ଖୋର୍ଦ୍ଧା : ଗତ ମଙ୍ଗଳବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକ ନିକଟରେ ଥିବା ଏକ ବାର କର୍ମ·ରୀ ଅମିୟ ବାରିକ ଓରଫ ଅଜୁଙ୍କୁ ବହୁବାର ଛୁରୀ ଭୁଷି ହତ୍ୟା କରିବା ଅଭିଯୋଗରେ ପୁଲିସ ଆଜି ୬ଜଣଙ୍କୁ ଗିରଫ କରିଛି । ଗିରଫ ୬ଜଣ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଆଇ.ଆର.ସି ଭିଲେଜ ଏନ/୩-୧୬୪ ଅଞ୍ଚଳର ମୃତୁ୍ୟଞ୍ଜୟ ନାୟକ (ମିକୁ) (୨୯)ଓ ତାଙ୍କ ଭାଇ ଧନଞ୍ଜୟ ନାୟକ (ଚିକୁ) (୨୮), କନ୍ଧମାଳ ଜିଲ୍ଲାର ଟୀକାବାଲି, ଟେଙ୍ଗଡ଼ାପଥର ଅଞ୍ଚଳ ତଥା ବର୍ତ୍ତମାନ ରହୁଥିବା ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳ ବେହେରା ବସ୍ତି ଏ/ପି, ଏନ୍/୩ ଅଞ୍ଚଳର ଅମିତ କୁମାର ପ୍ରଧାନ (୨୩),ଯାଜପୁର ଜିଲ୍ଲା ପରି ଥାନା ଅନ୍ତର୍ଗତ ଚନ୍ଦନପୁର ଅଞ୍ଚଳର ତଥା ନୟାପଲ୍ଲୀ ଅଞ୍ଚଳ ଏନ-୧ରେ ଥିବା ହୋଟେଲ ହଂସ୍ଭିଲାରେ ସୁଇପର ଭାବେ କାର୍ଯ୍ୟରତ ନନ୍ଦନ କୁମାର ବେହେରା ଓରଫ ଗଗନ (୨୦), ସେହିପରି ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ବୋଲଗଡ଼ ଥାନା ରାଜସୁନାଖଳା ଅସରଳା ଗ୍ରାମ ତଥା ବର୍ତ୍ତମାନ ରହୁଥିବା ଖୋରଧା ସଦର ଥାନା ଦଳେଇପୁଟ ଅଞ୍ଚଳର ରାକେଶ କୁମାର ସାହୁ (ନିଲୁ) (୨୩) ଓ ଆଦର୍ଶ ଥାନା ଅନ୍ତର୍ଗତ ଲୋକେଶ୍ୱରପୁର ଗ୍ରାମ ଦେବକାନ୍ତ ଦାସ (ବାପିନା) (୨୫) ବୋଲି ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅଜେୟ ପ୍ରତାପ ସ୍ୱାଇଁ ସୂଚନା ଦେିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ବ୍ୟବହୃତ ଏଚ.ଆର-୨୬-ବିଜି-୧୧୪୫ ବିଏମ୍ଡ଼ବ୍ଲୁ କାର, ଓଡ଼ି-୦୨-ଏମ୍-୭୨୪୭ ବିଶିଷ୍ଟ ମୋଟର ସାଇକେଲ, ୯ଟି ମୋବାଇଲ ଓ ପିନ୍ଧିଥିବା ରକ୍ତଭିଜା ସାର୍ଟ ଓ ହତ୍ୟାରେ ବ୍ୟବହୃତ ରକ୍ତ ଭିଜା ଛୁରୀକୁ ପୁଲିସ ଜବତ କରିଛି ବୋଲି ସେ କହିଛନ୍ତି ।
ଘଟଣାରୁ ପ୍ରକାଶ, ଗତ ମଙ୍ଗଳବାର ଦିନ ଏଚ.ଆର-୨୬-ବିଜି-୧୧୪୫ ନମ୍ବର ବିଶିଷ୍ଟ ବିଏମ୍ଡ଼ବ୍ଲୁ କାରରେ ୩ଜଣ ଯୁବକ ଭୁବନେଶ୍ୱରରୁ ଆସି ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପାଢୀ ବାରରେ ମଦ୍ୟପାନ କରିବା ପାଇଁ ରଙ୍ଗ ସ୍ଥାନରେ ଗାଡ଼ି ପାକିଂ କରିଥିଲେ । ଏହାକୁ ବାରରେ ନିୟୋଜିତ ଥିବା ସୁରକ୍ଷା କର୍ମୀ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ଫଳରେ ଘଟଣାସ୍ଥଳରୁ ସମ୍ପୃକ୍ତ ଯୁବକମାନେ ଚାଲି ଆସିଥିଲେ । ଏହି ଘଟଣା