Odisha news

ଖଲ୍ଲିକୋଟ ରେ ସରୁନି ଦାଦାନ ଦୁଃଖ : ପୁଣି ବିଦେଶରେ ଓଡ଼ିଆ ଶ୍ରମିକର ମୃତ୍ୟୁ

0

ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ଉକ୍ତଟ ହେଉଥିବା ବେଳେ ପ୍ରତିଦିନ ବେକାର ଯୁବକ ଯୁବତି ମାନେ କାମଧନ୍ଦା ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଇ ନିର୍ଯ୍ୟାତନାର ଶିକାର ହେବା ସହ ମୃତ୍ୟୁ ମୁଖରେ ପଡ଼ିଥିବା ଦେଖିବାକୁ ମିଳିଛି । ଗତ ଦୁଇବର୍ଷ ପୂର୍ବରୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇଁପୁର ଗ୍ରାମପଞ୍ଚାୟତର ପାଟଣା କହ୍ନେଇଁପୁର ଗ୍ରାମର ରଙ୍କନାଥ ମହାରଣାଙ୍କ ବଡ଼ ପୁଅ ରମେଶ ମହାରଣା ରୋଜଗାର କରିବା ପାଇଁ ବିଦେଶ ଯାଇଥିଲେ । ରମେଶଙ୍କ ସଂମ୍ପର୍କିୟଙ୍କ କହିବାନୁଯାୟୀ ରମେଶ କୁବା ରେ ଥିବା ବୋରଗେସ୍ ନାମକ ଏକ ଠିକା କମ୍ପାନୀ ମାଧ୍ୟମରେ କାୟୋ ସାନ୍ତା ମାରିଆ ଅଞ୍ଚଳରେ ଥିବା ହୋଟେଲ୍ ସାଲିନା ରେ ଗୁରୁବାର ଦିନ ବିଲଡିଙ୍ଗ୍ କାମ କରୁଥିବା ସମୟରେ ହଠାତ୍ କ୍ରେନ୍ ର ଲୁହା ସିକୁଳି ଟି ଛିଣ୍ତି ରମେଶଙ୍କ ଦେହରେ ବାଜିଥିଲା ଯାହା ଫଳରେ ସେ ତିନି ମହଲା ଛାତ ଉପରୁ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ ।ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ।ଗତ କାଲି ଶୁକ୍ରବାର ଦିନ ରମେଶ ସେଠାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତ୍ୟୁ ଖବର ସ୍ତ୍ରୀ ରେଣୁ ମହାରଣା ପାଇବା ପରେ ରେଣୁ ଙ୍କର ପାଦତଳୁ ମାଟି ଖସିଯାଇଛି । ଘଡ଼ିକ ପରେ ଘଡ଼ିକେ ଅଚେତ୍ ହୋଇପଡ଼ୁଛନ୍ତି ରେଣୁ । ଏପଟେ ବଞ୍ଚିଥାଉ ଥାଉ ରୋଜଗାରିଆ ପୁଅର ମୃତ୍ୟୁ ଖବର ଶୁଣି ବାହୁନି ବାହୁନି କାନ୍ଦୁଛି ବୃଦ୍ଧା ମା ସୁଭଦ୍ରା । ମା ସୁଭଦ୍ରା କର୍କଟ ରୋଗରେ ଆକ୍ରାନ୍ତ ।

ସେ କିଛିଦିନ ହେଲା ଭୁବନେଶ୍ବର ରେ ଥିବା ଏମ୍ସ୍ ହସପିଟାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ପୁ୍ଅର ମୃତ୍ୟୁ ଖବର ଶୁଣି ଫେରିଆସିଛନ୍ତି ବୋହୁ ରେଣୁଙ୍କ ପାଖକୁ । ସେପଟେ ବାପା ରଙ୍କନାଥ ୭୦ ବର୍ଷ ବୟସରେ ନିଜ ଭିଟାମାଟି ଛାଡ଼ି ମୁମ୍ବାଇ ସହର ରେ ଏକ ଘରୋଇ କମ୍ପାନୀରେ କାଠ କାମ କରନ୍ତି । ବାପ ଛେଉଣ୍ତ ହୋଇଗଲେ ଦୁଇ ପୁଅଝିଅ । ପୁଅ ମନୋଜ ଅଷ୍ଟମ ଶ୍ରେଣୀ ରେ ପାଠ ପଢ଼ୁ ଥିବା ବେଳେ ଝିଅ ପ୍ରାଚୀ ପଞ୍ଚମ ଶ୍ରେଣୀ ରେ ପାଠ ପଢ଼ନ୍ତି । ଦୁହେଁ ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । କେବେ ଆସିବେ ଆମ ବାପା । ଝାଟି ମାଟି ଘରେ ବଡ଼ କଷ୍ଟରେ ଚଳନ୍ତି ରମେଶଙ୍କ ପରିବାର । ସେପଟେ ବିଦେଶରୁ ରମେଶଙ୍କ ମରଶରୀର କୁ ନିଜ ଗ୍ରାମକୁ ଆଣିବା ପାଇଁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।ଖଲ୍ଲିକୋଟ ଅଞ୍ଚଳରେ ବାରମ୍ବାର ଏଭଳି ଦୁଃଖଦ ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହେଉଥିବା ରୁ ସାଧାରଣ ରେ କ୍ଷୋଭ ପ୍ରକାଶ ପାଇଛି ।

Leave A Reply