କୋଣାର୍କ :ସଂପ୍ରତି ଯେଭଳି ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ଧନଜୀବନ ହାନି ହେଉଛି ଠିକ ସେହିଭଳି ଭାବେ କୋଣାର୍କର ଉନ୍ନତି ଓ ବିକାଶ ମୂଳକ କାର୍ଯ୍ୟ ନାମରେ ପ୍ରଶାଶନ କୋଣାର୍କକୁ ନିୟମିତ ବ୍ୟବଧାନରେ ଭାଙ୍ଗି ବ୍ୟବସାୟୀଙ୍କୁ ବେସାହାରା କରି ପକାଉଥିବାର ଦେଖାଯାଇଛି । ନବେଦଶକରୁ ଅଦ୍ୟାବଧି କୋଣାର୍କର ଇତିହାସକୁ ଅନୁଧ୍ୟାନ କଲେ କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ କୋଣାର୍କର ବ୍ୟବସାୟୀ ମାନେ ହୋଇଥିବାର ଜଣାପଡ଼ିଛି ।
କିନ୍ତୁ ନବେଦଶକରେ ବିସ୍ଥାପିତ ହୋଇଥିବା ଶହଶହ ବ୍ୟବସାୟୀଙ୍କ ମଧ୍ୟରୁ ମାତ୍ର ୪୦ ଜଣ ବ୍ୟବସାୟୀଙ୍କ କଥା ବିଚାରକୁ ନେଲେ ପ୍ରଶାସନ କିଭଳି ସେମାନଙ୍କ ସଂପୂର୍ଣ୍ଣ ବ୍ୟବସାୟ ଉଜାଡ଼ି ଦେଇଛି ତାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥାଏ ଯେଉଁଥିରୁ କି କୋଣାର୍କର ଅନ୍ୟ ବ୍ୟବସାୟୀଙ୍କ କଥା ଅନୁମେୟ ହୋଇପାରିବ।
କୋଣାର୍କର ୪୦ ଜଣ ବ୍ୟବସାୟୀଙ୍କୁ କୋଣାର୍କ ଏନଏସି ପକ୍ଷରୁ ୧୯୯୨-୯୩ ମସିହାରେ ନବଗ୍ରହ ରାସ୍ତାରେ ୪୦ ବଖରା ପଥରରେ ନିର୍ମିତ ଦୋକାନ ଘର ଯୋଗାଇ ଦିଆଯାଇଥିଲା । ଏଏସଆଇ କର୍ତ୍ତୁପକ୍ଷ ଉକ୍ତ ଜମିକୁ ସୌନ୍ଦର୍ଯ୍ୟକରଣ ଆଳରେ ୨୦୦୪ ମସିହାରେ ନିଜ ମାଲିକାନାକୁ ନେଇଥିଲେ । ଉକ୍ତ ସ୍ଥାନକୁ ଏଏସଆଇ କର୍ତ୍ତୁପକ୍ଷ ନିଜ ମାଲିକାନାକୁ ନେବାପରେ ସେଠାରେ ଏନଏସିର ଥିବା ୪୦ ବଖରା ପଥର ନିର୍ମିତ ଦୋକାନ ଘରକୁ ଭାଙ୍ଗି ଦିଆଯାଇଥିଲା । ଉକ୍ତ ଦୋକାନ ଗୃହ ଗୁଡ଼ିକ ସଂପୃକ୍ତ ୪୦ ଜଣ ବ୍ୟବସାୟୀ ମୁଣ୍ଡପିଛା ୧୫ ହଜାର ୬ଶହ ଟଙ୍କା ଦେଇ ଏନଏସି କର୍ତ୍ତୁପକ୍ଷଙ୍କ ନିକଟରୁ କିଣିଥିଲେ ।ମାତ୍ର ୨୦୦୪ ମସିହାରେ ବିନା ନୋଟିସରେ ଉକ୍ତ ଘର ଗୁଡ଼ିକ ଭାଙ୍ଗି ଦିଆଗଲା ।
ଏହାର ପ୍ରତିବାଦରେ ଉକ୍ତ ୪୦ ଜଣ ବ୍ୟବସାୟୀ ଓଡ଼ିଶା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଅଭିଯୋଗ କଲେ ।ଅଭିଯୋଗକୁ ଭିତ୍ତି କରି ହାଇକୋର୍ଟରେ ୮୧୫ / ୨୦୦୪ ରେ ଏକ ରିଟ ପିଟିସନ ଦାଖଲ ହୋଇଥିଲା । ଏପରିକି ୨୦୧୫ ମସିହା ଜୁଲାଇ ମାସରେ ମଧ୍ୟ ମାନ୍ୟବର ଅଦାଲତ ବ୍ୟବସାୟୀଙ୍କ ଥଇଥାନ ପାଇଁ ଦାୟିତ୍ବାଧିନ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିବାର ଜଣାପଡ଼େ ।ମାତ୍ର ଉକ୍ତ ୪୦ ଜଣ ବ୍ୟବସାୟୀ ଙ୍କୁ ପ୍ରଶାସନ କୌଣସି ସ୍ଥାନରେ ସ୍ଥାୟୀ ଭାବେ ଥଇଥାନ କରିନାହିଁ କିମ୍ବା ସେମାନଙ୍କ କ୍ଷତିପୂରଣ ପ୍ରଦାନ କରିନାହିଁ ।
ପୁଣି କୋଣାର୍କ ସୌନ୍ଦର୍ଯ୍ୟକରଣ ଆଳରେ ସରକାରୀ ଜମି ମୁକ୍ତ ପାଇଁ ପ୍ରଶାସନ ପକ୍ଷରୁ ମପାଚୁପା ଆରମ୍ଭ ହୋଇଛି ।ଯାହାକି ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।ତେଣୁ ଏଥର ଏହି ଅସହାୟ ବ୍ୟବସାୟୀ ମାନଙ୍କୁ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଉଚିତ ଜାଗାରେ ସ୍ଥାୟୀ ଥଇଥାନ ପାଇଁ କୋଣାର୍କର ସମସ୍ତ ଛୋଟ ଓ ବଡ଼ ବ୍ୟବସାୟୀ ମାନେ ପ୍ରଶାସନକୁ ନିବେଦନ କରିଛନ୍ତି।