କାଣ୍ଡର ମୁଖ୍ୟ ଅଭିଯୁକ୍ତ ମୃତୁ୍ୟଞ୍ଜୟ ନାୟକ ଘଟଣା ସମ୍ପର୍କରେ ତାର ସାନ ଭାଇ ଯିଏକି ଖୋର୍ଦ୍ଧା ନବିନାବାଗରେ ଥିବା ଧନଞ୍ଜୟକୁ ଫୋନ୍ରେ ଜଣାଇଥିଲା । ଫଳରେ ଧନଞ୍ଜୟ ଏ ସମ୍ପର୍କରେ ସଦରଥାନା ଅନ୍ତର୍ଗତ ଦଳେଇପୁଟର ରାଜେଶ କୁମାର ସାହୁ ଏବଂ ଆଦର୍ଶଥାନା ଅନ୍ତର୍ଗତ ଲୋକେଶ୍ୱରପୁରର ଦେବକାନ୍ତ ଦାସକୁ ଜଣାଇବା ଫଳରେ ସମସ୍ତେ ଗୋଟିଏ ସ୍ଥାନରେ ଏକତି୍ରତ ହୋଇଥିଲେ । ପରେ ପଲ୍ଲାହାଟ ବଜାରରେ ଥିବା ଏକ ହାଡୱାର ଦୋକାନରୁ ଧାରୁଆ ଛୁରୀ କିଣି ବାର୍ ନିକଟକୁ ପୁନର୍ବାର ଯାଇ ସେଠାରେ ବସିଥିବା ବାରର କର୍ମ·ରୀ ଅମିୟ ବାରିକଙ୍କୁ ଅତର୍କିତ ଭାବରେ ଛୁରିରେ ଆକ୍ରମଣ କରିବା ଦ୍ୱାରା ଘଟଣା ସ୍ଥଳରେ ସେ ମୃତୁ୍ୟ ବରଣ କରିଥିଲା ।
ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ଘଟଣାଟିକୁ ଗମ୍ଭୀରତାର ସହିତ ନେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଦଶ କ୍ରମେ ୫ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଉପରୋକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ନିକଟରୁ ରକ୍ତଲଗା ଛୁରୀ, ସାର୍ଟ, ବିଏମଡ଼ବ୍ଲୁ କାର, ବାଜାଜ ପଲସର ମୋଟର ସାଇକେଲ, ୯ଟି ମୋବାଇଲ ଫୋନ୍ ପ୍ରଭୃତି ଜବତ କରିଥିବା ବେଳେ ଖୋର୍ଦ୍ଧା ଆଦର୍ଶଥାନା କେଶ ନଂ.୨୪୩, ତା.୧୪.୦୭.୨୦୨୦ ଦଫା ୩୦୨, ୩୪, ଆଇ.ପି.ସି, ଆର/ଡ଼ବ୍ଲୁ ୨୫, ୨୭ ଆର୍ମଆକ୍ଟରେ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଛି ବୋଲି ଏସପି କହିଥିଲେ । ସେହିପରି ଅମିତଙ୍କ ନାମରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ୨୮/୨୦୧୨ରେ ଏକ ହତ୍ୟା ଉଦ୍ୟମ ଓ ପରବର୍ତ୍ତୀ ସମୟରେ ହତ୍ୟାମାମଲା, ୨୪୪/୨୦୧୨ରେ ଆଉ ଏକ ମାମଲା, ୨୯୪/୨୦୧୨ରେ ଏକ ହତ୍ୟାମାମଲା ଓ ୨୫୮/୨୦୨୦ରେ ଏକ ହତ୍ୟା ଉଦ୍ୟମ ମାମଲା ରହିଥିବା ବେଳେ ଅପରାଧି ଅମିତ କୁମାର ପ୍ରଧାନଙ୍କ ନାମରେ ନୟାପଲ୍ଲୀ ଥାନାରେ୨୦୭/୨୦୨୦ରେ ଏକ ଅପରାଧିକ ମାମଲା ୨୫୮/୨୦୨୦ରେ ଏକ ହତ୍ୟା ଉଦ୍ୟମ ମାମଲା ଓ ନନ୍ଦନ କୁମାର ବେହେରା, ଗଗନଙ୍କ ନାମରେ ନୟାପଲ୍ଲୀ ଥାନାରେ ୨୫୮/୨୦୨୦ ହତ୍ୟା ଉଦ୍ୟମ ମାମଲା ରହିଥିବା ଏସ୍ପି ଶ୍ରୀ ସ୍ୱାଇର୍ ସୂଚନା ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି କୃତିବାସ ଜେନା, ଏସଡ଼ିପିଓ ସୁଶିଲ କୁମାର ମିଶ୍ର, ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।


