Odisha news

ସାହିତ୍ୟ ଏକାଡେମୀ ସଦସ୍ୟ ଚୟନ ନେଇ ଖୋର୍ଦ୍ଧାରେ ତୀବ୍ର ଅସନ୍ତୋଷ; ୧୫ ବର୍ଷ ଧରି ଖୋର୍ଦ୍ଧା ଅବହେଳିତ

0

ଖୋର୍ଦ୍ଧା : ଭାଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଖୋର୍ଦ୍ଧାର ବିଶେଷ ଗୁରୁତ୍ୱ ରହିଛି । ଖୋର୍ଦ୍ଧା ଅଂଚଳର ଭାଷାକୁ ପ୍ରକୃତ ଓଡ଼ିଆ ଭାଷାର ମାନ୍ୟତା ଦିଆଯାଏ । ଆଗେ ଓଡ଼ିଶା କହିଲେ ଖୋର୍ଦ୍ଧାକୁ ବୁଝାଉଥିଲା । ତେବେ ରାଜ୍ୟ ସାହିତ୍ୟ ଏକାଡେମୀର ଏହି ଅଂଚଳ ପ୍ରତି ବୈମାତୃକ ମନୋଭାବକୁ ନେଇ ସଂପ୍ରତି ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ନିକଟରେ ସାହିତ୍ୟ ଏକାଡେମୀର ଜିଲ୍ଲାୱାରୀ ସଦସ୍ୟ ଚୟନ ତାଲିକା ପ୍ରକାଶ ପାଇଛି, ତେବେ ଏଥିରେ ଜିଲାର କାହାକୁ ସଦସ୍ୟ କରାନଯାଇ ଅନ୍ୟ ଜିଲାର ବାସିନ୍ଦାଙ୍କୁ ସଦସ୍ୟ କରାଯାଇଛି । ଖୋର୍ଦ୍ଧା ଜିଲା ପାଇଁ ସଦସ୍ୟ ଭାବେ ମନୋନୀତ ହୋଇଥିବା ବିବେକାନନ୍ଦ ପାଣିଗ୍ରାହୀ ମୂଳତଃ ଗଂଜାମ ଜିଲାର ବାସିନ୍ଦା । ପୂର୍ବେ ସେ ଗଜଗତି ଜିଲାର ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ବିବାଦ ହୋଇଥିଲା ।

ଏପରିକି ଏ ନେଇ ଅଦାଲତରେ ମାମଲା ଦାଏର ହୋଇଥିଲା । ଗତ ୨୦୧୭ ମସିହାରେ ମଧ୍ୟ ଅରବିନ୍ଦ ରାୟଙ୍କୁ ଖୋର୍ଦ୍ଧା ଜିଲାର ସଦସ୍ୟ କରାଯାଇଥିଲା, ଯେ କି ଜଗତସିଂହପୁର ଜିଲାର ବାସିନ୍ଦା । ସେ ମଧ୍ୟ ପୂର୍ବରୁ ଜଗତସିଂହପୁର ଜିଲାର ପ୍ରତିନିଧି ଥିଲେ । ଏକାଡେମୀର ଯାହା ନିୟମ ରହିଛି, ଯେଉଁ ଜିଲାର ଲୋକ ସେହି ଜିଲାର ପ୍ରତିନିଧି ହେବେ, ଥରେ ସଦସ୍ୟ ହେଲେ ଦ୍ୱିତୀୟଥର ହୋଇପାରିବେନାହିଁ । ମାତ୍ର ଖୋର୍ଦ୍ଧା ଜିଲା କ୍ଷେତ୍ରରେ ସମସ୍ତ ପ୍ରକାର ନିୟମକୁ ଜଳାଂଜଳି ଦିଆଯାଇଛି । ଗତ ୨୦୦୫ ମସିହାରୁ ଖୋର୍ଦ୍ଧା ଜିଲାର ସାହିତି୍ୟକମାନଙ୍କ ପ୍ରତି ପାତରଅନ୍ତର ନୀତି ପୋଷଣ କରାଯାଉଛି ।

ଏହା ବିରୋଧରେ ଖୋର୍ଦ୍ଧା ଜିଲା ସାହିତ୍ୟ ସମାଜ, ଜଗନ୍ନାଥ ସାହିତ୍ୟ ପରିଷଦ, ସ୍ୱାଗତିକା ସାହିତ୍ୟ ସଂସଦ ଆଦି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବରିଷ୍ଠ ସାହିତି୍ୟକ ସୁଭାଷ ପଟ୍ଟନାୟକ, ଡ. ସୁରେଶ ଛୋଟରାୟ, ବିମଳା ସିଂହ, ଶିବସୁନ୍ଦର ପଟ୍ଟନାୟକ, ଜ୍ଞାନରଂଜନ ଦାସ, ସତ୍ୟବାଦୀ ବଳିଆରସିଂହ, ଯମେଶ୍ୱର କହଲସିଂହ, ରାଜକିଶୋର ପାଣିଗ୍ରାହୀ, ଭିକାରୀ ଧଳ, ବୈକୁଣ୍ଠନାଥ ରାଜଗୁରୁ, ଗୋପୀନାଥ ଖାଡ଼ଙ୍ଗା, ସୁବାସ ଗନ୍ତାୟତ, ପ୍ରଫୁଲ୍ଲ ସାମନ୍ତରାୟ, ଅମରେନ୍ଦ୍ର ମହାପାତ୍ର, ତ୍ରିଲୋଚନ ଦାସ, ଝୁନିଲତା ବରିହା ଯାଦବ, ଡ. ସସ୍ମିତା ପଟ୍ଟନାୟକ, ସମରେନ୍ଦ୍ର ବଳିଆରସିଂହ ପ୍ରମୁଖ ଏ ନେଇ ନିଜର ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସାହିତ୍ୟ ଏକାଡେମୀ ତୁରନ୍ତ ଏଭଳି ନିଷ୍ପତିର ପୁନର୍ବିଚାର କରିବା ପାଇଁ ଦାବି ହେଉଛି ।

 

Leave A Reply