ଖଇରା-୨୦/୦୯ : ଗଣଶିକ୍ଷା ବିଭାଗ ତରଫରୁ ବରିଷ୍ଠ ଶିକ୍ଷକ ମାନଙ୍କୁ ପଦୋନ୍ନତି ଭିତ୍ତିରେ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏଥିରେ ଖଇରା ବ୍ଲକର ବିଭିନ୍ନ ହାଇସ୍କୁଲର ୫ଜଣଙ୍କୁ ପଦୋନ୍ନତି ମିଳିଛି । ଏଭଳି ପଦୋନ୍ନତି କିଛି ସ୍କୁଲ ପାଇଁ ଆଶିର୍ବାଦ ପାଲଟିଥିବା ବେଳେ କିଛି ସ୍କୁଲପାଇଁ ଅଭିଶାପ ପାଲଟିଛି । ନହଙ୍ଗ ପଞ୍ଚାୟତ ଅଧୀନ ରୁସ୍ତମପୁରସ୍ଥିତ ଗୋବିନ୍ଦଜୀଉ ହାଇସ୍କୁଲରେ ବିକଳ୍ପ ବ୍ୟବସ୍ଥା ନକରି ଏକାସଙ୍ଗରେ ୩ଜଣ ଶିକ୍ଷକଙ୍କୁ ପଦୋନ୍ନତି ଭିତ୍ତିରେ ଅନ୍ୟ ବିଦ୍ୟାଳୟକୁ ବଦଳୀ କରାଯାଇଥିବାରୁ ଅବିଭାବକ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି ।ସ୍କୁଲ ଖୋଲିବା ପୂର୍ବରୁ ଏହି ୩ଟି ଖାଲି ପଦବୀ ପୂରଣ କରାନଗଲେ ଅବିଭାବକ ମାନେ ଧାରଣାରେ ବସିବେ ବୋଲି ବିଭିନ୍ନ ଗ୍ରାମର ଅନାମ ଚରଣ ନାୟକ,ନରହରି ସାହୁ,ଗୟାଧର ଦାସ,ମୁକ୍ତିକାନ୍ତ ମହଲା,ରଘୁନାଥ ବାରିକ,ରଘୁନାଥ ଜେନା,ନିଳାମ୍ବର ବେହେର,ପ୍ରଶାନ୍ତ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି ।
ବାଲେଶ୍ୱର ଜିଲ୍ଲାରୁ ୧୦୮ଜଣ ଶିକ୍ଷକଙ୍କୁ ପଦୋନ୍ନତି ଭିତ୍ତିରେ ପ୍ରଧାନଶିକ୍ଷକ ନିଯୁକ୍ତ କରାଯାଇଛି । ଖଇରା ବ୍ଲକର ୨ଟି ସ୍କୁଲର ୫ଜଣଙ୍କୁ ଏହି ପଦୋନ୍ନତି ମିଳିଛି । ଗୋବିନ୍ଦ ଜୀଉ ହାଇସ୍କୁଲର ଷଡାନନ ପାଣିଗ୍ରାହୀଙ୍କୁ ସେହି ଖଇରା ବ୍ଲକର ଅନ୍ତରା ମହତୀପୁର ହାଇସ୍କୁଲ,ମାୟାଧର ସାହୁଙ୍କୁ ଡୁଙ୍ଗୁରା ଦର୍ଶନପ୍ରସାଦ ହାଇସ୍କୁଲ ଏବଂ ପ୍ରଦୀପ କୁମାର ବେହେରାଙ୍କୁ ସୋର ବ୍ଲକର ଟେଣ୍ଟେଇସ୍ଥିତ ବିସି ହାଇସ୍କୁଲକୁ ବଦଳୀ ହୋଇଛି । ଖଣିଆ ସ୍ଥିତ ଜଳଦା-ଡାଲଙ୍ଗ ହାଇସ୍କୁଲ ରାଧାକାନ୍ତ ପଣ୍ଡାଙ୍କୁ ବାହାନଗା ବ୍ଲକର ଶ୍ରୀଜଙ୍ଗ ହାଇସ୍କୁଲର ଦାସମହାପାତ୍ର ହାଇସ୍କୁଲରେ ଏବଂ ଚନ୍ଦ୍ରଶେଖର ମିଶ୍ରଙ୍କୁ ସେହି ଜଳଦା-ଡାଲଙ୍ଗ ସ୍କୁଲରେ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ବ୍ୟତିତ ଅନ୍ୟ ବ୍ଲକରୁ ୫ଜଣ ଶିକ୍ଷକ ପଦୋନ୍ନତି ଭିତ୍ତିରେ ଖଇରା ବ୍ଲକକୁ ବଦଳୀ ହୋଇ ଆସିଛନ୍ତି ।
ବାହାନଗା ହାଇସ୍କୁଲର ପ୍ରଭାସ ରଞ୍ଜନ ନାୟକଙ୍କୁ ଖଇରା ବ୍ଲକର ରଟିଣା ପିପି ହାଇସ୍କୁଲକୁ,ଶିଖରପୁର ଏସ୍ଏସ୍ବିପି ହାଇସ୍କୁଲର ଗୌରୀଶଙ୍କର ବ୍ରହ୍ମାଙ୍କୁ ଖଇରା ବ୍ଲକର ବର୍ତ୍ତନା ଉଚ୍ଚ ବିଦ୍ୟାପୀଠକୁ,ମାଟିଆଳି ନୋଡାଲ ହାଇସ୍କୁଲର ପ୍ରମୋଦ କୁମାର ମହାପାତ୍ରଙ୍କୁ ଗଣ୍ଡିବେଡ ହାଇସ୍କୁଲକୁ,କେନ୍ଦୁଖୁଣ୍ଟା ବିଷ୍ଣୁପ୍ରିୟା ନୋଡାଲ ହାଇସ୍କୁଲର ଜଗବନ୍ଧୁ ବେଶ୍ରାଙ୍କୁ କୁପାରୀ ନୋଡାଲ ହାଇସ୍କୁଲକୁ,ସୋର ମଙ୍ଗଳପୁର ହାଇସ୍କୁଲର ପ୍ରଶାନ୍ତ କୁମାର ଦାସଙ୍କୁ ଖଇରା ସରକାରୀ ହାଇସ୍କୁଲକୁ ବଦଳି କରାଯାଇଛି ।
ଖଇରା ବ୍ଲକ ଗୋବିନ୍ଦ ଜୀଉ ହାଇସ୍କୁଲର ୩ଜଣ ଶିକ୍ଷକଙ୍କୁ ଏକାବେଳେ ବଦଳୀ କରାଯିବା ଏବଂ ଖାଲିସ୍ଥାନକୁ ପୂରଣକୁ ଦୃଷ୍ଟି ଦିଆନଯିବାରେ ଛାତ୍ରୀଛାତ୍ରମାନଙ୍କ ତରଫରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରାଯାଇଛି । ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କୁ ଯୋଗାଯୋଗ କରିବାରେ ଗୋବିନ୍ଦ ଜୀଉ ହାଇସ୍କୁଲରେ ବର୍ତ୍ତମାନ ନିଯୁକ୍ତିର କୌଣସି ବ୍ୟବସ୍ଥା ନାହିଁ । ସ୍କୁଲ ଖୋଲିବା ପରେ ଆବଶ୍ୟକତାକୁ ଦେଖି ଡେପୁଟେସନ ବିଷୟରେ ଚିନ୍ତା କରାଯିବା ବୋଲି କହିଛନ୍ତି ।
