କବିସୂର୍ଯ୍ୟନଗର : (ସୁଶାନ୍ତ କୁମାର ପଟ୍ଟନାୟକ) : ସରକାର ଗ୍ରାମାଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ଅନେକ ଯୋଜନା କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ବଜେଟ ରେ ସ୍ଥାନ ଦିଆଯାଉଛି। କିନ୍ତୁ ବାସ୍ତବରେ ଏହା ତୃଣମୂଳସ୍ତରରେ କାର୍ଯ୍ୟକାରିତା ହେଉ ନଥିବା ଦେଖିବାକୁ ମିଳୁଛି। ଗଂଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକରୁ ଆସିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ ।କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବାଉଁଶିଆ ପଞ୍ଚାୟତର ଅର୍ଜୁନପଲୀ ରାସ୍ତା ମଝିରେ ଥିବା ଏକ ପୋଲ ତଳେ ଅତି ଦୟନୀୟ ପରିସ୍ଥିତିରେ ଚାଳ କୁଡିଆ କରି ରହୁଛନ୍ତି ଗୋଟିଏ ପରିବାର। ପୋଲଟି ପାହାଡ଼ ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ହିଂସ୍ର ଜନ୍ତୁଙ୍କ ଭୟ ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ କୌଣସି ଉପାୟ ନଥିବାରୁ ଏହି ବେସାହାରା ପରିବାର ଟି ବାଧ୍ୟ ହୋଇ ଏଠି ରହୁଥିବା କହିଛନ୍ତି।
ସୂଚନା ଅନୁସାରେ ରେଣୁକା ନାହାକ ନାମକ ଜଣେ ମହିଳା ନିଜର 4 ଟି ସନ୍ତାନ କୁ ନେଇ ଏହି ପୋଲ ତଳେ ଦିନ କାଟୁଛନ୍ତି।ଦିନେ କି ଦି ଦିନ ନୂହେଁ ଦୀର୍ଘ ୩ ବର୍ଷ ଧରି ଅତି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ଏହି ପରିବାର। ପିଲାମାନେ ପାଠ ପଢୁଥିବା ବେଳେ ବିଦ୍ଯାଳୟ ଦୂର ହେଉଥିବାରୁ ପାଠ ପଢା ମଧ୍ୟ ଠପ୍ ହୋଇ ଯାଉଛି। ରେଣୁକାଙ୍କ ସ୍ବାମୀ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଆନ୍ତି। ଏପଟେ ରେଣୁକା ଅନ୍ୟର ମୂଲ ଖଟି ୪ ଛୁଆ କୁ ପୋଷୁଛନ୍ତି। ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଏହି ବାସହୀନ ପରିବାରକୁ ଆବାସ ଗୃହ ମିଳିବା ଦୂରର କଥା, ଖାଦ୍ୟ ସୁରକ୍ଷା ଯୋଜନାରେ ଖଣ୍ଡିଏ ରାସନ୍ କାର୍ଡ ମଧ୍ୟ ଯୋଗାଇ ଦେଇନି ପ୍ରଶାସନ।
ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରୁଛନ୍ତି। କିନ୍ତୁ ଏହି ପରିବାର ପାଇଁ ସରକାରଙ୍କ ଯୋଜନା ଅଭିଶପ୍ତ ପାଲଟି ଯାଇଛି। ଏହି ରାସ୍ତା ଦେଇ ନେତା, ପ୍ରଶାସକ ଯାଉଥିଲେ ମଧ୍ୟ ଏହି ଘଟଣା ଉପରେ କାହାରି ନଜର ପଡୁନି।ବାରମ୍ବାର ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି ରେଣୁକା।ତୁରନ୍ତ ଏହି ଘଟଣାକୁ ପ୍ରଶାସନ ଦୃଷ୍ଟି ଦେଇ ଏହି ପରିବାର ପାଇଁ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ।
Comments are closed.