ଖଇରା-୦୧/୧୧ : ଖଇରା ବ୍ଲକର ସର୍ବ ପୁରାତନ ଖଇରା ସରକାରୀ ହାଇସ୍କୁଲ ଜମିକୁ ଖଇରା ମେଡିକାଲ ସମ୍ପ୍ରସାରଣ ପାଇଁ ହସ୍ତାନ୍ତର କରାଯିବା ପରେ ଅବିଭାବକ,ବୁଦ୍ଧିଜିବୀଙ୍କ ମଧ୍ୟରେ ପ୍ରତିବାଦର ସ୍ୱର ଉଠିଛି । ସେହିଭଳି ଉକ୍ତ ବିଦ୍ୟାଳୟ ଜମିରେ ଆହାର କେନ୍ଦ୍ର,ମିଶନଶକ୍ତି କାଫେ ଭଳି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଉକ୍ତ ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପରେ ବିଦ୍ୟାଳୟ କମିଟି,ପୁରାତନ ଛାତ୍ର ପରିଷଦ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଖଇରା ଅଞ୍ଚଳର ବୁଦ୍ଧିଜିବୀ,ଶିକ୍ଷାବିତ ଓ ପୁରାତନ ଛାତ୍ର ଆହାର କେନ୍ଦ୍ର ନିର୍ମାଣକୁ ସ୍ୱାଗତ କରୁଥିଲେ ହେଁ ବିଦ୍ୟାଳୟ ଜମିକୁ ବ୍ୟବହାର କରାଯିବାକୁ ନେଇ କଡା ଆପତ୍ତି ଉଠାଇଛନ୍ତି । ଉକ୍ତ ନିଷ୍ପତ୍ତିର ପୁନର୍ବିଚାର କରି ଅନ୍ୟ ସରକାରୀଜମିକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ପୁର୍ନବିଚାର ପାଇଁ ଲିଖିତ ଦାବୀପତ୍ର ବାଲେଶ୍ୱର ଜିଲାପାଳ,ଜିଲା ଶିକ୍ଷାଧିକାରୀ ତଥା ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ୧୯୪୫ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ବିଦ୍ୟାଳୟର ବର୍ତ୍ତମାନର ପିଲା ସଂଖ୍ୟା ପାଖାପଖି ୫ଶହ । ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ଉକ୍ତ ବିଦ୍ୟାଳୟ ପ୍ରଥମ ବିଦ୍ୟାଳୟ ଭାବେ ୫-ଟି ରୁପାନ୍ତିକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲା । ବିଦ୍ୟାଳୟ ସମ୍ପ୍ରସାରଣ ତଥା ଏହାର ଉନ୍ନତିକରଣ ପାଇଁ ବହୁ ବଦାନ୍ୟ ବ୍ୟକ୍ତି ମୁକୁନ୍ଦ ପ୍ରସାଦ ଦାସ,ଚନ୍ଦ୍ରଶେଖର ଦାସମହାପାତ୍ର,ଭାଗବତ ପଣ୍ଡା,କୃଷ୍ଣଚନ୍ଦ୍ର ପାତ୍ର,ଭୋଳାନାଥ ଦାସ,ଭାଗିରଥି ସାହୁ ପ୍ରମୁଖ ହାଇସ୍କୁଲ ନାମରେ ୩.