାକ୍ଷ ଫାଉଣ୍ଡେସନ ପ୍ରସ୍ତୁତିରେ ମହାଭାରତର ଚକ୍ରବ୍ୟୁହ ପ୍ରସଙ୍ଗର ଅବତାରଣା ବୀର ରସ ଓ କରୁଣ ରସର ମିଶ୍ରଭାବକୁ ତୋଳିଧରିଥିଲା । ଗୁରୁ ସଦାଶିବ ପ୍ରଧାନଙ୍କ ଆଲେଖ୍ୟକୁ ନେଇ ଶିଳ୍ପୀମାନଙ୍କ ଅଭିନୟ ଏକ ଆବେଗମୟ ଅନୁଭବ ଦେଇଥିଲା ।
ଚତୁର୍ଥ ସନ୍ଧ୍ୟାରେ ଅତିଥିଭାବେ ଯୋଜନା ବୋଡ଼ ଉପାଧକ୍ଷ ସଞ୍ଜୟ ଦାସବର୍ମା, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସଂଦିପ କୁମାର ତ୍ରିପାଠୀ, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପର୍ଯ୍ୟଟନ ବିଭାଗର ଯୁଗ୍ମ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଦିନ ବେଳା ମୁକ୍ତାକାଶ ମଞ୍ଚ ପରିସରରେ ପର୍ଯ୍ୟଟନ ବିଭାଗ ସହଯୋଗରେ କୋଣାର୍କ ସାହିତ୍ୟ ସଂସଦ ର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ସଭାପତିତ୍ୱ ରେ ରାଜ୍ୟର କୋଣଅନୁକୋଣରୁ ବଛା ବଛା ସାହିତ୍ୟିକ, କବି ,ଲେଖକ ଓ କବିୟିତ୍ରୀ ମାନେ ଯୋଗ ଦେଇ କବିତା ପାଠ ସହ ସାହିତ୍ୟ ଆଲୋଚନା କରିଥିଲେ ଓ ସାରସ୍ୱତ ସମ୍ବଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଧ୍ୟାପକ ଡ଼.ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି ସନ୍ଧ୍ୟା ର କାର୍ଯ୍ୟକ୍ରମକୁ ମଞ୍ଚରେ ପରିଚାଳନା କରିଥିଲେ।
