Odisha news

ଖୋର୍ଦ୍ଧା ପୂର୍ତ ବିଭାଗ ଓ ଦୁର୍ନୀତି ନିବାରଣ ବିଭାଗ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା

0

ଖୋର୍ଦ୍ଧା,୧୨ା୧୦: ପୂର୍ତ ବିଭାଗ ପରିଚାଳିତ ହେଉଛି ଠିକାଦାରଙ୍କ ହାତରେ । ଏମିତି ଅଭିଯୋଗ କରିଛନ୍ତି ଖୋର୍ଦ୍ଧାର କିଛି ସୂଚନା ଅଧିକାର କର୍ମୀ । ସୂଚନା ମୁତାବକ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଠାରେ କୁମାରବସ୍ତ ଗ୍ରାମ ଦେଇ ସଂଯୋଗ କରୁଥିବା ଗୁରୁଜଙ୍ଗ ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତି ବିଷୟରେ ସୂଚନା ଅଧିକାର କର୍ମୀ ପୂର୍ତ ବିଭାଗକୁ ସୂଚନା ମାଗିଥିଲେ । ସୂଚନା ହସ୍ତଗତ ହେବା ପରେ ସେଥିରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ନେଇ ସେ ଖୋର୍ଦ୍ଧା ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ଦ୍ୱାରସ୍ତ ହୋଇଥିଲେ ।

ଇତି ମଧ୍ୟରେ ଅଭିଯୋଗ କରିବାର ତିନି ମାସ ବିତିଯାଇଥିଲେ ମଧ୍ୟ ଉକ୍ତ ଘଟଣାର ତଦନ୍ତ ହେବାର ଦୂର କଥା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହାକୁ ଚପାଇ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ଚର୍ଚ୍ଚା ହେଉଥିବା ପୂର୍ତବିଭାଗ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଭିତରେ ଏବେ ଦୁର୍ନୀତି ନିବାରଣ ବିଭାଗ ସାମିଲ ହୋଇସାରିଛି । ସେହିପରି ସମ୍ପୃକ୍ତ ଠିକାଦାର ସୂଚନା ଅଧିକାର କର୍ମୀଙ୍କୁ ଅଭିଯୋଗ ଫେରାଇ ଆଣିବାକୁ ଧମକ ଦେବା ସହିତ ଅନେକ ଦିଗରୁ ଚାପ ପକାଉଥିବା ମଧ୍ୟ ଅଭିଯୋଗ ହୋଇଛି । ପ୍ରକୃତରେ ରାସ୍ତା କାମରେ ଦୁର୍ନୀତି ବିଷୟରେ ତଦନ୍ତ ପାଇଁ କାହିଁକି ଅଭିଯୋଗ ସତ୍ୱେ ପୂର୍ତ ବିଭାଗ ଓ ଦୁର୍ନୀତି ନିବାରଣ ବିଭାଗ ପଛ ଘୁଂଚା ଦେଉଛନ୍ତି । ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୂର୍ବରୁ କୁମାରବସ୍ତ ଗ୍ରାମବାସୀ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ତେବେ ଏଠାରେ ଠିକାଦାରଙ୍କ ପ୍ରବାବରେ ସବୁକିଛି ଫିକା ପଡ଼ିଥିବା ଖୋର୍ଦ୍ଧାରେ ଚର୍ଚ୍ଚା ହେଉଛି । ପ୍ରକୃତରେ ଖୋର୍ଦ୍ଧା ପୂର୍ତ ବିଭାଗ ଠିକାଦାରଙ୍କ ଅଧିନକୁ ଚାଲିଯାଇଛି କି, ଏହାର ତଦନ୍ତ କରାଗଲେ ଅନେକ ଦୁର୍ନୀତି ଲୋକ ଲୋଚନକୁ ଆସି ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଠିକ୍ ସେହିପରି ଭାବରେ ଖୋର୍ଦ୍ଧା ଚଣ୍ଡିଚୂଆ ଠାରୁ ନୂଆବସଷ୍ଟାଣ୍ଡ ଦେଇ ବାଟ ମଙ୍ଗଳା ପର୍ଯ୍ୟନ୍ତ ରାସ୍ତାଟି ଖାଲ ଖମାରେ ପୂର୍ଣ୍ଣ ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତୃପକ୍ଷ ଦୃଷ୍ଟି ନ ଦେବା ଯୋଗୁଁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି । ଏପରିକି ଆମ୍ବୁଲାନ୍ସ ଯିବା ପାଇଁ ମଧ୍ୟ ଅସମ୍ଭବ ହୋଇ ପଡ଼ୁଛି ।

Nalco
Leave A Reply