ବାଣ୍ଟିଲେ, ତାପରେ କାଟିଲେ, ପ୍ରତିବାଦ ପରେ ପୁଣି ବାଣ୍ଟିଦେଲେ : ଖେଳ କରୁଛନ୍ତି କୋଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ
କୋଦଳା: (ରିପୋର୍ଟ :ସୁଶାନ୍ତ କୁମାର ପଟ୍ଟନାୟକ ।) ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ପ୍ରଶାସନ ଭର୍ସେସ୍ ରାଜନେତା।ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିର୍ବାଚିତ ପ୍ରତିନିଧିଙ୍କୁ ସହଯୋଗ କରୁନି ପ୍ରଶାସନ ।ଯାହାକୁ ନେଇ ଏବେ କୋଦଳାରେ ହଟଚମଟ ସୃଷ୍ଟି ହୋଇଛି। ଏନ୍ଏସି ନିର୍ବାଚନ ପୂର୍ବରୁ ଏଠାରେ ଚାଲିଥିଲା ଅମଲା ଶାସନ। ମନଇଛା ଫଲସ୍ ବିଲ୍, ଟେଣ୍ଡର ଫିକ୍ସିଂ, ପ୍ରତି ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସୁଥିଲେ ମଧ୍ୟ ତାକୁ ଅଦୃଶ୍ୟ ଶକ୍ତି ମାଧ୍ୟମରେ ଘଣ୍ଟ ଘୋଡାଇ ଦିଆଯାଉଥିଲା। ନିର୍ଦ୍ଧିଷ୍ଟ କିଛି ଠିକାଦାରଙ୍କ କବ୍ଜାରେ ରହିଥିଲା କୋଦଳା ଏନଏସି।
ତେବେ ଏହାର ପ୍ରତିବାଦରେ କୋଦଳା ଏନଏସି ବାସିନ୍ଦା ବିଜେପି ପ୍ରାର୍ଥୀକୁ ଅଧ୍ଯକ୍ଷ ଆସନରେ ବସାଇ ଏନଏସି କୁ ସ୍ବଚ୍ଛ ଓ ଦୁର୍ନୀତି ମୁକ୍ତ କରିବାକୁ ଚାହିଁଥିଲେ। କିନ୍ତୁ ବିଜେପି ଏଠାରେ ବିଫୁଳ ଭୋଟ୍ ରେ ବିଜୟୀ ହେବା ପରେ ବିବାଦୀୟ ତଥା ଦୁର୍ନୀତିଗ୍ରସ୍ତ ପୂର୍ବତନ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀ ଆପଣାଛାଏଁ ଏଠାରୁ ବଦଳି ହୋଇ ଅନ୍ଯତ୍ର ଚାଲିଗଲେ। ବିଜେପି ନେତାଙ୍କୁ ଚେକ୍ ଦେବା ପାଇଁ ଏଠାକାର ତହସିଲଦାର ସଶ୍ମିତା ଶତପଥୀଙ୍କୁ ଉକ୍ତ ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ପ୍ରଦାନ କରାଗଲା। ବିଜ୍ଞାପିତ ଅଞ୍ଚଳ ପରିଷଦର କ୍ଷମତା ସ୍ବତନ୍ତ୍ର ତଥା ଅଧ୍ୟକ୍ଷ ହିଁ ସର୍ବେସର୍ବା ବୋଲି ଆଇନ୍ ରହିଥିବା ବେଳେ ଏହାକୁ ବଳ ପୂର୍ବକ ଦଳି ମକଚି ଆଇନ ର ଧଜିଆ ଉଡ଼ାଉଛନ୍ତି ଏନଏସି ପ୍ରଶାସନ ।ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଅଦୃଶ୍ୟ ଚାପରେ ପଡି ସବୁ ଯୋଜନାକୁ ରାଜନୀତିକରଣ କରୁଥିବା ଏବେ ଅଭିଯୋଗ କରିଛନ୍ତି ନିର୍ବାଚିତ ପ୍ରତିନିଧି।
