କୋଲ୍କାତା: କୁଆପଥର ପଡ଼ି ସାମନା କାଚ ଫାଟି ଯିବାରୁ କୋଲ୍କାତା ବିମାନ ବନ୍ଦରରେ ଏୟାର୍ ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି।
କୋଲ୍କାତାରୁ ବାଗଡୋଗ୍ରା ଅଭିମୁଖେ ସେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଝଡ଼ବତାସ ଯୋଗୁଁ ତାହା ଫେରିଆସି ପୁଣି କୋଲ୍କାତା ବିମାନ ବନ୍ଦରରେ ମଙ୍ଗଳବାର ଅପରାହ୍ଣ ୪: ୩୦ ମିନିଟ୍ ସମୟରେ ଅବତରଣ କରିଥିଲା।
ମିଳିଥିବା ସୂଚନା ଅନୁସାରେ, ଏୟାର୍ ଏସିଆର ଫ୍ଲାଇଟ୍ ନମ୍ବର ୧୫-୫୩୬ କୋଲ୍କାତା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ୧୭୦ଜଣ ଯାତ୍ରୀ ଥିଲେ। ଉଡ଼ାଣର କେତେ ମିନିଟ୍ ପରେ କୁଆପଥର ପଡ଼ି ତା’ର ସାମନା କାଚ ଫାଟି ଯିବାରୁ ବିମାନଟି ପୁନଶ୍ଚ କୋଲ୍କାତା ଫେରି ଆସିଥିଲା।

ସେ ବିମାନରେ ଯାତ୍ରା କରୁଥିବା ପଶ୍ଚିମବଙ୍ଗର ରାଜ୍ୟ ମନ୍ତ୍ରୀ ଅରୂପ ବିଶ୍ୱାସ କହିଛନ୍ତି ଯେ ଦୁର୍ଘଟଣା ଘଟିବା ପୂର୍ବରୁ ଆମେ ବର୍ତ୍ତିଗଲୁ। କୋଲ୍କାତାରୁ ଉଡ଼ାଣ ଆରମ୍ଭ କରିବା ପରେ ବିମାନଟି ଥରିବାକୁ ଲାଗିଲା। ଏଥିଯୋଗୁଁ ଅଧିକାଂଶ ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତକାଲି ପ୍ରତିକୂଳ ପାଗ ଯୋଗୁଁ କୋଲ୍କାତାରୁ ଯାତ୍ରା ଆରମ୍ଭ କରୁଥିବା କେତେଗୁଡ଼ିଏ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା।