Odisha news

ଖୋର୍ଦ୍ଧା ରୋଡ୍–କେରଜଙ୍ଗ (ଅନୁଗୁଳ) ରେଳ ସେକ୍ସନ ନିରୀକ୍ଷଣ କଲେ ମଣ୍ଡଳ ରେଳ ପ୍ରବନ୍ଧକ

0
ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅଲୋକ ତ୍ରିପାଠୀ ଆଜି ଖୋର୍ଦ୍ଧା ରୋଡ୍–କେରଜଙ୍ଗ (ଅନୁଗୁଳ) ରେଳ ସେକ୍ସନରେ ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିଛନ୍ତି । ଏହି ନିରୀକ୍ଷଣ ସମୟରେ ତାଙ୍କ ସହ ବରିଷ୍ଠ ମଣ୍ଡଳ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ନିରୀକ୍ଷଣର ଉଦ୍ଦେଶ୍ୟ ଥିଲା ରେଳ ଚଳାଚଳର ସୁରକ୍ଷା ଓ ନିରାପତ୍ତା ସହ ଟ୍ରେନ ଚଳାଚଳ କ୍ଷେତ୍ରରେ ଏହି ସେକ୍ସନରେ ସୁଚାରୁ ଭାବେ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା । ନିରୀକ୍ଷଣ ସମୟରେ ରେଳଲଇନ ଓ ସମ୍ବନ୍ଧିତ ଭିତ୍ତିଭୂମିକୁ ଭଲଭାବେ ପରୀକ୍ଷା କରାଯାଇଥିଲା । ନିରାପତ୍ତା ସମ୍ବନ୍ଧିତ ବିଭିନ୍ନ ଦିଗ ଯେପରିକି ରେଳପଥର ଭୌଗୋଳିକ ଗଠନ ଓ ସମନ୍ବୟ, କ୍ରସିଂ ଓ ଟର୍ନଆଉଟ୍, ସେତୁ, ଛୋଟ ସଂରଚନା (ଷ୍ଟ୍ରକ୍ଚର), ସିଗ୍ନାଲ ଏବଂ ଇଣ୍ଟରଲକିଂ ପ୍ରଣାଳୀ, ଜଳ ନିସ୍କାସନ ବ୍ୟବସ୍ଥା, ସୁରକ୍ଷା ପ୍ରାଚୀର ଓ ବାଡ଼ ଇତ୍ୟାଦିକୁ ତଦାରଖ କରାଯାଇଥିଲା ।

କଟକ ଓ ଅନୁଗୁଳ ମଧ୍ୟରେ ଥିବା ବୁଢାପଙ୍କ–ରାଜଆଠଗଡ଼–ଶାଳଗାଁ ରେଳ ସେକ୍ସନରେ ତୃତୀୟ ଓ ଚତୁର୍ଥ ରେଳଲଇନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଅଛି ଯାହା ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ ହେବା, ରେଳପଥ କ୍ଷମତା ବୃଦ୍ଧି ଓ ରେଳ ଚଳାଚଳ କ୍ଷମତାର ଉନ୍ନତି ସୁନିଶ୍ଚିତ କରିବା ସମ୍ଭବ ହେବ ।

ଶ୍ରୀ ତ୍ରିପାଠୀ ମେରାମଣ୍ଡଳୀରେ ଥିବା ଟାଟା ଷ୍ଟିଲ୍ ଲିମିଟେଡ୍ (ଟିଏସଏଲ) ସାଇଡିଂ ଓ କେରଜଙ୍ଗ (ଅନୁଗୁଳ) ରେ ଥିବା ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟ ଲିମିଟେଡ୍ (ଜେଏସପିଏଲ) ସାଇଡିଂକୁ ମଧ୍ୟ ନିରୀକ୍ଷଣ କରି ଶିଳ୍ପ ଉଦ୍ୟୋଗ ସହିତ ସମନ୍ୱୟ ବୃଦ୍ଧି କରାଇ ପଣ୍ୟ ପରିବହନ ସୁଦୃଢ କରିବା ବିଷୟରେ ଆଲୋଚନା କରିଛନ୍ତି ।

ଏହି ନିରୀକ୍ଷଣର ଉଦ୍ଦେଶ୍ୟ ଥିଲା ରେଳ ଯାତାୟାତର ନିରାପତ୍ତା ବୃଦ୍ଧି, ଭିତ୍ତିଭୂମି କାର୍ଯ୍ୟ ଗୁଡିକର ଉନ୍ନତିକରଣ କରିବା ସହ ଯାତ୍ରୀ, ସାଧାରଣ ଲୋକ ଓ ପଣ୍ୟ ଗ୍ରାହକମାନଙ୍କ ପାଇଁ ଉତ୍ତମ ସେବା ପ୍ରଦାନ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ସାମଗ୍ରିକ କାର୍ଯ୍ୟଦକ୍ଷତାକୁ ସୁଦୃଢ କରାଇବା ।

Leave A Reply