ଅଧ୍ଯକ୍ଷଙ୍କ କହିବା କଥା ନିର୍ବାହୀ ଅଧିକାରୀଣୀ ତାଙ୍କର ଫୋନ୍ ରିସିଭ୍ କରୁ ନାହାଁନ୍ତି। କୌଣସି ଓ୍ବାର୍ଡ ସଭ୍ଯକଂ ମଧ୍ୟ ଫୋନ୍ ରିସିଭ୍ କରୁ ନାହାଁନ୍ତି। ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅଧ୍ଯକ୍ଷଙ୍କ ବିନା ପରାମର୍ଶରେ ମନଇଛା କାର୍ଯ୍ୟ କରୁଛନ୍ତି।ଦିନରେ ଅଫିସ ନ ଆସି ରାତି ଅଧରେ ଆସି ଫାଇଲ ନେଇ ଚାଲି ଯାଉଛନ୍ତି। ନିକଟରେ ମୁକ୍ତା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟ ଦେଶ ବଣ୍ଟନକୁ ନେଇ ଦେଖା ଦେଇଛି ବିବାଦ। ନିର୍ବାହୀ ଅଧିକାରୀ ମନଇଛା କାର୍ଯ୍ୟାଦେଶ ତାଲିକା ପ୍ରସ୍ତୁତ କରିଥିବା ବେଳେ ଏହାକୁ ରୋକ୍ ଲଗାଇବା ପାଇଁ ଚିଠି କରିଛନ୍ତି ଅଧ୍ଯକ୍ଷ। ତାଲିକା ସଂଶୋଧନ ପାଇଁ ଆଇନ ଅନୁଯାୟୀ ପୂର୍ବରୁ ଯେଉଁ ଗୋଷ୍ଠୀ କାର୍ଯ୍ୟ ପାଇ ନଥିଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଦେବାକୁ ନେଇ କିଛି ମହିଳା ଗୋଷ୍ଠୀକୁଂ ସାମିଲ କରିବା ପାଇଁ ତାଲିକା ଦେଇଥିଲେ ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ ।ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପୂର୍ବରୁ ପ୍ରସ୍ତୁତ ହୋଇଥିବା କାର୍ଯ୍ୟାଦେଶ ଉପରେ ଧଳା ଇରେଜର୍ ମାରି ଦୁର୍ନୀତି ହେଉଛି ବୋଲି ବିଭ୍ରାନ୍ତ କରାଯାଉଛି।
ତେବେ ଧଳା ଇରେଜର୍ କିଏ ମାରିଲା, କାହିଁକି ମାରିଲା ସେ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ତୁ ତୁ ମେ ମେ ହେଉଥିବା ଦେଖିବାକୁ ମିଳିଛି। ସେପଟେ ଧଳା ଇରେଜର୍ କୁ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ୨ କର୍ମଚାରୀଙ୍କୁ ଦାୟୀ କରି ବଳି ପକାଇ ଦେଇଛନ୍ତି। କାର୍ଯ୍ଯରୁ ନିଲମ୍ବିତ କରାଯିବାକୁ ଉପରିସ୍ଥ ଅଧିକାରୀମାନଙ୍କୁ ଚାପ ପ୍ରୟୋଗ କରୁଛନ୍ତି। କିନ୍ତୁ ଏକଥା ମାନୁ ନାହାଁନ୍ତି ୨ କର୍ମଚାରୀ। ଧଳା ଇରେଜର୍ ତହସିଲଦାରଙ୍କ ନିର୍ଦ୍ଦେଶରେ ମରାଯାଇଥିବା ସେମାନେ କହିଛନ୍ତି। ଏସବୁ ଭିତରେ କିଛି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ କାର୍ଯ୍ଯାଦେଶ ମିଳିଥିବା ବେଳେ ସେମାନେ ଅଧାରୁ ଅଧିକ କାମ ମଧ୍ୟ କରି ସାରିଛନ୍ତି।