୭୨ଏକର ଜମି ଦାନ କରିଥିଲେ । ହେଲେ ଚତୁପାଶ୍ୱର୍ରେ ଜବର ଦଖଲ ଯୋଗୁଁ ବାସ୍ତବରେ ଏବେ ୩ଏକର ରୁ କମ ଜମି ରହିଛି । ନିକଟରେ ଏହି ଜମିରୁ ୫୫ଡିମିମିଲ ଜମିକୁ ଖଇରା ମେଡିକାଲ ସମ୍ପ୍ରସାରଣ ପାଇଁ ପ୍ରଦାନ କରାଯିବା ସହ ଆହାର କେନ୍ଦ୍ର,ମିଶନଶକ୍ତି କାଫେ ଓ ଜିମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରତିବାଦର ସ୍ୱର ଧିରେ ଧିରେ ବଢିବାରେ ଲାଗିଛି । ଜମି ହସ୍ତାନ୍ତର ପାଇଁ ତହସିଲଦାର,ଗୋଷ୍ଠୀ ଶିକ୍ଷାଧିକାରୀ,ରାଜସ୍ୱ ନିରିକ୍ଷକ,ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ଦ୍ୱାରା ଜୁଲାଇ ୧୩ ତାରିଖରେ ପ୍ରସ୍ତୁତ ରିପୋର୍ଟକୁ ନେଇ ସାଧାରଣରେ ଉକ୍ତ ଅଧିକାରୀ ମାନଙ୍କ ସ୍ୱଛତା ଉପରେ ଅଙ୍ଗୁଳି ନିଦେ୍ର୍ଦଶ କରାଯାଇଛି । ରିପୋର୍ଟରେ ଉକ୍ତ ଯାଗା ସ୍କୁଲ ଦ୍ୱାରା ବ୍ୟବହୃତ ହେଉନଥିବା ଏବଂ କୌଣସି ବଡ ଗଛ ନଥିବା ଉଲ୍ଲେଖ କରାଯାଇଛି । ଆହାର କେନ୍ଦ୍ର ପାଇଁ ୪କି ୫ଡିସିମିଲର ଆବଶ୍ୟକତା ଥିବାବେଳେ କାଫେ ତଥା ଅନ୍ୟାନ୍ୟ ଅନାବଶ୍ୟକ କାର୍ଯ୍ୟ ପାଇଁ ୫୫ଡିସିମିଲ ଯାଗା ଦଖଲ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବହୁ ଅବିଭାବକ ପ୍ରକାଶ କରିଛନ୍ତିା ଏହି ୫୫ଡିସମିଲ ଜମି ଉପରେ ଥିବା ବଡ ବଡ ଗଛକୁ ଠିକାଦାର କାଟି ରାତିଅଧିଆ ବିକ୍ରି କରିଥିବା ବେଳେ ଯାହାର ମୂଳ ଓ ଅଳ୍ପ ଗଣ୍ଡି ଏବେ ମଧ୍ୟ ପଡିରହିଛି । ସରକାର ହାଇସ୍କୁଲ ଉନ୍ନତି ପାଇଁ ମାତ୍ର ୫୫ଲକ୍ଷ ଟଙ୍କା ଦେଇଥିବା ବେଳେ ଏହା ବାବଦକୁ ସାଢେ ୫କୋଟି ଟଙ୍କା ମୂଲ୍ୟ ଜମି ହାଇସ୍କୁଲ ରୁ ନେଇଯିବା ସ୍ଥାନୀୟ ଜନସାଧାରଣଙ୍କ ପ୍ରତି କୁଠାରଘାତ ବୋଲି ଆଲୁମିନି ମୁକ୍ତିକାନ୍ତ ଶତପଥି କହିଛନ୍ତି । ହାଇସ୍କୁଲ ବନ୍ଦ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି ଉଲ୍ଲେଖ କରିଛନ୍ତି । ସ୍କୁଲ ଯାଗାର ସୀମା ନିର୍ଦ୍ଧାରଣ କରାଯାଇ ସମସ୍ତ ଯାଗା ସ୍କୁଲକୁ ଫେରାଇ ଦିଆଯାଉ ବୋଲି କମିଟି ସଭାପତି ସଞ୍ଜୟ ସାହୁ କହିଛନ୍ତି । ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଜମି ମେଡିକାଲକୁ ଦିଆଯାଇଥିବା ନେଇ ତହସିଲଦାର ପ୍ରଶାନ୍ତ କୁମାର ମହାରଣା କହିଛନ୍ତି । ଚିଠିଟି ଦେଖିବା ପରେ ତାଙ୍କର ଦସ୍ତଖତ କି ନୁହେଁ କହିପାରିବେ ବୋଲି ବିଇଓ ଗଦାଧର ଦାସ କହିଛନ୍ତି । ଘଟଣାକ୍ରମେ ପରିଚାଳନା କମିଟି ନ୍ୟାୟ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବାର ଜଣାଯାଇଛି ।
