Odisha news

ଲକ୍ ଡାଉନ୍ ପରେ ବି ଖସୁନି ପରିବା ଦର, ଚିନ୍ତାରେ ଖାଉଟି, ମଧ୍ୟବିତ୍ତ ଓ ଗରିବ ଅଧିକ ପ୍ରଭାବିତ

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ)  : କରୋନା ମହାମାରୀରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଏଭଳି ସ୍ଥିତିରେ ପନିପରିବା ଦରର ଅହେତୁକ ମୂଲ୍ୟ ବୃଦ୍ଧି ସେମାନଙ୍କ ପାଇଁ ବେଡି ଉପରେ କରୋଡା ମାଡ ସଦୃଶ ହୋଇ ପଡିଛି। ଲକ୍ ଡାଉନ୍ ବେଳେ ପର୍ଯ୍ୟାପ୍ତ ପରିମାଣର ପରିବା ଆମଦାନୀ ନଥିବାରୁ ମୂଲ୍ୟ ବୃଦ୍ଧି ଘଟିଥିଲା।
ହେଲେ କଟକଣା କୋହଳ ପରେ ତାହା ନିୟନ୍ତ୍ରଣକୁ ଆସିବ ବୋଲି ଅନୁମାନ କରାଯାଉଥିଲା। ଯାନବାହାନ ଚଳାଚଳ ସହ ପରିବା ଆମଦାନୀ ମଧ୍ୟ ହେଲା। କିନ୍ତୁ ଏହି ସମୟରେ ପିତୃପକ୍ଷ ଆରମ୍ଭ ହୋଇଯିବା ଯୋଗୁଁ ହଠାତ୍ ପରିବା ଦର ବଢ଼ିଥିଲା। ବର୍ତ୍ତମାନ ପିତୃପକ୍ଷ ସରିଥିଲେ ବି, ପରିବା ଦର କମିବା ନା ନେଉନି ।ପ୍ରତିଦିନ ଦରକାର ପଡୁଥିବା ଆଳୁ ଓ ପିଆଜର ଦର ମଧ୍ୟ ୩୦ ଟଙ୍କା ପାର ହୋଇଛି।
ଆଳୁ କିଲୋ ଏବେ ୩୩ ଟଙ୍କା ହୋଇଥିବା ବେଳେ ପିଆଜ କିଲୋ ୩୫ ରହିଛି। ବେଗୁନିଆପଡ଼ା ତଥା ଆଖପାଖ ଅଞ୍ଚଳରେ ଚାଷୀମାନେ କମ୍ ସଂଖ୍ୟକ ପରିବା ଉତ୍ପାଦନ କରୁଛନ୍ତି। ଲକ୍ ଡାଉନ୍ ସମୟରେ ବିଭିନ୍ନ କାରଣରୁ ଚାଷୀମାନେ ସେମାନଙ୍କ ପରିବା ବିକ୍ରି କରିବା ପାଇଁ ସଠିକ ବଜାର ପାଇ ପାରି ନଥିଲେ। ଫଳରେ ସେମାନେ ପରିବା ଚାଷକୁ ତ୍ବରାନ୍ବିତ କରି ପାରି ନଥିବାରୁ ଉତ୍ପାଦନ କମିଥିଲା। ଏବେ ପରିବା ବ୍ଯବସାୟୀଙ୍କୁ ବାହାର ବେପାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ପରିବା ଆମଦାନୀକୁ ଆଖି ଆଗରେ ରଖି ଦର ନିୟନ୍ତ୍ରଣ ହେଉଛି। ବର୍ତମାନ ପରିସ୍ଥିତିରେ ଆମଦାନୀ ସାଂଗକୁ ଉତ୍ପାଦନ କମୁଥିବା ଯୋଗୁଁ ଦର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସାଧାରଣତଃ ୨୦ ଟଙ୍କାରେ ବିକ୍ରି ହେଉଥିବା ପୋଟଳ, ଭେଣ୍ଡି, କଲରା ଓ କୁନ୍ଦୁରି କିଲୋ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି।
ସେହିପରି କାଂକଡ ୬୦, ବାଇଗଣ ୩୫, ଟମାଟୋ ୬୦, ଛୁଇଁ ୮୦, ଅଲଡି ୪୦, ସାରୁ ୪୦ ଓ ଦେଶୀଆଳୁ ଦର ୮୦ ଟଙ୍କା ରହିଛି। ଫୁଲକୋବି ଓ ବିନସ୍ ଦର ୬୦ ରୁ କମ୍ ହେଉନି। ଏଭଳି ସ୍ଥିତିରେ ମଧ୍ୟବିତ୍ତ, ଖଟିଖିଆ, ଦିନ ମଜୁରିଆ ଓ ଗରିବ ହନ୍ତସନ୍ତ ହେଉଛନ୍ତି। ଅନ୍ୟ ପକ୍ଷରେ ତୈଳ ଦର ବୃଦ୍ଧି ମଧ୍ୟ ଦୈନନ୍ଦିନ ବ୍ଯବହୃତ ଜିନିଷ ପରିବହନ ଉପରେ ପ୍ରଭାବ ପକାଇଛି। ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଦରଦାମ୍ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
Nalco
Leave A Reply