ଶେଷ ମୁହୂର୍ତ୍ତରେ ସେମାନଙ୍କ କାର୍ଯ୍ୟାଦେଶକୁ ବାତିଲ୍ କରି ଦେଇଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ।ଯାହାକୁ ନେଇ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ସଦସ୍ୟମାନେ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ହୋ ହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା। ଏବଂ ଏହାପରେ ପୁଣି ସେମାନଙ୍କୁ କାର୍ଯ୍ୟ ଦେଶ ଦିଆଯାଉଛି। ତେବେ ଏଭଳି ଅବ୍ଯବସ୍ଥା କାହିଁକି? କାହା ନିର୍ଦ୍ଦେଶରେ କାମ କରୁଛନ୍ତି ନିର୍ବାହୀ ଅଧିକାରୀଣୀ? ତାକୁ ନେଇ ଉଠିଛି ପ୍ରଶ୍ନ। ଏନ୍ଏସି ର ଦିତୀୟ ବୈଠକରେ ଜଣେ କାଉନସିଲର ଉପଯୁକ୍ତ ବାରରେ ମିଟିଂ ହୋଇନି ବୋଲି କହି ବୈଠକ କରାଇ ଦେବିନି ବୋଲି ଯୁକ୍ତି କରିଥିଲେ।
ଆଉ ସେତେବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ କହିଥିଲେ ଏହା ହେଉଛି ଅଧ୍ଯକ୍ଷଙ୍କ ନିଷ୍ପତ୍ତି। ସେ ଯାହା କରିବେ ତାହା ହିଁ ଆମେ ମାନିବୁ। ଆଉ ଏବେ ଅଧ୍ଯକ୍ଷଙ୍କ ଅଗୋଚରରେ ଏସବୁ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛି କିଏ? ରାତି ଅଧରେ କାର୍ଯ୍ୟାଳୟକୁ ଆସି କାହିଁକି ଫାଇଲ ନେଇ ଯାଉଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ? ଯଦିଓ ସେ ଜଣେ ତହସିଲଦାର କିନ୍ତୁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଭାବେ ଦାୟିତ୍ବ ନେଇ ଥିବାରୁ ସେ ଅଧ୍ଯକ୍ଷଙ୍କୁ ସମ୍ମାନ ଦେବା ସହିତ ଅଧ୍ଯକ୍ଷଙ୍କ ସହମତିରେ ସବୁ କାର୍ଯ୍ୟ କରିବା କଥା। କିନ୍ତୁ କାହା ଚାପରେ ନିର୍ବାହୀ ଅଧିକାରୀଣୀ ଆଇନ କୁ ଧଜିଆ ଉଡାଇ ଚାଲିଛନ୍ତି? ଗଞ୍ଜାମ ଜିଲ୍ଲାପାଳ ସ୍ବତନ୍ତ୍ର ଭାବେ ଏଥିପ୍ରତି ନଜର ଦେବା ସହ ଦୁର୍ନୀତି ଅଭିଯୋଗର ଉଚ୍ଚ ସ୍ତରୀୟ ତଦନ୍ତ କରାଇବା ଏବଂ ଜନପ୍ରତିନିଧିକୁଂ ସେମାନଙ୍କ କ୍ଷମତାରୁ ବଞ୍ଚିତ ନ କରାଇବା ପାଇଁ ଉଦ୍ଯମ କରାଇବା ଆବଶ୍ୟକ ବୋଲି ଏବେ ଦାବି ଜୋର ଧରିଛି। ଏଥି ସହିତ ଉକ୍ତ ଏନଏସି ପାଇଁ ଏକ ସ୍ଥାୟୀ କାର୍ଯ୍ଯ ନିର୍ବାହୀ ଅଧିକାରୀ ନିଯୁକ୍ତି ଦେବାକୁ ଦାବି ହୋଇଛି।
