ଖୋର୍ଦ୍ଧା ୨୧.୮: ସଦରଥାନା ଅନ୍ତର୍ଗତ ଦଳେଇପୁଟରେ ତୃତୀୟଥର ଲାଗି ପୁଣି ବୋମାମାଡ ହୋଇଛି । ଏହାକୁ ମିଶାଇ ଗତ ଏକ ସପ୍ତାହ ମଧ୍ୟରେ ତିନିଥର ବୋମାମାଡ ହୋଇଥିବା ଜଣାଯାଇଛି ।
ସୂଚନାଯୋଗ୍ୟ, ଖୋର୍ଦ୍ଧା ସଦର ଥାନା ଅର୍ନ୍ତଗତ ଦଳେଇପୁଟ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ସେହି ଗ୍ରାମର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ବୋମାମାଡ ହୋଇଥିଲା । ଗତ ୧୧ ଓ ୧୮ ତାରିଖ ରେ ହୃଦାନନ୍ଦଙ୍କ ଘର ଉପରକୁ ବୋମାମାଡ ହୋଇଥିଲା । ପୁଣି୨୦ ତାରିଖ ବିଳମ୍ବିତ ରାତ୍ରରେ ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ କେତେକ ଦୁର୍ବୁତ ବୋମାମାଡ କରିଥିବା ସେ ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ହୃଦାନନ୍ଦ ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ଗତ ୫ ତାରିଖରେ ତାଙ୍କର ବାରିପଟେ ଲାଗିଥିବା ଜାଗାରେ ଗଛପତ୍ର ଓ ପାଚେରୀ ସେହି ଗ୍ରାମର କେତେକ ବ୍ୟକ୍ତି ଭାଙ୍ଗି ଦେଇଥିଲେ ଓ ତାଙ୍କୁ ଦାଦାବଟି ମାଗିଥିଲେ ।
ଏଥିରେ ସେ ପ୍ରତିବାଦ କରିଥିବାରୁ ବାରମ୍ବାର ତାଙ୍କ ଘର ଉପରକୁ ବୋମାମାଡ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । । ଫଳରେ ତାଙ୍କର ପରିବାର ଏବେ ଭୟଭୀତ ହୋଇ ରହିଛନ୍ତି । ଏ ସଂର୍ପକରେ ସେ ସଦର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଦୁଇଥର ବୋମାମାଡ ହେବା ପରେ ପୁଲିସ ଗ୍ରାମରେ ମୃତୟନ ଥିବାବେଳେ ଗତ କାଲି ବିଳମ୍ବିତ ରାତ୍ରରେ ପୁଲିସଙ୍କ ଉପସ୍ଥିତିରେ ଘର ଉପରକୁ ବୋମାମାଡ ହୋଇଥିଲା ।