କେନ୍ଦୁଝର : ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ କେନ୍ଦୁଝର ଜିଲ୍ଲାରେ ଗମନାଗମନର ବିଶେଷ ସୁବିଧା ହୋଇପାରିନଥିବା ବେଳେ କେନ୍ଦ୍ର ସରକାର ଏଥୁପ୍ରତି ଦୃଷ୍ଟି ଦେଉନଥିବା ପରିତାପର ବିଷୟ। ହେଲେ ଚଳିତ ବଜେଟ୍ରେ କିଛି ବି ବ୍ୟବସ୍ଥା ହେଲା ନାହିଁ। ରେଳପଥ ସଂଯୋଗୀକରଣରେ ଆନନ୍ଦପୁର ଉପଖଣ୍ଡ ଉପେକ୍ଷିତ ହୋଇପଡ଼ିଛି। ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ଉପଖଣ୍ଡ ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଅଛି। ସେହିପରି ଯାଜପୁର-କେନ୍ଦୁଝର ମୟୂରଭଞ୍ଜ ଯଶିପୁରକୁ ରେଳପଥ ସଂଯୋଗ ପ୍ରସ୍ତାବ ଶୀତଳ ଭଣ୍ଡାରରେ ପଡ଼ିରହିଛି। କେନ୍ଦୁଝର ଜିଲ୍ଲାର ଖଣିଖାଦାନକୁ ରାଜ୍ୟ ଓ କେନ୍ଦ୍ର ସରକାର ସର୍ବାଧିକ ଟିକସ ନେଉଥିବା ବେଳେ ଜିଲ୍ଲାର ବିକାଶକୁ ଅଣଦେଖା କରାଯାଉଛି ବୋଲି ଆନନ୍ଦପୁର ବିକାଶ ପରିଷଦର ସଭାପତି ପ୍ରଫେସର ରମାକାନ୍ତ ନାୟକ କହିଛନ୍ତି।ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ କେନ୍ଦୁଝର ମିଳିତ କ୍ରିୟାନୁଷ୍ଠାନ କମିଟି, ବାରିଗାଁ ମା’ ଧନେଇ ସେବା ସଂଘ, ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ବାରମ୍ବାର ଆନ୍ଦୋଳନ, ଧାରଣା, ରାସ୍ତାରୋକ, ମାନବଶୃଙ୍ଖଳ ଓ ଆନନ୍ଦପୁର ବନ୍ଦ କରିଥିଲେ। ରେଳପଥ ସଂଯୋଗ ଦାବିରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତିନି ଥର ରେଳ ମନ୍ତ୍ରଣାଳୟକୁ ସୁପାରିସ କରାଯାଇଥିଲା। ହେଲେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ। ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ରେଳମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଏଜାବତ୍ ରେଳପଥ ସଂଯୋଗ ହୋଇପାରିଲାନାହିଁ ଏଣୁ ତୁରନ୍ତ କେନ୍ଦ୍ର ସରକାର ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ ବିଶିଷ୍ଟ ଯୁବ ବିଜେଡି ନେତା ବିଶ୍ଵନାଥ ପ୍ରତାପ ଯେନା ଦାବି କରିଛନ୍ତି